/odishatv-khabar/media/media_files/2026/01/13/cctv-cameras-to-guard-paralakhemundi-city-2026-01-13-18-41-11.jpg)
ସାବାଡ ହେବେ ଚୋର-ଡକାୟତ! ସହର ଉପରେ ୩୬ଟି ଆଖି Photograph: (OTV)
ପାରଳାଖେମୁଣ୍ଡି ସହରକୁ ଜଗିବ ସିସିଟିଭି। ସହରରେ ଦିନକୁ ଦିନ ଚୋରି ଡକାୟତି ସହ ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସିସିଟିଭି ସହାୟକ ହେବ ବୋଲି ପୋଲିସ କହିଛି। ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ପ୍ରାୟ ୩୩ ଲକ୍ଷ ଟଙ୍କା ବ୍ୟୟରେ ସହରର ୧୨ ଟି ସ୍ଥାନରେ ୩୬ଟି କ୍ୟାମେରା ଖଞ୍ଜାଯାଇଥିବା ବେଳେ ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପୌରାଧ୍ୟକ୍ଷା କହିଛନ୍ତି।
ପୌର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରସଂଶା କରିବା ସହ ଏହାଦ୍ୱାରା ଅପରାଧିକ ମାମଲାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ।
ବର୍ତ୍ତମାନ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ କ୍ୟାମେରା ଖଞ୍ଜା ଯାଇ ଏହାର ଚେକ୍ଆଉଟ୍ ସରିଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଲୋକାର୍ପିତ ହେବ। ସହରରେ ଦିନକୁ ଦିନ ଚୋରି ଡକାୟତି ଭଳି ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାରେ ସିସିଟିଭି ବହୁ ସହାୟକ ହେବ। କେବଳ ସେତିକି ନୁହେଁ, ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ରୋଡ୍ ରୋମିଓ ଏବଂ ସ୍ପିଡ୍ ରାଇଡର୍ ମଧ୍ୟ ସାବାଡ ହେବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଦୀର୍ଘ ଦିନ ହେଲା ଏଥିପାଇଁ ଲୋକେ ଦାବି କରିଆସୁଥିବା ବେଳେ ପୌରପରିଷଦ ପକ୍ଷରୁ ଏବେ ଏହାର କାମ ଆରମ୍ଭ ହୋଇଛି। ପ୍ରାୟ ୩୩ ଲକ୍ଷ ଟଙ୍କା ବ୍ୟୟରେ ସହରର ୧୨ଟି ସ୍ଥାନରେ ୩୬ କ୍ୟାମେରା ଖଞ୍ଜାଯାଇଥିବା ବେଳେ ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ନିତାନ୍ତ ଆବଶ୍ୟକ ସ୍ଥାନରେ କ୍ୟାମେରା ଲଗାଯାଇଛି ଏବଂ ଆଗାମି ଦିନରେ ଆହୁରି ଅଧିକ ସ୍ଥାନରେ କ୍ୟାମେରା ଲଗାଯିବ ବୋଲି ପୌରାଧ୍ୟକ୍ଷା ନିର୍ମଳା ସେଠୀ କହିଛନ୍ତି।
ଶାନ୍ତିପ୍ରିୟ ପାରଳାଖେମୁଣ୍ଡି ସହରରେ ଗତ କିଛି ବର୍ଷ ହେଲା ଚୋରି, ଡକାୟତି ଭଳି ଅପରାଧିକ ମାମଲା ବୃଦ୍ଧି ପାଇଛି। ଯଦିଓ ପୋଲିସ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରୁଛି ତଥାପି ଅନେକ ସମୟରେ ପୋଲିସକୁ ଚକମା ଦେବାରେ ଅପରାଧିମାନେ ସକ୍ଷମ ହେଉଛନ୍ତି। ଏଭଳି ସ୍ଥିତିରେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣିବା ସହ ଆତଙ୍କିତ ହୋଇପଡିଥିଲେ।
ତେବେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହେଲେ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ଏବଂ ଅପରାଧିଙ୍କୁ ଧରିବାରେ ପୋଲିସକୁ ସହାୟକ ହେବ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଆହୁରି ଅଧିକ ସ୍ଥାନରେ କ୍ୟାମେରା ଲଗାଇବା ପରେ ସ୍ଥାନୀୟ ଲୋକେ ଗୁରୁତ୍ୱାରୋପ କରିଛନ୍ତି।
ଦିନେ ନିଜର କଳା, ସଂସ୍କୃତି, ପରମ୍ପରା ଓ ଶିକ୍ଷା ପାଇଁ ନାଁ କରିଥିବା ପାରଳାଖେମୁଣ୍ଡି ଗତ କିଛି ବର୍ଷ ହେଲା ଚୋରି ଡକାୟତି ଭଳି ଅପରାଧିକ ମାମଲା ପାଇଁ ଚର୍ଚ୍ଚାରେ ରହିଛି। ତେବେ ଏହାକୁ ରୋକିବା ପାଇଁ ସିସିଟିଭି ଖଞ୍ଜିବା ଭଳି ପଦକ୍ଷେପ ଗ୍ରହଣ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବିଷୟ ବୋଲି ଆଲୋଚନା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)