/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error608_1626088188.jpg)
odisha
ଖୋର୍ଦ୍ଧା: ଘର ବାହାରକୁ ଗୋରୁଗାଈ ଛାଡ଼ୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। କାହିଁକି ନା ନିମିଷକ ମଧ୍ୟରେ ଉଭାନ୍ ହୋଇପାରେ ଆପଣଙ୍କ ଗୃହପାଳିତ ପଶୁ। କାରଣ ଏବେ ରାଜ୍ୟରେ ଗୋରୁ ମାଫିଆ ମାତିଛନ୍ତି। ମଧ୍ୟ ରାତ୍ରରେ ଏହି ଗୋରୁ ମାଫିଆମାନେ ବେଧଡକ୍ ଭାବେ ସେମାନଙ୍କ ଅପରେସନ୍ ଚଳାଇଛନ୍ତି। ଏଭଳି କିଛି ଘଟଣାକୁ ନେଇ ଏକ ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି।
ଜଟଣୀ କୁଦିଆରୀ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ଏକ ପେଟ୍ରୋଲ ପମ୍ପ ପରିସରରୁ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ହଠାତ୍ ଆଖି ପିଛୁଳାକେ ଏକ ଗୋରୁଙ୍କୁ ଉଠାଇ ମାଫିଆମାନେ ଖସି ପଳାଉଛନ୍ତି। ପ୍ରତିଦିନ ଅଧ ରାତିରେ ଏଭଳି ଘଟଣା ଘଟୁଛି। ଏମାନେ ଗୋଟିଏ ଗୋଟିଏ ରାତିରେ ୪ରୁ ୫ଟି ଗୋରୁ ଉଠାଉଛନ୍ତି। ଆଉ ପ୍ରତ୍ୟେକ ଗୋରୁ ପିଛା ୩ରୁ ୫ ହଜାର ଟଙ୍କା ଲେଖାଏ ବିକ୍ରି କରି ମାଲାମାଲ୍ ହେଉଛନ୍ତି।
ଏହି ମାଫିଆମାନେ ରାତି ଅଧରେ ହଡ଼ପ୍ କରୁଥିବା ଗୋରୁମାନଙ୍କୁ ସିଧା ନେଇ ଆନ୍ତଃରାଜ୍ୟ ଗୋଚାଲାଣକାରୀଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। କୌଣସି ଅଜଣା ଜଙ୍ଗଲ ଭିତରେ ଗୋରୁମାନଙ୍କୁ ରଖି ବଡ଼ ବଡ଼ କଣ୍ଟେନରରେ ଅତି ଦୟନୀୟ ଭାବେ ଭର୍ତ୍ତି କରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଏଭଳି କିଛି ଚିତ୍ର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଠି ଗୋରୁ ମାନଙ୍କୁ ଅତି ନିର୍ଦ୍ଦୟ ଅବସ୍ଥାରେ ରଖାଯାଇଥିବା ନଜର ଆସିଛି। କାହାର ମୁହଁ ତ କାହାର ଶିଙ୍ଗ ପୁଣି କାହାର ଲାଞ୍ଜକୁ ଏମିତି ବନ୍ଧା ଯାଇଛି ଯେ, କୌଣସି ଯମ ଯନ୍ତ୍ରଣାଠୁ ବି କମ୍ ନୁହେଁ। ଏମିତି ଅବସ୍ଥାରେ ଶହ ଶହ କିଲୋମିଟର ସେମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି।
ସେପଟେ ଗୋପାଳନକାରୀ ସେମାନଙ୍କର ଗୋରୁଙ୍କୁ ହରାଇ କ୍ଷତିଗ୍ରସ୍ତ ହେଉଛନ୍ତି। ଏହ ଗୋରୁ ମାଫିଆଙ୍କୁ ଧରିବାକୁ ନା ପୁଲିସ୍ ନା ପ୍ରାଣୀ ସମ୍ପଦ ବିଭାଗ କାହାରି ବି ଆଦୌ ନିଘା ନ ଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ବେଗୁନିଆ, ବୋଲଗଡ଼ ଅଞ୍ଚଳରେ ଏଭଳି ବେଧଡକ୍ ଗୋଚାଲାଣ ଚାଲିଥିଲେ ବି ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ଫଳରେ ଏଠାକାର ଗୋ ସମ୍ପଦ ଏକ ପ୍ରକାର ବିପଦରେ ପଡ଼ିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)