Capture 16
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତିକୁ ସରକାରଙ୍କ ଏକ ଐତିହାସିକ ଭୁଲ୍ କହିଲା ଓଷ୍ଟା । ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି କଲା ସଂଘ । ଅଫ୍ଲାଇନ୍ ପରୀକ୍ଷାରୁ ମୂଲ୍ୟାୟନ କରିବା ଉପରେ ଏବେ ମତ ରଖିଛି ଓଷ୍ଟା । ଘୋଷିତ ଏବଂ ଅଫ୍ଲାଇନ୍ ମାର୍କରୁ ଯେଉଁଟି ଅଧିକ ରହିବ ତାକୁ ଚୂଡାନ୍ତ ଧରାଯାଉ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ନାମଲେଖା ପାଇଁ କଲେଜଗୁଡ଼ିକୁ ନିଜ ମେରିଟ୍ ଲିଷ୍ଟ ପ୍ରସ୍ତୁତି କରିବାକୁ ସମ୍ପୂର୍ଣ୍ଣ ସୁଯୋଗ ଦିଆଯାଉ । ଏହାସହ ଏଣ୍ଟରାନ୍ସ କରାଇ ମେରିଟ୍ ଲିଷ୍ଟ ପ୍ରସ୍ତୁତି କରିବାକୁ ମଧ୍ୟ କଲେଜଗୁଡ଼ିକୁ ସୁଯୋଗ ଦିଆଯାଉ ବୋଲି ଓଷ୍ଟା ପକ୍ଷରୁ ମତ ପ୍ରକାଶ ପାଇଛି ।
ଅନ୍ୟପଟେ ମାଟ୍ରିକ ମୂଲ୍ୟାୟନକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିବା ପରେ ଏହି ପ୍ରସଙ୍ଗରେ ଆଜି ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ବୋର୍ଡ ସଭାପତି ଓ ଉପସଭାପତି ଆଜି ପ୍ରେସ୍ମିଟ୍ କରି କହିଛନ୍ତି, ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡ ୱେବସାଇଟରେ ଥିଲା । ମୂଲ୍ୟାୟନ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ହୋଇଛି । ଏହାକୁ ତର୍ଜମା କରିଥିଲା ସ୍ୱତନ୍ତ୍ର କୋର କମିଟି । ୪ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଇ କରାଯାଇଛି ମୂଲ୍ୟାୟନ । ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିଲା । CBSE ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଉଚ୍ଚ ପାସ୍ ହାର ସଂପର୍କରେ କୁହାଯାଇଛି ଯେ, ଗତ ବର୍ଷ ତୁଳନାରେ A-1ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି A-2ରେ ତିନିଗୁଣାରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିଭଳି ମାଟ୍ରିକ ପରୀକ୍ଷାଫଳ ନେଇ ଅସନ୍ତୁଷ୍ଟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବାକୁ ସୁଯୋଗ ରହିଛି । ଜୁଲାଇ ମାସରେ ଅଫଲାଇନ୍ରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏଥିଲାଗି ଜୁଲାଇ ୫ରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । ୧୦ ଦିନ ଭିତରେ ଫର୍ମ ଫିଲଅପ୍ ଶେଷ କରିବା ଲାଗି ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହାପରେ ପରୀକ୍ଷା କରି ଫଳ ପ୍ରକାଶ କରାଯିବ ବୋଲି ବର୍ଡ କହିଛି । ଏଥିରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ୨ରେ ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ସଭାପତି ସ୍ପଷ୍ଟ ଭାବେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-16-1_1625468169.jpg)