winter
ସୋନପୁର /ବାଲିଗୁଡ଼ା/ବଣାଇ : ୫ ଦିନ ପରେ ପୁଣି ରାଜ୍ୟକୁ ଫେରିଛି ହାଡ଼ଥରା ଜାଡ଼ । ୧୦ ଡ଼ିଗ୍ରୀ ତଳକୁ ଖସିଛି ୧୩ଟି ସହରର ତାପମାତ୍ରା। ସୋନପୁର ପୁଣି ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଥିବାବେଳେ ବଣାଇ ଓ ଦାରିଙ୍ଗିବାଡ଼ିରେ ବି ଅସହ୍ୟ କରୁଛି ଶୀତ।
ପାଣିପାଗ ବିଭାଗ କହିଛି ଆସନ୍ତା ୫ଦିନ ଯାଏଁ ତାପମାତ୍ରା ସବୁଆଡେ ପ୍ରାୟ ସମାନ ରହିବ । ତେଣେ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନ ଉପରେ କୋରଡ଼ା ମାଡ଼ ସଦୃଶ ହେବ ।
ବର୍ଷା ଛାଡୁ ଛାଡୁ ବାଘ ଭଳି ଲେଉଟିଛି ଜାଡ଼। ସିଧା ଜନଜୀବନ ଉପରକୁ କରୁଛି ମାଡ଼। ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଚିତ ସୋନପୁରରେ ହାଡ଼ ଥରାଇ ଦେଉଛି ଥଣ୍ଡା । ବାହାରେ ଗରମ ଚା, ନହେଲେ ନିଆଁ ପାଲଟିଛି ସାହା। କୁହୁଡ଼ି ଏମିତି ଯେ, ମୁହଁକୁ ମୁହଁ ଦିଶୁନି ।
ଦିନ ୧୦ଟା ଯାଏଁ ସୂର୍ଯ୍ୟ କିରଣଙ୍କୁ ବାଟ ଛାଡୁନି । ଦିନ ୪ଟା ବାଜିଗଲେ ମାଡ଼ି ଆସୁଛି କୋହଲା ପବନ । ଅତି ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରୁ ନାହାନ୍ତି। ସମାନ ଅବସ୍ଥା ସୁନ୍ଦରଗଡ଼ର ବଣାଇ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ। ଏଠି କେତେକ ସ୍ଥାନରେ ରାତିରେ ତୁଷାରପାତ ଭଳି ସ୍ଥିତି ଦେଖିବାକୁ ମିଳିଛି। ଜାଡ଼ ସାଙ୍ଗକୁ କୁହୁଡ଼ି ଯେମିତି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ , ରାଜ୍ୟର ୧୩ଟି ସହରରେ ୧୦ ଡ଼ିଗ୍ରୀ ତଳକୁ ଖସିଛି ପାରଦ । ୪ ଦଶମିକ ୮ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ପାଲଟିଥିଲା ସୋନପୁର। ଫୁଲବାଣୀରେ ୫, ଅନୁଗୁଳରେ ୬, ଟିଟିଲାଗଡ଼ରେ ୬ ଦଶମିକ ୫, ଦାରିଂବାଡ଼ିରେ ୭ ଦଶମିକ ୨ ଓ ଝାରସୁଗୁଡ଼ାରେ ୮.୪ ଡିଗ୍ରୀ ରହିଥିଲା ସର୍ବନିମ୍ନ ତାପମାତ୍ରା ।
ଆସନ୍ତା ୨୪ ଘଣ୍ଟା ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଜାଡ଼ର ବି ପୂର୍ବାନୁମାନ କରିଛି। ଅନୁଗଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ରହିଛିା ତେବେ ଭବାନୀପାଟଣା, ସୁନ୍ଦରଗଡ଼, କୋରାପୁଟ, ଫୁଲବାଣୀ ଏବଂ ଅନୁଗୁଳରେ ଘନ କୁହୁଡ଼ି ଲାଗି ରହିପାରେ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା ନଥିବାରୁ ଆହୁରି କଲବଲ କରିବ ଶୀତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/winter-1_1626689850.jpg)