Advertisment

Elder Brother Masterminds Contract Killing: ଭାଇ ସାଜିଲା ଭଗାରୀ, ସୁପାରି ଦେଇ ସାନଭାଇକୁ ହତ୍ୟା; ମାସେ ପରେ ହୋଇଥାନ୍ତା ବାହାଘର

ଭାଇ ସାଜିଲା ଭଗାରୀ, ସାନଭାଇକୁ ମର୍ଡର ପାଇଁ ସୁପାରି। ତୁଷରା ହତ୍ୟା ମାମଲାରେ ବଲାଙ୍ଗିର ଏସପିଙ୍କ ଖୁଲାସା। ବିବାହର ମାସେ ଆଗରୁ ବ୍ୟାବସାୟିକ ଶତ୍ରୁତାରୁ ସାନ ଭାଇକୁ ହତ୍ୟା। ମୃତକଙ୍କ ବନ୍ଧୁ ଓ ୬ ସୁପାରି କିଲରଙ୍କ ସହ ୮ ଜଣ ଆରେଷ୍ଟ।

author-image
Pramod Behera
Elder Brother Masterminds Contract Killing

ଭାଇ ସାଜିଲା ଭଗାରୀ, ସୁପାରି ଦେଇ ସାନଭାଇକୁ ହତ୍ୟା Photograph: (OTV)

ଭାଇ ସାଜିଲା ଭଗାରୀ, ବନ୍ଧୁ ବନିଗଲା ବଇରୀ। ସମ୍ପତ୍ତି ଓ ବ୍ୟାବସାୟିକ ଶତ୍ରୁତା ପାଇଁ ସାନଭାଇକୁ ତା’ର ଅନ୍ତରଙ୍ଗ ବନ୍ଧୁ ସହାୟତାରେ ସୁପାରୀ ଦେଇ କେମିତି ହତ୍ୟା କଲା ବଡ଼ଭାଇ, ଖୁଲାସା କରିଛି ବଲାଙ୍ଗିର ପୋଲିସ। ପୂର୍ବରୁ କୁହାଯାଉଥିଲା ଆତ୍ମହତ୍ୟା।କିନ୍ତୁ ମୃତକଙ୍କ ଭାବି ପତ୍ନୀ ଏହାକୁ ହତ୍ୟା ବୋଲି ଆଶଙ୍କା କରୁଥିଲେ। 

Advertisment

ଶେଷରେ ପୋଲିସ ତଥ୍ୟ ପ୍ରମାଣ ପାଇବା ପରେ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରି ବଡ଼ଭାଇ ସହ ୮ ଜଣଙ୍କୁ ବାନ୍ଧିଛି। ବଲାଙ୍ଗିର ତୁଷରା ଅଞ୍ଚଳରେ ଫିଲ୍ମ ଷ୍ଟାଇଲରେ କେମିତି ସଂଘଟିତ ହୋଇଥିଲା ଅପରାଧ, ଆସନ୍ତୁ ଜାଣିବା।

ସୂଚନା ମୁତାବକ ଜାନୁୟାରୀ ୨ ତାରିଖ ରାତି। ବ୍ରିଜ୍ ଉପରୁ ଡେଇଁ ସାନଭାଇର ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଥାନାରେ କେମିତି ଅଭିଯୋଗ କରିଥିଲା ବଡ଼ଭାଇ, ଆଉ ଶେଷରେ ଆତ୍ମହତ୍ୟା କେମିତି ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହେଲା, ତା’ର ଖୁଲାସା କରିଛନ୍ତି ବଲାଙ୍ଗିର ଏସପି। ୮ ଜଣ ହେଉଛି ସେହି ଖୁନୀ ଖେଳର ଜଣେ ଜଣେ କାର୍ପଟଦାର୍। 

Advertisment

ଜାନୁୟାରୀ ୨ରେ ନଟରାଜ ଥନାପତି ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ବଡ଼ଭାଇ ନବକୁମାର ଥନାପତି, ନଟରାଜର ଅନ୍ତରଙ୍ଗ ବନ୍ଧୁ କ୍ଷେତ୍ରମୋହନ ସୁନା ସହ ବନ୍ଧା ହୋଇଛନ୍ତି ୮ ଜଣ। ମୁଖା ଖୋଲିଛି ଭଗାରୀ ଭାଇର ଖୁନୀ ଚେହେରା, ଖୁଲାସା ହୋଇଛି ବନ୍ଧୁର ବେଇମାନ କାହାଣୀ। 

ବଡ଼ଭାଇ ନବକୁମାର ଏବଂ ସାନଭାଇ ନଟରାଜ ତୁଷରା ଥାନା ଦେଉଳଗୁଡ଼ି ଗାଁରେ ଏକ ବିରାଟ ତେଜରାତି ଦୋକାନ କରିଥିଲେ। କିନ୍ତୁ ହୁକୁମାତି ଦେଖାଇ ସାନଭାଇଙ୍କୁ ଦିନ ମଜୁରିଆ ଭାବେ ଦିନକୁ ୨ଶହ ଟଙ୍କା ଦେଇଆସୁଥିଲା ବଡ଼ଭାଇ। ତଥାପି ନା ବାପା,ମା’ଙ୍କ ଦାୟିତ୍ବ ନେଉଥିଲା ବଡ଼ଭାଇ, ନା ପରିବାରର ସୁଖଦୁଃଖ ବୁଝୁଥିଲା। ତେଣୁ ବଡ଼ ଭାଇଠାରୁ ଅଲଗା ହୋଇ, ନିଜ ଗାଁରେ ହିଁ ଆଉ ଏକ ଛୋଟିଆ ତେଜରାତି ଦୋକାନ କରିଥିଲେ ନଟରାଜ। 

ସେପଟେ ବ୍ୟବସାୟ ଘାଟା ହେବାରୁ ସାନଭାଇକୁ ରାସ୍ତାରୁ ହଟାଇବା ପାଇଁ ବଡ଼ଭାଇ ତିଆରି କଲା ମର୍ଡର ପ୍ଳଟ୍। ସାନଭାଇ ନଟରାଜର ଅନ୍ତରଙ୍ଗ ବନ୍ଧୁ କ୍ଷେତ୍ରମୋହନ ସହାୟତାରେ ଯୋଗାଡ଼ ହୋଇଥିଲେ ସୁପାରୀ କିଲର୍। ୬୦ ହଜାର ଟଙ୍କା ଅଗ୍ରୀମ ନେଇ କ୍ଷେତ୍ରମୋହନ ହିଁ ଆଣିଥିଲା ୬ ସୁପାରୀ କିଲର୍। ଯୋଜନା ମୁତାବକ ସାଙ୍ଗ ନଟରାଜଙ୍କୁ ନାନା ଆଳ କରି ତୁଷରା ନିକଟ ତେଲନଦୀ ବ୍ରିଜ୍ ପାଖକୁ ରାତିରେ ନେଇଯାଇଥିଲା କ୍ଷେତ୍ରମୋହନ। ସେଠାରେ ନାଲି ରଙ୍ଗର ବୋଲେରୋ ଧରି ପହଞ୍ଚିଥିଲେ ୬ ସୁପାରୀ କିଲର। 

ପ୍ରଥମେ ଯୋଜନା କରିଥିଲେ ବୋଲେରୋକୁ ଧକ୍କା କରି ହତ୍ୟା କରିଥାନ୍ତେ। କିନ୍ତୁ ନିଜର କ୍ଷତି ଆଶଙ୍କା କରି ବ୍ରିଜ୍ ଉପରୁ ହିଁ ୭ ଜଣ ମିଶି ଠେଲିଦେଲେ ତଳକୁ। ଯେଉଁଠି ପଡ଼ି ପ୍ରାଣ ହରାଇଥିଲେ ନଟରାଜ। ଏହାପରେ ବଡ଼ଭାଇ ଥାନାକୁ ଯାଇ ସାନଭାଇ ଆତ୍ମହତ୍ୟା କରିଥିବା ଦର୍ଶାଇ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ ସାନଭାଇଙ୍କ ଭାବିପତ୍ନୀ ଆଶଙ୍କା କରିଆସୁଥିଲେ ହତ୍ୟା ବୋଲି। ଶେଷରେ ସେହି ଆଧାରରେ ତଦନ୍ତ ପରେ ସାମ୍ନାକୁ ଆସିଲା ସତ। ସମ୍ପତ୍ତି ଓ ବ୍ୟାବସାୟିକ ଶତ୍ରୁତାରୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ବି କରିଥିଲା ଖୁଲାସା। 

ମାସେ ପରେ ଅର୍ଥାତ ଫେବ୍ରୁୟାରୀ ୫ରେ ହୋଇଥାନ୍ତା ନଟରାଜଙ୍କ ବାହାଘର। କାର୍ଡ ବି ଛପା ସରିଥିଲା, ବନ୍ଧୁ କୁଟୁମ୍ବଙ୍କୁ ନିମନ୍ତ୍ରଣ ବି କରାଯାଉଥିଲା। କିନ୍ତୁ ଦୁର୍ଭାଗ୍ୟ ବାପା ସମାନ ବଡ଼ଭାଇ ସାଜିଲା ଭଗାରୀ, ବନ୍ଧୁ ବି ବନିଗଲା ବଇରୀ। 

property dispute murder Bolangir Murder Odisha Crime
Advertisment
Advertisment