Advertisment

Severe Winter Weather: ମାଘରେ ବାଘୁଆ ଜାଡ଼; ଶୀତରେ ଥରହର ସାରା ଓଡ଼ିଶା, ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ

ମାଘରେ ବାଘୁଆ ଜାଡ଼। ଶୀତରେ ଥରହର ସାରା ଓଡ଼ିଶା। ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। କେଉଁଠି ତୁଷାରପାତ ତ ଆଉ କେଉଁଠି କଲକଲ କରୁଛି ଘନ କୁହୁଡ଼ି। ଶିମିଳିପାଳରେ ପାରଦ ଶୂନ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାକୁ ଘାଇଲା କରୁଛି ଶୀତ।

author-image
Pramod Behera
Biting Cold Wave Sweeps Odisha

ମାଘୁଆ ଜାଡ଼ରେ ଓଡ଼ିଶା ଥରହର, ଶିମିଳିପାଳରେ ଶୂନ ତଳକୁ ଖସିଲା ପାରଦ Photograph: (OTV)

ମାଘରେ ବାଘୁଆ ଜାଡ଼। ଶୀତରେ ଥରହର ସାରା ଓଡ଼ିଶା। ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। କେଉଁଠି ତୁଷାରପାତ ତ ଆଉ କେଉଁଠି କଲକଲ କରୁଛି ଘନ କୁହୁଡ଼ି। ଶିମିଳିପାଳରେ ପାରଦ ଶୂନ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାକୁ ଘାଇଲା କରୁଛି ଶୀତ। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀକୁ ଖସିଥିବା ବେଳେ ଏବେ ୨୩ ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୩ ଦିନ ଯାଏ ଜାରି ରହିବ ପ୍ରବଳ ଶୀତ ଲହରି। 

Advertisment

ହାଡ଼ ଭାଙ୍ଗୁଛି ମାଘୁଆ ଜାଡ଼। ଶୀତର ଥାର୍ଡ ଡିଗ୍ରୀରେ ତ୍ରାହି ତ୍ରାହି ଡାକୁଛି ଓଡ଼ିଶା। ଶିମିଳିପାଳରୁ ସେମିଳିଗୁଡ଼ା। କନ୍ଧମାଳରୁ କେନ୍ଦୁଝର। ପୁଣି ବଲାଙ୍ଗିରରୁ ବାଲେଶ୍ବର। ସବୁଠି ଥରାଇ ଦେଉଛି ଅସମ୍ଭାଳ ଜାଡ଼। କେଉଁଠି ତୁଷାରପାତର ତ କେଉଁଠି ଥଣ୍ଡା ମାଡ଼ରେ ସନ୍ଧ୍ୟା ହେବା କ୍ଷଣି ଶୂନଶାନ ହୋଇ ଯାଉଛି ରାସ୍ତାଘାଟ। ସକାଳ ୯ଟା ନହେଲେ ଘରୁ ବାହାରି ହେଉନି। ଶୂନ ହୋଇଗଲା ଶିମିଳିପାଳରେ ପାରଦ। 

ବୁଧବାର ଉପର ବାରକାମୁଡ଼ାରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୋଇଡ଼ାରେ ଦୁଇ ଦିନ ହେବ ପ୍ରବଳ ତୁଷାରପାତ ହେଉଛି। ସକାଳୁ ସକାଳୁ ଗାଡ଼ି କାଚ, ଗଛପତ୍ରରେ ଦେଖିବାକୁ ମିଳିଛି ବରଫର ହାଲୁକା ଆସ୍ତରଣ। 

Advertisment

ଉପକୂଳରୁ ପଶ୍ଚିମ, ପୁଣି ଉତ୍ତରରୁ ଦକ୍ଷିଣ ସବୁଠି ଥଣ୍ଡାର ରାଜ୍। ବର୍ତ୍ତମାନ ୨୩ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। କନ୍ଧମାଳ ଜିଲ୍ଲାକୁ ଥରହର କରୁଛି ହାଡ଼ଭଙ୍ଗା ଶୀତ। ୩ ଡିଗ୍ରୀରେ ଥରିଲା ଜି. ଉଦୟଗିରି। ଗତ ୨୪ ଘଣ୍ଟାରେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା। କୋରାପୁଟର ସେମିଳିଗୁଡ଼ାରେ ୪.୧, ଫୁଲବାଣୀ ୫, ରାଉରକେଲା ୫.୧ ଡିଗ୍ରୀ, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୫.୪ ଡିଗ୍ରୀ ସେଲସିୟସ୍। 

ସେହିପରି ମଙ୍ଗଳବାର ଝାରସୁଗୁଡ଼ାରେ ଶୀତ ୭୨ ବର୍ଷରେ ରେକର୍ଡ ଭାଙ୍ଗିଥିଲା। ସେହିପରି କଟକରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ୧୦ ଡିଗ୍ରୀରେ ଥରିଲା ରାଜଧାନୀ ଭୁବନେଶ୍ୱର। ଗତ ୩ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୫-୭ ଡିଗ୍ରୀ ଯାଏଁ ଖସିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଆହୁରି ବଢ଼ିବ ଜାଡ଼। ୩ ଦିନ ରାତି ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ଯାଏଁ ହ୍ରାସ ପାଇପାରେ।

ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି। ଶୀତ ଭିତରେ ଛନକା ବଢ଼ାଇଛି ବଙ୍ଗୋପସାଗରରେ ସକ୍ରିୟ ଅବପାତ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବିଷୁବରେଖା ନିକଟସ୍ଥ ପୂର୍ବ ଭାରତ ମହାସାଗର ଅଞ୍ଚଳରେ ଏବେ ଅବପାତ ସକ୍ରିୟ ରହିଛି।

Severe Cold Wave Weather Alert Odisha Cold Wave
Advertisment
Advertisment