Advertisment

ସେବାୟତଙ୍କ ପାଇଁ ବାୟୋ-ବବଲ୍ ବ୍ୟବସ୍ଥା

ବାୟୋ ବବଲ୍ ବା ଜୈବ ଫୋଟକାର ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ। ରଥ କାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ଉଦ୍ୟମ ହେଉଛି।

ସେବାୟତଙ୍କ ପାଇଁ ବାୟୋ-ବବଲ୍ ବ୍ୟବସ୍ଥା

Ratha

Advertisment
  • ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ପାଇଁ ବାୟୋ-ବବଲ୍ ବ୍ୟବସ୍ଥା
  • ୮ ସେବାୟତ କରୋନା ପଜିଟିଭ୍ ହେବା ପରେ ନିଷ୍ପତ୍ତି
  • ରଥଖଳାରେ ପ୍ରବେଶ ଉପରେ ଲାଗିବ କଡ଼ା କଟକଣା
  • ପ୍ରତିଦିନ ରଥକାମର ସମୀକ୍ଷା କରିବେ ପୁରୀ ଜିଲ୍ଲାପାଳ
Advertisment

ପୁରୀ: ବାୟୋ ବବଲ୍ ବା ଜୈବ ଫୋଟକାର ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ। ରଥ କାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ଉଦ୍ୟମ ହେଉଛି। ରଥ ନିର୍ମାଣ କାମର ସମୀକ୍ଷା ବୈଠକ ଶେଷରେ ଏଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହା ଭିତରେ ରଥଖଳାରେ ନିୟୋଜିତ ୮ ଜଣ ସେବାୟତ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେବା ସହ ସବୁ ସେବାୟତଙ୍କ ଟେଷ୍ଟିଂ, ଟିକାକରଣ କରାଯିବା ସହ ଏନ୍-୯୫ ମାସ୍କ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ରଥନିର୍ମାଣରେ ସଂପୃକ୍ତ ସେବାୟତଙ୍କ ପାଇଁ ହେବ ବାୟୋ ବବଲ୍। କରୋନା ପାଇଁ ଅଭେଦ୍ୟ ଜୈବ ଫୋଟକା ହେବ ତିଆରି। ସେବାୟତଙ୍କୁ ରଥ କାମ ବେଳେ ଘେରି ରହିବ ଅଦୃଶ୍ୟ କବଚ। କଡ଼ା କୋଭିଡ୍ କଟକଣା ଭିତରେ ରଥଖଳାରେ ଏବେ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆଗେଇ ଚାଲିଛି। ହେଲେ ସଂକ୍ରମଣକୁ କିନ୍ତୁ ରୋକାଯାଇପାରିନି। ରଥଖଳାରେ ନିୟୋଜିତ ୮୮ ଜଣ ସେବାୟତଙ୍କ ଭିତରୁ ୮ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ରହିଛିନ୍ତି। ବଡ଼କଥା ହେଉଛି ଏମାନେ ସମସ୍ତେ ସଙ୍ଗରୋଧରେ ଥାଇ କାମ କରୁଥିଲେ ବି ସଂକ୍ରମଣରୁ ବର୍ତ୍ତିପାରିନାହାନ୍ତି।

Advertisment

ଏପରିକି ଦୁଇ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ସହ ଜଣେ ଜେଟିପିଙ୍କୁ ମିଶାଇ କରୋନାର ଦ୍ୱିତୀୟ ଲହର ୫ ଜଣଙ୍କ ଜୀବନ ବି ନେଇସାଲିଲାଣି। ତେଣୁ ଏଭଳି ସ୍ଥିତିରେ ସେବାୟତଙ୍କ ସୁରକ୍ଷା ଓ ନିର୍ବିଘ୍ନ ରଥ ନିର୍ମାଣ କାର୍ଯ୍ୟ ପାଇଁ ବାୟୋବବଲର ବ୍ୟବସ୍ଥା ଲାଗି ଉଦ୍ୟମ ହେଉଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥ ନିର୍ମାଣ କାମ ନେଇ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ଟେଷ୍ଟିଂ, ଟିକାକରଣକୁ ଗୁରୁତ୍ୱ ଦିଆଯିବା ସହ ରଥଖଳାରେ କାମ କରୁଥିବା ସବୁ ସେବାୟତଙ୍କୁ ଏନ୍-95 ମାସ୍କ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଜିଲ୍ଲାପାଳଙ୍କୁ ପ୍ରତିଦିନ ରଥକାମର ସମୀକ୍ଷା କରିବାକୁ କୁହାଯାଇଛି।

ସଂକ୍ରମଣ ବଢୁଥିବାରୁ ରଥଖଳା ଭିତରକୁ ରଥକାମରେ ସଂପୃକ୍ତ ସେବାୟତଙ୍କ ବ୍ୟତିତ ଅନ୍ୟ ସମସ୍ତଙ୍କ ଉପରେ ପ୍ରବେଶ କଟକଣା ଲଗାଯାଇଛି। ନୀଳାଦ୍ରି ଭକ୍ତ ନିବାସରେ ସଙ୍ଗରୋଧରେ ଥିବା ସେବାୟତଙ୍କ କୋଠରୀଗୁଡ଼ିକୁ ବିଶୋଧନ କରାଯାଉଛି। ସନ୍ଦିଗ୍ଧ ସେବାୟତଙ୍କ ଟେଷ୍ଟ କରାଯାଇ ପ୍ରଥମେ ସେମାନଙ୍କୁ ଗୁଣ୍ଡିଚା ଭକ୍ତ ନିବାସରେ ରଖାଯାଉଛି, ନେଗେଟିଭ୍ ଥିଲେ ପୁଣି ନୀଳାଦ୍ରୀ ଭକ୍ତ ନିବାସକୁ ନିଆଯାଉଛି, ପଜିଟିଭ୍ ଥିଲେ ନୀଳାଚଳ ଭକ୍ତ ନିବାସରେ ରଖାଯାଇ ଚିକିତ୍ସା କରାଯାଉଛି। ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଆଜି ରଥଖଳାକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଦେଖିବା ସହ ସେବାୟତଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିଛନ୍ତି। କୋଭିଡ୍ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିଲେ ବି ମହାପ୍ରଭୁଙ୍କ ରଥଯାତ୍ରା ଓ ରଥନିର୍ମାଣ କାର୍ଯ୍ୟ ପରମ୍ପରା ଓ ରଥସଂହିତା ଅନୁଯାୟୀ କରିବା ଲକ୍ଷ୍ୟରେ ଅଛି ପ୍ରଶାସନ।

Advertisment

ଆଇପିଏଲ୍ ଟି-ଟ୍ୱେଣ୍ଟିରେ ବାୟୋବବଲ୍ ସୁରକ୍ଷା କଥା ସାମ୍ନାକୁ ଆସିଥିଲା ବେଳେ ଏବେ ରଥ ନିର୍ମାଣରେ ବାୟୋବବଲ୍ କଥା ଉଠିଛି। ତେବେ କଣ ଏହି ବାୟୋ ବବଲ୍ ? ଏହାର ଅର୍ଥ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଚାରିପଟେ ଏଭଳି ସୁରକ୍ଷିତ ବଳୟ ବା ଅଦୃଶ୍ୟ କବଚ ସୃଷ୍ଟି କରିବା, ଯେଉଁଠିକୁ କି ସଂକ୍ରମଣ ଭେଦ କରିପାରିବ ନାହିଁ। ଯେଉଁମାନେ ସେହି ବଳୟ ଭିତରେ ରହିବେ ସେମାନଙ୍କ ପାଇଁ ଥିବା ଏସ୍ଓପିକୁ କଡ଼ାକଡ଼ି ଅନୁସରଣ କରିବାକୁ ପଡିବ। ସେମାନେ ସଂକ୍ରମଣରୁ ବର୍ତ୍ତିବାକୁ ଘରକୁ ଯାଇପାରିବେନି, ପରିବାର ଲୋକ କିମ୍ବା ଅନ୍ୟ କାହାରି ସଂସ୍ପର୍ଷରେ ଆସିପାରିବେନି।

ପୁରୀରୁ ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ

Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ