/odishatv-khabar/media/media_files/2026/02/01/police-nab-20-members-bengal-gang-2026-02-01-20-19-13.jpg)
ଓଡ଼ିଶାରୁ ଚୋରି, ପଶ୍ଚିମବଙ୍ଗ ପାଇଁ କରୁଥିଲେ କି ଗୁପ୍ତଚରୀ? Photograph: (OTV)
ସାଙ୍ଘାତିକ ଅପରାଧୀ। ଦିନରେ ଫେରି, ରାତିରେ ଚୋରି। ଓଡ଼ିଶା ଆସି ନିଦ ହଜାଉଥିଲେ ୨୦ ଜଣିଆ ବଙ୍ଗୀୟ ଚୋର ଗ୍ୟାଙ୍ଗ। ଲୁଟିନେଉଥିଲେ ମୋବାଇଲ୍ ସହ କମ୍ପ୍ୟୁଟର, ଅଳଙ୍କାର ଓ ବାଇକ୍। ଶେଷରେ ସେହି ଆନ୍ତଃରାଜ୍ୟ ଚୋର ଦଳକୁ ଭଞ୍ଜନଗର ପୋଲିସ ବାନ୍ଧିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ମୋବାଇଲ୍ ଓ କମ୍ପ୍ୟୁଟର ଲୁଟୁଥିଲେ, ତା’ଭିତରୁ ଗୁପ୍ତ ତଥ୍ୟ ହାତୋଉଥିଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଏହି କୁଖ୍ୟାତ ଗ୍ୟାଙ୍ଗ ସଦସ୍ୟ। ତେବେ କାହିଁକି ? ଗଞ୍ଜାମ ଗ୍ରାମାଞ୍ଚଳରୁ ଚୋରି ଆଳରେ ଚଳାଇଥିଲେ କି ଗୁପ୍ତଚରୀ ? ଏଭଳି ଆଶଙ୍କା ପରେ ପୋଲିସ ରିମାଣ୍ଡରେ ନେଇ ତଥ୍ୟ ଉଗାରିବାକୁ ଚିନ୍ତା କରୁଛି।.
ଭଳିକି ଭଳି ମୋବାଇଲ, ରହିଛି ନାମୀ ଦାମୀ ବ୍ରାଣ୍ଡର। ଆପଣ ଯେଉଁ ବ୍ରାଣ୍ଡର ଖୋଜିବେ ପ୍ରାୟତଃ ସେହି ବ୍ରାଣ୍ଡର ମୋବାଇଲ୍ ପାଇବେ। କେବଳ କ’ଣ ମୋବାଇଲ୍, ପାଦରୁ ମୁଣ୍ଡ ଯାଏଁ ବ୍ୟବହାର ହେଉଥିବା ଗହଣାଗାଣ୍ଠି ବି ରହିଛି ଏଠାରେ। ଭାବୁଥିବେ ଏହା କୌଣସି ପ୍ରଦର୍ଶନୀ କି ମେଳା ଲାଗିଛି। କିନ୍ତୁ ସେଭଳି କିଛି ନୁହେଁ। ବରଂ ଭଞ୍ଜନଗର ପୋଲିସ ଏସବୁକୁ ଜବତ କରିଛି ସାରା ଗଞ୍ଜାମ ଜିଲ୍ଲାରେ ଆତଙ୍କ ଖେଳାଇ ଆସୁଥିବା ଆନ୍ତଃରାଜ୍ୟ ଚୋର ଗ୍ୟାଙ୍କ ଠାରୁ। ଜବତ ତାଲିକା ଏତିକିରେ ସରିନି। ପୁଳା ପୁଳା ବ୍ୟାଟେରୀ, ମଦର୍ ବୋର୍ଡ, ଟାବଲେଟ୍ ସହ ଗାଡ଼ିର ନକଲି ନମ୍ବର ପ୍ଲେଟ୍ ବି ରହିଛି। ପୋଲିସର କହିବା କଥା, ଏଭଳି ଭାବେ ହଜାରେରୁ ଅଧିକ ମୋବାଇଲ୍, ୧୨ଶହରୁ ଅଧିକ ବ୍ୟାଟେରୀ, ୫ କେଜିରୁ ଅଧିକ ବ୍ରୋଞ୍ଜ ନିର୍ମିତ ଗହଣା ସହ ୧୩ଟି ବାଇକ୍ ଆଦି ଜବତ କରାଯାଇଛି।
ହୁଏତ ଆପଣଙ୍କ ଅଞ୍ଚଳକୁ ବି ଏମାନେ ଯାଇଥାଇପାରନ୍ତି। ଫେରିବାଲା ରୂପରେ ହୁଏତ ଆପଣଙ୍କୁ ବି କିଛି ସାମଗ୍ରୀ ବିକିଥାଇପାରନ୍ତି। କିନ୍ତୁ ଜାଣିରଖନ୍ତୁ, ଏମାନେ ନା ତ କୌଣସି ଫେରିବାଲା ନା କୌଣସି ବେପାରୀ। ପୋଲିସର କହିବା କଥା, ଏମାନେ ହେଉଛନ୍ତି ଜଣେ ଜଣେ ଧୂର୍ତ୍ତ ଚୋର। ପଶ୍ଚିମବଙ୍ଗ ମୁର୍ଶିଦାବାଦର ଆନ୍ତଃରାଜ୍ୟ ଗ୍ୟାଙ୍ଗର ଜଣେ ଜଣେ କୁଖ୍ୟାତ ଚୋର। ଯାହାଙ୍କ ପାଖରୁ ମିଳିଛି ଏସବୁ ସାମଗ୍ରୀ।
ଆଜିକୁ ପ୍ରାୟ ୨ ମାସ ହେଲା ଭଞ୍ଜନଗର ଓ ବେଲଗୁଣ୍ଠା ଅଞ୍ଚଳରେ ସକ୍ରିୟ ରହି କେବେ କାହା ଘରେ ପଶି କଳାକନା ବୁଲାଉଥିଲେ, ତ ଆଉ କାହାଠୁ ଝାମ୍ପି ନେଉଥିଲେ ମୋବାଇଲ କିମ୍ବା ପିନ୍ଧିଥିବା ଅଳଙ୍କାର। ପୋଲିସକୁ ଚକମା ଦେବା ପାଇଁ ବାଇକରେ ଲଗାଉଥିଲେ ନକଲି ନମ୍ବର ପ୍ଲେଟ୍। ଭଞ୍ଜନଗର ନିକଟ ଜାମପଲ୍ଲୀର ଜଣେ ଷ୍ଟିକର ଦୋକାନୀଙ୍କୁ ଢାଲ କରି ନକଲି ନମ୍ବର ପ୍ଲେଟ୍ ତିଆରି କରୁଥିଲେ। କେବଳ ଏତିକି ନୁହେଁ, ଯେଉଁ ମୋବାଇଲ୍, କମ୍ପ୍ୟୁଟର କିମ୍ବା ଟ୍ୟାବ୍ ଚୋରି କରୁଥିଲେ, ସେଥିରେ ଥିବା ଗୁପ୍ତ ତଥ୍ୟ ହାତୋଉଥିଲେ। ଏଭଳି କିଛି ସୁରାଗ୍ ପାଇବା ପରେ ଆବଶ୍ୟକ ପଡ଼ିଲେ ଗିରଫ କରିଥିବା ସଂପୃକ୍ତ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ ସଦସ୍ୟଙ୍କୁ ରିମାଣ୍ଡରେ ଆଣି ସତ ଉଗାରିବ ବୋଲି କହିଛି ପୋଲିସ୍।
ଓଡ଼ିଶାରେ ଚଳାଇଥିଲେ ଚୋରି, ପଶ୍ଚିମବଙ୍ଗ ପାଇଁ କରୁଥିଲେ କି ଗୁପ୍ତଚରୀ ? ଏଭଳି ଆଶଙ୍କା ଭିତରେ ଆଗକୁ ଆଉ କି ସତ ସାମ୍ନାକୁ ଆଣୁଛି ଭଞ୍ଜନଗର ପୋଲିସ, ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)