Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା : ଅଖି ମୁଠି ବୁଣି ଚାଷ କାମ ଆରମ୍ଭ କଲା ଚଷା ପୁଅ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିର ଦିନରେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି ।  କୃଷି ଭିତ୍ତିକ…

author-image
Prangyan Parimita
ଅଦ୍ୟତନ ହୋଇଛି
ଆଜି ପବିତ୍ର ଅକ୍ଷୟ ତୃତୀୟା : ଅଖି ମୁଠି ବୁଣି ଚାଷ କାମ ଆରମ୍ଭ କଲା ଚଷା ପୁଅ

farmer

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିର ଦିନରେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି ।  କୃଷି ଭିତ୍ତିକ ଏ ପର୍ବରେ ଲାଗି ଉତ୍ସବମୁଖର ହୋଇଛି ଗାଁ ପରିବେଶ। ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ।

Advertisment

ଆଜିର ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଉଛି । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ  ଘରେ କୃଷି ସରଞ୍ଜାମ ସାଜସଜା କରିବା ପରମ୍ପରା ବହୁ ପୁରୁଣା। ସେହିଭଳି ବଳଦକୁ ଗାଧୋଇ, ତା ମୁଣ୍ଡରେ ସିନ୍ଦୁର ହଳଦି ଲଗାଇ ପୂଜାର୍ଚ୍ଚନା କରାଯାଏ। ଆଉ ଅକ୍ଷୟ ତୃତୀୟା ତିଥିରେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରି ଯାଇଥାନ୍ତି ଚାଷୀ। ମାଟି ମାକୁ ମୁଣ୍ଡିଆ ମାରି ସୁନା ଫସଲ ଫଳାଇବାକୁ ଆରମ୍ଭ କରିଥାନ୍ତି ପରିଶ୍ରମ। କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜିବିତ ରହିଛି।

ଏହାଛଡ଼ା ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ ।

Advertisment

ସେହିପରି ଆଜି  ଅକ୍ଷୟ ତୃତୀୟା ଅବସରରେ ଆଜି ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବ । ଶ୍ରୀମନ୍ଦିର ସମ୍ମୁଖରେ ବିଜେ କରିଥିବା ଦେବୀ ଚର୍ଚ୍ଚିକାଙ୍କ ଆଗରେ ରଥଖଳା କରାଯାଇ ରଥ ନିର୍ମାଣ ଆରମ୍ଭ ହେବ । ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥ ନିର୍ମାଣ କରାଯିବ । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ନିର୍ମାଣ କାମ ସୁରୁଖୁରୁରେ ସଂପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀମାନେ ରଥ ନିର୍ମାଣରେ ଲାଗିଥାନ୍ତି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚି ସାରିଛି । ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ, ରାମ ନବମୀରେ କାଠ ବକଳ ବାହାର କରିବା ପରେ ଆଜି ରଥ ନିର୍ମାଣର ଅନୁକୂଳ କରାଯିବ ।

Advertisment
Advertisment