/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error709_1626178828.jpg)
SBI
ଭୁବନେଶ୍ୱର: ରାଜ୍ୟରେ ପୁଣି ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ଏହା ବେକାବୁ ହେବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି।
ପୁଣିଥରେ ଭୁବନେଶ୍ୱର ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ୪ ଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ୯୬ ଘଣ୍ଟା ପର୍ଯ୍ୟନ୍ତ BMC ବ୍ୟାଙ୍କକୁ ସିଲ୍ କରିଛି। ସୂଚନାଥାଉ କି, ପୂର୍ବରୁ ବ୍ୟାଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ପରେ ୨ ଦିନ ପାଇଁ ବ୍ୟାଙ୍କ୍ ସିଲ୍ ହୋଇଥିଲା।
କଟକରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଅରୁଣୋଦୟନଗରରେ ଥିବା ମହେନ୍ଦ୍ର କୋଚିଂ ସେଣ୍ଟରକୁ କଟକ ମହାନଗର ନିଗମ(CMC) ପକ୍ଷରୁ ସିଲ୍ କରାଯାଇଛି। ସିଏମ୍ସି ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ୍ର ଚଢ଼ାଉ ପରେ କୋଚିଂ ସେଣ୍ଟର ସିଲ୍ କରାଯାଇଥିଲା। ହଠାତ୍ କୋଚିଂ ସେଣ୍ଟର ସିଲ୍ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ, ଗୁଣୁପୁର GIET ବିଶ୍ୱବିଦ୍ୟାଳୟ ୩ ଦିନ ବନ୍ଦ ରହିବ। ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(GIET) ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ପରେ ୩ ଦିନ ପାଇଁ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଛି।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଆବାସିକା କଲେଜ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ପରାମର୍ଶ ଦେଇଛନ୍ତି। ପରୀକ୍ଷା ସରିଯାଇଥିବା ପିଲାମାନେ ତୁରନ୍ତ ହଷ୍ଟେଲ୍ ଛାଡ଼ନ୍ତୁ। ସରକାରୀ ଶିକ୍ଷାନୁଷ୍ଠାନରେ ବି ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର ଅଞ୍ଚଳରେ ଭିଡ଼କୁ ଏଡ଼ାଇବାକୁ କଡ଼ା ନିୟମ ପାଳନ କରାଯାଉଛି। ସରକାରୀ ଅଫିସ୍ରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। କମିଶନରେଟ୍ ପୋଲିସ୍କୁ ଯାଞ୍ଚ ପାଇଁ କୁହାଯିବା ସହ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବିଏମ୍ସି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲ୍ରେ କରୋନା ଆକ୍ରାନ୍ତଙ୍କ ପାଇଁ ଥିବା ବେଡ୍ ସଂଖ୍ୟାକୁ ବଢ଼ାଯାଇଛି। ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଲକ୍ଡାଉନ୍, ସଟ୍ଡାଉନ୍ ଲାଗୁ କରାଯିବନି ବୋଲି ବିଏମ୍ସି କମିଶନର କହିଛନ୍ତି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୧ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)