/odishatv-khabar/media/post_attachments/uploadimage/library/16_9/16_9_0/corona-16_1621132202.jpg)
corona
- ତାଲାବନ୍ଦ ଷ୍ଟ୍ରାଟେଜି ପରେ ବି ଓଡ଼ିଶାରେ ଖସୁନି ସଂକ୍ରମଣ ହାର
- ଦିଲ୍ଲୀ ଓ ମହାରାଷ୍ଟ୍ରରେ ଦୃତ ଗତିରେ ଖସୁଛି ସଂକ୍ରମଣ ହାର
- ଓଡ଼ିଶାରେ ଲକଡାଉନ୍ର ୧୧ ଦିନ ପରେ ବି ୧୦ ହଜାର ପ୍ଲସ ଟ୍ରେଣ୍ଡ
- ମୁଖ୍ୟ ଶାସନ ସଚିବ କହିଲେ ଆଉ କିଛି ଦିନ ସହଯୋଗ ଲୋଡ଼ା
ଭୁବନେଶ୍ୱର: ଦେଶରେ କମୁଛି, ହେଲେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। କରୋନା ଦ୍ୱିତୀୟ ଲହର ଢେଉ ଭଳି ମାଡ଼ି ଆସିବା ପରେ ଲକଡାଉନ୍ ଷ୍ଟ୍ରାଟେଜି ପାଇଁ ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ଅଧିକ ପ୍ରଭାବିତ ରାଜ୍ୟରେ ଖସୁଛି ସଂକ୍ରମଣ ହାର। ହେଲେ ଓଡ଼ିଶାରେ ଲକଡାଉନ୍ କଟକଣାକୁ ୧୨ ଦିନ ଛୁଇଁଥିଲେ ବି ସଂକ୍ରମଣ ହାରରେ କୌଣସି ପରିବର୍ତ୍ତନ ହେଉନଥିବାରୁ ଏହା ଚିନ୍ତା ବଢାଇଛି। ଏପଟେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ୧୦ଟି ଜିଲ୍ଲାରେ ସଂକ୍ରମଣ ସ୍ଥିର ଏବଂ ହ୍ରାସ ପାଉଥିବା ବେଳେ ଲୋକେ ଯଦି ଆଉ କିଛି ଦିନ ସହଯୋଗ କରିବେ, ତେବେ କୋରନାକୁ ସମ୍ପୂର୍ଣ୍ଣ ଦୂରେଇ ଦେଇପାରିବା ବୋଲି ଗତକାଲି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ।
କରୋନା ମହାମାରୀରେ ଅଣନିଶ୍ୱାସୀ ଭାରତ ପାଇଁ ଭଲ ଖବର। ଲକଡାଉନ୍ ଥେରାପି ପରେ ପୁରା ଦେଶରେ କମୁଛି ସଂକ୍ରମଣ, ହ୍ରାସ ପାଉଛି ପଜିଟିଭିଟି ହାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ତଥ୍ୟ ଅନୁସାରେ ସପ୍ତାହେ ପୂର୍ବରୁ ଦେଶରେ ୨୧ ପ୍ରତିଶତରୁ ଅଧିକ ଥିବା ପଜିଟିଭିଟି ହାର ଏବେ ୧୯.୮ ପ୍ରତିଶତକୁ ଖସଛି। ବିଶେଷକରି ସଂକ୍ରମଣରେ ଆଗୁଆ ଥିବା ଦିଲ୍ଲୀ, ଛତିଶଗଡ଼, ହରିୟାଣା, ମଧ୍ୟପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଭାବେ କମୁଛି ପଜିଟିଭଙ୍କ ସଂଖ୍ୟା। ରାଜଧାନୀ ଦିଲ୍ଲୀରେ ଗଲା କିଛି ଦିନ ଧରି ଦୃତ ଗତିରେ ହ୍ରାସ ପାଉଛି ସଂକ୍ରମଣ ସଂଖ୍ୟା। ୪ ଦିନ ତଳେ ୧୩ ହଜାର ୨୮୭ ଥିବା ସଂଖ୍ୟା ଶନିବାର ୬୫୦୦ରେ ପହଞ୍ଚିଛି।
ଦିଲ୍ଲୀରେ ଏପ୍ରିଲ ୨୦ରେ ପଜିଟିଭିଟି ହାର ଥିଲା ୩୬ ପ୍ରତିଶତ। ହେଲେ ମେ ୧୫ ସୁଦ୍ଧା ଏହା ୧୪ ପ୍ରତିଶତକୁ କମିଛି। ସେହିଭଳି ସଂକ୍ରମଣରେ ଆଗରେ ଥିବା ମହାରାଷ୍ଟ୍ରରେ ବି ଲକଡାଉନ୍ ପରେ ସଂକ୍ରମଣରେ ବ୍ରେକ୍ ଲାଗିଛି। ଏଠିବି ଦୈନିକ କମୁଛି ପଜିଟିଭିଟି ହାର। ହେଲେ ଓଡ଼ିଶା ସହ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଭଳି କିଛି ରାଜ୍ୟରେ ସଂକ୍ରମଣ ହାର କମୁନଥିବାରୁ ଏସବୁ ରାଜ୍ୟରେ କଟକଣାକୁ ଅଧିକ କଡ଼ାକଡ଼ି ଉପରେ ଜୋର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
ହେଲେ ଓଡ଼ିଶାର କରୋନା ମିଟରରେ ସେତେଟା ପରିବର୍ତ୍ତନ ଦେଖାଯାଉନାହିଁ। ରାଜ୍ୟରେ ଲକଡାଉନ୍ କଟକଣା ଜାରି ସତ୍ତ୍ୱେ ବଢୁଥିବା ସଂକ୍ରମଣ ଟ୍ରେଣ୍ଡକୁ ରୋକାଯାଇ ପାରିନି। ମେ ପ୍ରଥମ ସପ୍ତାହରୁ ହିଁ ୧୦ ହଜାର ପ୍ଲସ୍ ଟ୍ରେଣ୍ଡରେ କୌଣସି ପରିବର୍ତ୍ତନ ଆସୁନଥିବାରୁ ଏହା ଚିନ୍ତାର କାରଣ ହୋଇଛି। ଏପରିକି ଗଲା ସପ୍ତାହେ ଭିତରେ କେବଳ ୧୧ ତାରିଖକୁ ଛାଡ଼ି ଅନ୍ୟ କୌଣସି ଦିନ ୧୦ ହଜାର ତଳକୁ ଖସିନି ପଜିଭିଙ୍କ ସଂଖ୍ୟା। ଦିଲ୍ଲୀ ଓ ମୁମ୍ବାଇରେ କଡ଼ା ଲକଡାଉନ୍ ଷ୍ଟ୍ରାଟେଜି ପରେ ସଂକ୍ରମଣକୁ ରୋକାଯାଇପାରିଥିବା ବେଳେ ରାଜ୍ୟରେ ପଜିଟିଭିଟି ହାର କାହିଁକି ହ୍ରାସ ପାଉନି ତାହା ଏବେ ବଡ଼ ପ୍ରଶ୍ନ?
ସେପଟେ ରାଜ୍ୟରେ ଏବେ ପ୍ଲାଟକୁ ସ୍ଥିତି ଆସିଯାଇଥିବାରୁ ଏବଂ ଆଗାମୀ ଦୁଇ ତିନି ଦିନ ଭିତରେ ସଂଖ୍ୟା କମିବା ନେଇ ଅନୁମାନ କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏଣେ ଲକଡାଉନ୍ ପରଠୁ ୧୦ ଜିଲ୍ଲାରେ ବିଶେଷକରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପଜିଟିଭିଟି ହାର ସ୍ଥିର ଏବଂ ଆଉ କିଛି ଜିଲ୍ଲାରେ କମିଛି। ଲୋକେ ଯଦି ଆଉ କିଛି ଦିନ ସହଯୋଗ କରିବେ ତେବେ କରୋନା ବିରୋଧୀ ଲଢେଇରେ ଓଡ଼ିଶା ଜିତିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।
ଓଡ଼ିଶାରେ ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ମେ ୫ରୁ ସାରା ରାଜ୍ୟ ପାଇଁ ଲକଡାଉନ୍ ଷ୍ଟ୍ରାଟେଜି ଆପଣାଇଛନ୍ତି ସରକାର। ବିଗତ ୧୧ ଦିନ ଭିତରେ ସଂକ୍ରମଣ ତୀବ୍ର ଗତିରେ ବଢିନଥିଲେ ବି ୧୦ ହଜାର ଟ୍ରେଣ୍ଡରୁ ତଳକୁ ଖସୁ ନଥିବାରୁ ଆଗକୁ ସରକାର କି ଷ୍ଟ୍ରାଟେଜି ଆପଣାଇବେ, ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)