Advertisment

ଆସିଲା, ଚାଲିଗଲା....ହେଲେ ସବୁ କିଛି ଛାରଖାର୍‌ କରିଦେଇଗଲା...

ବାତ୍ୟା ଚାଲିଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ପଦଚିହ୍ନ। ମାଟିରେ ମିଶିଯାଇଛି ଗରିବଙ୍କ ଚୁଲି-ଚାଳ । ଉଜୁଡ଼ି ଯାଇଛି ଚାଷ ବାସ । ବାଲେଶ୍ୱର ହେଉ କି ଭଦ୍ରକ, ୟାସର ତାଣ୍ଡବରେ ଛିନଛତ୍ର ଗ୍ରାମୀଣ ଇଲାକା

author-image
Sarbeswar
ଅଦ୍ୟତନ ହୋଇଛି
ଆସିଲା, ଚାଲିଗଲା....ହେଲେ ସବୁ କିଛି ଛାରଖାର୍‌ କରିଦେଇଗଲା...

Cyclone-impact

Advertisment

ଭୁବନେଶ୍ୱର: ବାତ୍ୟା ଚାଲିଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ପଦଚିହ୍ନ। ମାଟିରେ ମିଶିଯାଇଛି ଗରିବଙ୍କ ଚୁଲି-ଚାଳ । ଉଜୁଡ଼ି ଯାଇଛି ଚାଷ ବାସ । ବାଲେଶ୍ୱର ହେଉ କି ଭଦ୍ରକ, ୟାସର ତାଣ୍ଡବରେ ଛିନଛତ୍ର ଗ୍ରାମୀଣ ଇଲାକା। ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ଯାଇ ସର୍ବାଧିକ ପ୍ରଭାବିତ ଅଞ୍ଚଳର ବିପନ୍ନଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି। ଯେଉଁ ଦୁର୍ଦ୍ଦଶା ଓ ଦୁଃସ୍ଥିତିର ବାସ୍ତବ ଚିତ୍ର ସେମାନେ ଦେଖିଛନ୍ତି ତାହା ଅବିଶ୍ୱସନୀୟ, ଅବର୍ଣ୍ଣନୀୟ । ଚାରିଆଡ଼େ କେବଳ ଧ୍ୱଂସ ବିଧ୍ୱସ୍ତ ଚିତ୍ର, କୋହ ଆଉ ଲୁହ…

ସତରେ ପ୍ରାକୃତିକ ବିପର୍ଯ୍ୟୟ ଆଗରେ କେତେ ଅସହାୟ ମଣିଷଟିଏ। ଯେଉଁଠି ଚାଳ ଘରେ ଦିନେ ସ୍ୱପ୍ନ ଆଉ ସମ୍ଭାବନାର ବୀଜ ବୁଣି ଅଣ୍ଟା ସଳଖି ଛିଡ଼ା ହେଉଥିଲା। ଗରିବ ଖଟିଖିଆ ମଣିଷଟିଏ, ସେହି ଘରେ ପ୍ରଚଣ୍ଡ କୋପ ଦେଖାଇଛି ପ୍ରକୃତି।  ମାଟିରେ ମିଶିଯାଇଛି ଆସ୍ଥା ଆଉ ବିଶ୍ୱାସର ଦରଭଙ୍ଗା କୋଠରୀ। ନିମିଷକେ ସବୁକିଛି ଉଜାଡ଼ି ଦେଇଛି ବାତ୍ୟା ୟାସ୍ ।  ଅନେକଙ୍କ ଏଭଳି କୋହ ଆଉ ଲୁହ ଭିତରେ ବତୁରି ଯାଇଛି ବାଲେଶ୍ୱର ଜିଲ୍ଲା ଦୁଧିଆମାରି ଗାଁ। ବାତ୍ୟା ଚାଲିଯିବା ପରେ ସାରା ଗାଁ ଏବେ ଉଜୁଡ଼ି ଯାଇଛି। ତାସତ୍ତ୍ୱେ ନିଜକୁ ସମ୍ଭାଳି କାଳେ କିଛି ବର୍ତ୍ତିଯାଇଥିବ ବାତ୍ୟାରୁ, ସାଉଁଟିବାକୁ ଲାଗିଛନ୍ତି ଲୋକେ।

Advertisment

କଥା ଏତିକିରେ ସରିନି। ଦାଣ୍ଡପିଣ୍ଢା ଦେଇ ବହୁଥିବା ପାଣିକୁ ଛାଟି ମାଟିଏ କାଦୁଅ ଛଡ଼ାଉଛି ପିଲାଙ୍କ ବହିପତ୍ରରୁ। ବର୍ଷେରୁ ଅଧିକ ସମୟ ବିତିଗଲାଣି, କରୋନା ମାଡ଼ରେ ସ୍କୁଲ ବନ୍ଦ ପରଠୁ  ବହିପତ୍ର ହିଁ ସାହାରା ପାଲଟିଛି ପିଲାଙ୍କର। ହେଲେ ବାତ୍ୟା ତାକୁ ବି ନଷ୍ଟ କରିଦେଲା। ବାତ୍ୟା ମାଡ଼ରେ ସମୂଦ୍ର ଜୁଆରରେ ପ୍ରାୟ ୨ କିଲୋମିଟର ଦୂରରୁ ଭାସିଆସି ଡଙ୍ଗା ଭାଙ୍ଗିଦେଇଛି ଘରଦ୍ୱାର। ଏବେ କେବଳ ଜୀବନ କଟୁଛି ଖୋଲା ଆକାଶ ତଳେ।

ଦୀର୍ଘ ବର୍ଷ ପରେ ବାତ୍ୟାକୁ ସାମ୍ନା କରିଥିବା ବାଲେଶ୍ୱରବାସୀଙ୍କ ଦୁର୍ଦ୍ଦଶାର ଏମିତି ଅନେକ କାହାଣୀ ଦେଖିବାକୁ ମିଳିଛି। କାହାର ବେଉସା ଛଡ଼ାଇ ନେଇଛି ବାତ୍ୟା ତ ଆଉ କାହାର ଜୀବିକା ଉଜାଡ଼ି ଦେଇଛି। କେବଳ ବାଲେଶ୍ୱର ନୁହେଁ, ଭଦ୍ରକରେ ବି ବାତ୍ୟାର ତାଣ୍ଡବ। ବାତ୍ୟା ଛାଡ଼ିବା ପରେ ଉଜୁଡ଼ା ଘରକୁ ସଜାଡ଼ିବାକୁ ଜାରି ରହିଛି ସଂଘର୍ଷ। କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ବାତ୍ୟା ବେଳେ ପ୍ରଶାସନ ସେମାନଙ୍କୁ ସ୍ଥାନାନ୍ତର କଲେନି ବୋଲି ଜୀବନକୁ ପାଣି ଛଡ଼ାଇ ପିଲାଛୁଆଙ୍କୁ ଧରି ରହିଯାଇଥିଲେ କୁଡ଼ିଆ ଘରେ। ବାସ ତ ଯାଇଛି, ଚାଷ ବି ଉଜୁଡ଼ି ଯାଇଛି। ଦିନ କେଇଟା ପରେ ଅମଳ ହୋଇଥାନ୍ତା ଭଣ୍ଡାରିପୋଖରୀ ବ୍ଲକ ଗୁହାଳିଆ ଅଞ୍ଚଳର ଏକର ଏକର ଡ଼ାଳୁଅ ଧାନ। କିନ୍ତୁ ପ୍ରବଳ ବର୍ଷା ଯୋଗୁ ଧାନ କିଆରିରେ ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି।

ୟାସ୍ ତାଣ୍ଡବର ମୂକସାକ୍ଷୀ ପାଲଟିଥିବା ଭଦ୍ରକ ସହ ବାଲେଶ୍ୱରରେ ଏଭଳି ଦୁର୍ଦ୍ଦଶାର ମାଳ ମାଳ ଚିତ୍ର ଦେଖିବାକୁ ମିଳିଛି। କେବେ ଏମାନେ ଅଣ୍ଟା ସଳଖି ଛିଡା ହେବେ, କେବେ ଘୁଞ୍ଚିବ ଏମାନଙ୍କ ଦୁର୍ଦ୍ଦଶା, ତାକୁ ହିଁ ଅପେକ୍ଷା।

Cyclone Yass
Advertisment
Advertisment