/odishatv-khabar/media/media_files/2025/11/02/shankar-prusty-2025-11-02-20-32-20.jpg)
Shankar Prusty Photograph: (OTV)
ଶତାବ୍ଦୀର ବଡ଼ ସ୍କାମ୍ ପୋଲିସ SI ନିଯୁକ୍ତି କେଳେଙ୍କାରୀ ପଛରେ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ପ୍ରମାଣିତ ହେବାକୁ ଯାଉଛି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଗିରଫଦାରୀ ପରେ। ବହୁ କୋଟି ଟଙ୍କାର କେଳେଙ୍କାରୀର ସତ ଉଗାରି ଶଙ୍କର କହିଛନ୍ତି, ଯଦି ମୁଁ ଧରାପଡ଼ିନଥାନ୍ତି, ତା’ହେଲେ ପୂର୍ବ ସରକାରର ହଜାରେ କୋଟିର ଡିଲ୍ ସାମ୍ନାକୁ ଆସିବ କେମିତି। ଶଙ୍କରଙ୍କ ଏଭଳି ଇସାରା ପରେ ଏବେ ସମସ୍ତଙ୍କ ଛାତି ଧଡ଼ଧଡ଼। ଗିରଫଦାରୀକୁ ଏଡ଼ାଇବା ପାଇଁ ମାସେ ଲୁଚକାଳି ଖେଳୁଥିବା ଶଙ୍କରକୁ ଗତକାଲି ନେପାଳ ସୀମାନ୍ତରୁ ଧରି ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ। ଆଉ ସିଣ୍ଡିକେଟର ଅନ୍ୟ ଦଲାଲଙ୍କୁ ସାମ୍ନାସାମ୍ନି ବସାଇ ମାରାଥନ୍ ଘଣ୍ଟାଚକଟା କରୁଛି।...
ଖତମ୍ ହେଲା ମାସକର ଲୁଚକାଳି...ଧରାପଡ଼ିଲେ ସେହି ମାଷ୍ଟରମାଇଣ୍ଡ...ଯାହା ଉପରେ ଥିଲା ସାରା ରାଜ୍ୟର ନଜର...ୟେ ସେହି ଶଙ୍କର ପୃଷ୍ଟି...ଶତାବ୍ଦୀର ସବୁଠୁ ବଡ଼ ସ୍କାମ୍ ପୋଲିସ SI ନିଯୁକ୍ତି କେଳେଙ୍କାରୀର ମୋଷ୍ଟ ୱାଣ୍ଟେଡ୍ ଖେଳାଳୀ। ଖାଲି ସେ ଧରାପଡ଼ିନାହାଁନ୍ତି...ବରଂ କହୁ କହୁ ଉଗାରିଛନ୍ତି ନିଯୁକ୍ତି କେଳେଙ୍କାରୀ ପଛର ମହାଗୁମର...ପୂର୍ବ ସରକାର ଅମଳରେ ହଜାରେ କୋଟି ଟଙ୍କାର ଡିଲ୍ ସଂପର୍କରେ ଦେଇଛନ୍ତି ବଡ଼ ଇସାରା।
କେବଳ ଏତିକି ନୁହେଁ, କେଳେଙ୍କାରୀ ପଛର ଷଡ଼ଯନ୍ତ୍ରକାରୀଙ୍କ ସଂପର୍କରେ ବି ଖୁଲାସା କରିବି ବୋଲି ସ୍ପଷ୍ଟ କରିଛନ୍ତି। ଗଞ୍ଜାମ ଚମାଖଣ୍ଡି ଅଞ୍ଚଳର ଶଙ୍କର ପୃଷ୍ଟି, ପଞ୍ଚ୍ ସଫ୍ଟ୍ କମ୍ପାନୀର ମୁଖ୍ୟ। ସେପଟେମ୍ବର ୩୦। ପୋଲିସ SI ନିଯୁକ୍ତି ଦୁର୍ନୀତି ସଂପର୍କରେ ଓଟିଭିର ଖୁଲାସା ପରଠୁ ଗିରଫଦାରୀକୁ ଏଡ଼ାଇବା ପାଇଁ ଖସି ବୁଲୁଥିଲେ ଏ ରାଜ୍ୟରୁ ସେ ରାଜ୍ୟ। ଆଉ ଶେଷରେ ପହଞ୍ଚିଯାଇଥିଲେ ନେପାଳରେ। ସେଠାରୁ ସେ ନେପାଳ ବର୍ଡର ଦେଇ ଦୁବାଇ ଖସିଯିବାକୁ ଯୋଜନା ଚଳାଇଥିଲେ। ଶେଷରେ ଶଙ୍କର ପୃଷ୍ଟିର ଗତିବିଧି ଉପରେ କଡ଼ା ନଜର ରଖିଥିବା କ୍ରାଇମବ୍ରାଞ୍ଚ ଶନିବାର ନେପାଳ ସୀମାନ୍ତ ଉତ୍ତରାଖଣ୍ଡରୁ ଗିରଫ କରି ଆଜି ଓଡ଼ିଶା ଆଣିଛି।
ତେବେ ତତ୍କାଳୀନ ବିଜେଡି ସରକାର ବିରୋଧରେ ଶଙ୍କର ପାଖରେ କି ତଥ୍ୟ ରହିଛି ? କାହାକୁ ଇଙ୍ଗିତ କରିବାକୁ ଚାହୁଁଛନ୍ତି ସେ ? କେଉଁ କେଉଁ ନିଯୁକ୍ତି ପାଇଁ ହଜାରେ କୋଟିର ଡିଲ୍ ହୋଇଥିଲା ପୂର୍ବ ସରକାର ଅମଳରେ ? ଏବେ ଏଭଳି ପ୍ରଶ୍ନ ଉଠୁଛି। ଅପରପକ୍ଷେ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଘଣ୍ଟାଚକଟା କରୁଛି ତଦନ୍ତକାରୀ ଟିମ୍। ପୂର୍ବରୁ ଗିରଫ ହୋଇ ରିମାଣ୍ଡରେ ଆସିଥିବା ଦଲାଲ ଲୋକନାଥ ସାହୁ, ମୁନା ମହାନ୍ତି ଓ ପ୍ରିୟଦର୍ଶିନୀ ସାମଲ ଓରଫ୍ ସୌମ୍ୟା ସହ ଶଙ୍କର ପୃଷ୍ଟିକୁ ସାମ୍ନାସାମ୍ନି ବସାଇ କ୍ରାଇମବ୍ରାଞ୍ଚ ଉଗାରି ଚାଲିଛି ତଥ୍ୟ। ପୋଲିସ SI ନିଯୁକ୍ତି ପାଇଁ କିଏ ଓ କେମିତି ତିଆରି କରିଥିଲା କେଳେଙ୍କାରୀର ପ୍ଲଟ୍ ? ୯୩୩ରୁ କେତୋଟି ପୋଷ୍ଟ ପାଇଁ ହୋଇଥିଲା ଡିଲ୍ ? SI ପରୀକ୍ଷା ପରିଚାଳନା ଲାଗି ପ୍ରଥମେ OPRBଠୁଁ ITI LTD ଓ ପରେ ସିଲିକନ୍ ଟେକ୍ ଟେଣ୍ଡର ନେଇଥିବାବେଳେ ଶଙ୍କର ପୃଷ୍ଟିଙ୍କ ପଞ୍ଚ୍ ସଫ୍ଟ ଏହି ଟେଣ୍ଡରକୁ ହାତେଇଥିଲା କେମିତି ? ଖାଲି ପୋଲିସ SI ନା ଅନ୍ୟ କୌଣସି ପଦବୀ ପାଇଁ ବି ଚାଲୁଥିଲା ବେପାର ?
ପ୍ରାର୍ଥୀ ପିଛା ୨୫ ଲକ୍ଷରୁ କାହାର କେତେ ଭାଗ ଧାର୍ଯ୍ୟ ହୋଇଥିଲା ? କେଉଁ ସରକାରୀ ବାବୁଙ୍କ ସହ ହୋଇଥିଲା ଡିଲ୍ ? କାହା ଛତ୍ରଛାୟାରେ ଚାଲିଥିଲା ଶଙ୍କର ସିଣ୍ଡିକେଟ୍ ? ଏମିତି କିଛି ପ୍ରଶ୍ନକୁ ଧରି ତଥ୍ୟ ଆଦାୟ କରୁଛି କ୍ରାଇମବ୍ରାଞ୍ଚ।
ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ମୋଟ୍ ୧୨୩ ଜଣ। ତା’ମଧ୍ୟରୁ ୧୧୪ ହେଉଛନ୍ତି ଟଙ୍କା ବଦଳରେ SI ପଦବୀ ହାତେଇବା ପାଇଁ ବିଜୟନଗରମ୍ ଯାଉଥିବା ପରୀକ୍ଷାର୍ଥୀ। ଯେଉଁମାନେ ଜାମିନରେ ମୁକୁଳିସାରିଥିବାବେଳେ ଏବେ ୯ ଦଲାଲ ଜେଲରେ। ଆଉ ଏବେ ଶଙ୍କରଙ୍କୁ ମିଶାଇ ଗିରଫ ଦଲାଲଙ୍କ ସଂଖ୍ୟା ପହଞ୍ଚିଛି ୧୦। ଶଙ୍କର ବିରୋଧରେ ଲାଗିଛି BNSର ୩୧୯ (୨), ୩୧୮ (୪), ୩୩୮/୩୩୬ (୩), ୩୪୦ (୨), ୧୧୧/୬୧ (୨)/୩(୫)। ସେହିପରି ଓଡ଼ିଶା ପବ୍ଲିକ ଏକଜାମିନେସନ୍ ଆକ୍ଟର ସେକ୍ସନ ୧୧(୧)/୧୨(୧)ରେ ମାମଲା ବି ରୁଜୁ ହୋଇଛି। ଏହାବ୍ୟତୀତ ଶଙ୍କର ପୃଷ୍ଟିଙ୍କ ଗୋଟିଏ ଫର୍ଚୁନର କାର, ୩ଟି ଦାମୀ ମୋବାଇଲ୍ ଫୋନ୍ ସହ ପାସପୋର୍ଟ ଜବତ ହୋଇଛି।
ଗିରଫ ଶଙ୍କରଙ୍କୁ କାଲି କଟକରୁ ନିଆଯିବ ବ୍ରହ୍ମପୁର। ସେଇଠି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରି ବିସ୍ତୃତ ତଥ୍ୟ ହାତେଇବା ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ।
ନିଯୁକ୍ତି ପାଇଁ ପୂର୍ବ ସରକାର ସମୟରେ ହଜାରେ କୋଟିର ଡିଲ୍ ସଂପର୍କରେ ଗିରଫ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ବୟାନକୁ ନେଇ ପଲିଟିକାଲ୍ ମୈଦାନ ହଲଚଲ୍। ଜୋର ଧରିଛି ରାଜନୈତିକ ବୟାନବାଜି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ପୂର୍ବ ସରକାର ସମୟରୁ ଯଦି ହଜାରେ କୋଟି ଟଙ୍କାର କାରବାର ହୋଇଥିଲା, ତେବେ ତଦନ୍ତ ହେଉ।
କେବଳ ଶଙ୍କର ପୃଷ୍ଟିକୁ ଧରିଆଣି ନିଜକୁ ଦୋଷମୁକ୍ତ ବୋଲି ଭାବିବା ଠିକ୍ ନୁହେଁ। ନହେଲେ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବିଜେଡି କହିଛି।...ଅପରପକ୍ଷେ ବିଜେପି ଚୋର୍ ମଚାଏ ସୋର୍ କହି ବିଜେଡିକୁ ନିଶାନା କରିଛି। ଶଙ୍କର ପୃଷ୍ଟିର ସଂସ୍ଥାକୁ ବିଜେଡ଼ି ସରକାର ସମୟରେ ଅନୁବନ୍ଧିତ କରାଯାଇଥିଲା। କାଳେ ନବୀନ ନିବାସ ଯାଏଁ ଲିଙ୍କ ଥିବ, ସେହି ଭୟ ଏବେ ବିଜେଡ଼ିକୁ ଘାରୁଛି।...
Shankar Prusty’s Explosive Confession: କିଏ ଏହି ଶଙ୍କର ପୃଷ୍ଟି ? କେମିତି ବିସ୍ତାର କରିଥିଲା କୋଚିଂ ସେଣ୍ଟରର କଳା ସାମ୍ରାଜ୍ୟ ?

Spiritual Fervour Grips Puri: ପଞ୍ଚକର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Rape and Murder Case: ମୃତ୍ୟୁ ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ... ଦୁଷ୍କର୍ମ ଓ ହତ୍ୟା ଦଣ୍ଡ ଶୁଣାଇବା ବେଳେ ଏମିତି କହିଲେ ଜଜ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)