balabhadra
ଭୁବନେଶ୍ୱର: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି।
ଏ ମଧ୍ୟରେ ଆମ ଭିତରେ ଦୂରତା ବଢ଼ୁଥିବା ଅନୁଭବ କରୁଛି। କିଛି ଲୋକ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର ମୁଁ ପ୍ରତାରିତ ହେଲା ଭଳି ଅନୁଭବ କରୁଛି ।
ସେ ଆହୁରି କହିଛନ୍ତି ଯେ, ଏବେ ଦଳରେ ମୋର କିଛି ଆବଶ୍ୟକତା ନଥିବା ଭଳି ଲାଗୁଛି। ନବୀନ ପଟ୍ଟନାୟକଙ୍କ ବିରୋଧରେ ମୋର କିଛି ଅଭିଯୋଗ ନାହିଁ। କିନ୍ତୁ ଏଭଳି ସ୍ଥିତିରେ ଆଉ ପାର୍ଟିରେ ରହିବାକୁ ଚାହୁଁନି ବୋଲି ସେ କହିଛନ୍ତି।
ବିଜେଡିରେ ଆଉ ଗଣତନ୍ତ୍ର ନାହିଁ
ବିଜେଡିରୁ ଇସ୍ତଫା ଦେବା ନେଇ ଓଟିଭି ବଳଭଦ୍ରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲା। ଓଟିଭିକୁ ସାକ୍ଷାତକାର ଦେଇ ବଳଭଦ୍ର କହିଛନ୍ତି, “ବିଜେଡି ଆଉ ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁନାହିଁ। ଦଳୀୟ କାର୍ଯ୍ୟକର୍ତ୍ତା ନିର୍ବାଚିତ ହେବା ବଦଳରେ ସେମାନଙ୍କୁ ମନୋନୀତ କରାଯାଉଛି।”
ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ରମେଶ ମାଝୀଙ୍କୁ ବିଜେଡି ଟିକଟ୍ ମିଳିବା ଏକ ପ୍ରକାର ଫାଇନାଲ୍ ହୋଇଥିବା କୁହାଯାଉଛି। ଏହାପରେ ବଳଭଦ୍ର ବିଜେଡି ଛାଡ଼ିଥିବା ଚର୍ଚ୍ଚା ହେଉଛି।
କେଉଁ ଦଳକୁ ଯିବେ ସେ ସଂପର୍କରେ ଚିନ୍ତା କରିନଥିବା ବଳଭଦ୍ର କହିଛନ୍ତି। ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି ସେ ଜଣାଇଛନ୍ତି।
ବଳଭଦ୍ରଙ୍କ ଇସ୍ତଫା ଓ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/balabhadra-89_1626757911.jpg)