/odishatv-khabar/media/post_attachments/uploadimage/library/16_9/16_9_0/3pm-prayagraj_1625143031.jpg)
3pm-prayagraj
ସୁନ୍ଦରଗଡ଼: କୋଭିଡ୍ ମୃତକଙ୍କ ସଂସ୍କାର ପରେ ଅସ୍ଥି ବିସର୍ଜନ ପାଇଁ ବାହାରିଛନ୍ତି ମଶାଣୀ ବନ୍ଧୁ। ସୁନ୍ଦରଗଡ଼ ରାଣୀବଗିଚା ଶ୍ମଶାନରେ ଦାହ ସଂସ୍କାର ହୋଇଥିବା କୋଭିଡ ମୃତକଙ୍କ ଅସ୍ଥିକୁ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବିସର୍ଜନ କରିବାକୁ ବାହାରିଛନ୍ତି। ସେଠାରେ ସଂସ୍କାର କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ପୂଜାପାଠ ପରେ ୩୮ ଟି ଅସ୍ଥି କଳସ ନେଇ ଏମାନେ ବାହାରିଛନ୍ତି। ତେବେ ଏହି ମଶାଣୀ ବନ୍ଧୁ ମାନେ ସୁନ୍ଦରଗଡ଼ର ରାଣୀବଗିଚା ଶ୍ମଶାନରେ ପ୍ରାୟ ୪ଶହ ମୃତଦେହ ଦାହ ସଂସ୍କାର କରିଥିଲେ। ତେବେ ୩୮ ଜଣଙ୍କ ପରିବାର ଅସ୍ଥି ନେବାକୁ ଆସିନଥିଲେ। ସେମାନଙ୍କ ଅସ୍ଥି କଳସ ପ୍ରୟାଗରାଜରେ ବିସର୍ଜନ ସହ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ପୂଜା କରିବାକୁ ବାହାରିଛନ୍ତି ସୁନ୍ଦରଗଡ଼ର ସ୍ୱେଚ୍ଛାସେବୀ।
ଏପଟେ, ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରକୃତରେ କେତେ? ଏହାକୁ ନେଇ ବିଭିନ୍ନ ସମୟରେ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଖୋଦ୍ ଶାସକ ଦଳର ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ଏବେ ଆଲୋଡ଼ନ ସୃଷ୍ଟି କରିଛି। ଯେଉଁଥିରେ ସୌମ୍ୟ ଲେଖିଛନ୍ତି- କେତେକ ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁଁ ଓଡ଼ିଶାର କରୋନା ମୃତକଙ୍କ ସଂଖ୍ୟାକୁ ନେେଇ ବିବାଦ ମୁଣ୍ଡ ଟେକିଲାଣି। ଏଥିପାଇଁ ନବୀନ ସରକାର ଅଡୁଆରେ ପଡୁଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି କଳେବଳେ କୌଶଳେ ଶ୍ରେଣୀରେ ପ୍ରଥମ ହେବାର ନିଶା ଓ ଅତୀତ ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ।
ସତ ମୃତ୍ୟୁ ସଂଖ୍ୟାଟିକୁ କହିଦେଇଥିଲେ ବିଶେଷ କିଛି କ୍ଷତି ହେବାର ନଥିଲା, ବରଂ ତାକୁ ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ ସବୁ କରିଛି ତାହା ଶାସନର ମର୍ଯ୍ୟାଦାକୁ ନଷ୍ଟ କରୁଛି। ପ୍ରଶାସନର ବାମ ହାତ କଣ କରୁଛି ତାହା ଡାହାଣ ହାତ ଜାଣୁନାହିଁ। ତେବେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ କେତେ ଅବଗତ ଅଛନ୍ତି ଆମେ ଜାଣୁନା ବୋଲି ସୌମ୍ୟ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର କୋଭିଡ୍ ମୃତକଙ୍କ ସଂପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରି ନିଜର ସାହସର ପରିଚୟ ଦିଅନ୍ତୁ ବୋଲି ସୌମ୍ୟ କହିଛନ୍ତି।
ସେପଟେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୦୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୬୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୩୧୨ ରହିଛି।କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ଥମିବାରେ ନାଁ ଧରୁନି। ଲଗାତାର ଭାବେ ଏହି ୨ ଜିଲ୍ଲାରୁ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)