accident
ମୋହନା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଜଣେ ୧୨ ବର୍ଷର ଝିଅ ବି ଅଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଉଛନ୍ତି ଅନେସା ମହାପାତ୍ର (୧୨), କରିସ୍ମା ନାୟକ (୧୮), ଏଲ୍ ରମେଶ, ବିଦ୍ୟୁତ୍ ନାୟକ, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ସୁବାସିନୀ ମହାରଣା ଓ ସୁନୀଲ ନାୟକ। ମଧ୍ୟରୁ ଚାରି ଜଣଙ୍କ ପରିଚୟ ମିଳିଛି। ବିଦ୍ୟୁତ୍ ନାୟକଙ୍କ ଘର ରାୟଗଡ଼ାରେ ହୋଇଥିବା ବେଳେ ଝୁନୁ ବେହେରା ପୁତାବଗଡ଼ରର ବାସିନ୍ଦା ଥିଲେ। ସେହିପରି କରିସ୍ମାଙ୍କ ଘର କବିସୂର୍ଯ୍ୟନଗରର ବାଲିଅସରା ଗାଁରେ ହୋଇଥିବା ବେଳେ ଏଲ୍ ରମେଶଙ୍କ ଘର କୋଦଳାରେ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ‘ମାରୁତି‘ ନାମକ ଏହି ଯାତ୍ରୀବାହୀ ବସ୍ଟି ରାୟଗଡ଼ାର ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ଭୋର୍ ପ୍ରାୟ ସାଢ଼େ ତିନିଟାରୁ ଚାରିଟା ମଧ୍ୟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ବ୍ରେକ୍ ଫେଲ୍ ହୋଇଯିବା ଯୋଗୁ ବସ୍ଟି ନିୟନ୍ତ୍ରଣ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ଘଞ୍ଚ ଜଙ୍ଗଲ ଓ ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ସାତ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ବସ୍ଟି ବ୍ରିଜ୍ ତଳେ ଓଲଟି ପଡ଼ିଥିଲା। ଫଳରେ କିଛି ଯାତ୍ରୀ ଭିତରେ ଚାପି ହୋଇ ରହିଯାଇଥିଲେ। ତିନି ଜଣ ଯାତ୍ରୀଙ୍କୁ ବସ୍ ଭିତରୁ ବାହାର କରିବା ପାଇଁ ଗ୍ୟାସ୍ କଟରର ସାହାଯ୍ୟ ନିଆଯାଇଥିଲା।
ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍ର ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି ଓ ବ୍ରହ୍ମପୁରର ଦମକଳ ବାହିନୀକୁ ନିୟୋଜିତ କରାଯାଇଥିଲା। ଏପରିକି ଘଟଣାସ୍ଥଳରେ ଜଣେ ଡେପୁଟି ଫାୟାର ଅଫିସର୍ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।
ଦୁର୍ଘଟଣାଗ୍ରସ୍ତ ବସ୍ର ଜଣେ ଯାତ୍ରୀ କହିଛନ୍ତି, ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ବସ୍ଟି ଏକ ଢାବା ପାଖରେ ଅଟକି ଥିଲା। ସେଠି ସମସ୍ତେ ଚା’ ପିଇଥିଲେ। ତା’ପରେ ବସ୍ ଚାଲିଥିଲା। ତେବେ ହଠାତ୍ କୁହାଯାଇଥିଲା ଯେ ବସ୍ ବ୍ରେକ୍ ଫେଲ୍ ହୋଇଯାଇଛି। ଆଉ ଦେଖୁ ଦେଖୁ ଏହା ପୋଲ ତଳକୁ ଖସି ପଡ଼ିଥିଲା।
ଗଞ୍ଜାମ ସିଡିଏମ୍ଓ କହିଛନ୍ତି ଦିଗପହଡ଼ି ମେଡିକାଲ୍ରେ ୩୫ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ସେହିଭଳି ବ୍ରହ୍ମପୁର ସ୍ଥିତ ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ୧୪ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଥିବା ନେଇ ଅଧୀକ୍ଷକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ଏହି୧୪ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଆହତମାନଙ୍କୁ ଡାକ୍ତରଖାନା ଆଣିବାରେ ବିଳମ୍ବ ହୋଇଥିଲା ବୋଲି ଅଭିଯୋଗ ହୋଇଛି। ବସ୍ ଡ୍ରାଇଭରଙ୍କ ବିଷୟରେ କିଛି ଜଣାପଡ଼ିନି। ସେ ଫେରାର ହୋଇଯାଇଥିବା କୁହାଯାଉଛି।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accident2_1626691020.jpg)