108 ambulance
ଭୁବନେଶ୍ୱର : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ପ୍ରଚଳିତ ୧୦୮ ଆମ୍ୱୁଲାନ୍ସ ଏବେ ଗର୍ଭବତୀଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବେ। ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ୱୁଲାନ୍ସ ସେବାକୁ ୧୦୮ ନମ୍ୱର ସହ ମିଶ୍ରଣ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର ଆମ୍ୱୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା ୧୦୮ ନମ୍ୱରକୁ ହିଁ କଲ କରିବାକୁ ହେବ।
ଏ ସଂପର୍କରେ ସୂଚନା ଦେଇ ଓଡିଶାରେ ୧୦୮ ଆମ୍ୱୁଲାନ୍ସ ପ୍ରକଳ୍ପ ମୁଖ୍ୟ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ଆମ୍ୱୁଲାନ୍ସ ସେବା ପାଇଁ ଏକକ ୧୦୮ ନମ୍ୱର କରାଯିବା ଅତି ଉତ୍ତମ ପଦକ୍ଷେପ। ଏହା ଦ୍ୱାରା ଗର୍ଭବତୀଙ୍କ ଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ୱରକୁ ହିଁ କଲ କରିବେ। ପୂର୍ବରୁ ଗର୍ଭବତୀ ଏବଂ ଏକ ବର୍ଷରୁ କମ ଶିଶୁଙ୍କ ପାଇଁ ପ୍ରଚଳିତ ୧୦୨ ଆମ୍ୱୁଲାନ୍ସ ସେବା ଏବଂ ଏହାର କଲ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରଯାଇଛି। ଏହା ବାଦ ୧୦୨ କଲ ସେଣ୍ଟର ଆବଶ୍ୟକତା ଆଗକୁ ନଥିବା ଦୃଷ୍ଟିରୁ ଏହାକୁ ବନ୍ଦ କରିବା ପ୍ରକ୍ରିୟା ଧିରେ ଧିରେ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଆଶାଦିଦି ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି।’
ସୂଚନାଥାଉ କି, ଓଡିଶାରେ ମାର୍ଚ୍ଚ ୨୦୧୩ରୁ ଆରମ୍ଭ ହୋଇଥିବା ଏହି ୧୦୮ ଆମ୍ୱୁଲାନ୍ସ ସେବା ବର୍ତ୍ତମାନ ସୁଧା ୫୧ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ସ୍ଥାନାନ୍ତର କରିପାରିଛି। ସାରା ଓଡିଶାର ୩୦ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ସେବା ଉପଲବ୍ଧ। ବର୍ତ୍ତମାନ ସୁଧା ଓଡିଶାରେ ଏହାର ୧୧୨୪ଟି ଆମ୍ୱୁଲାନ୍ସ ଚାଲୁଥିବାବେଳେ ବିଭିନ୍ନ ଜଳବନ୍ଦୀ ଅଞ୍ଚଳମାନଙ୍କ ପାଇଁ ୬ଟି ବୋଟ ଆମ୍ୱୁଲାନ୍ସ ମଧ୍ୟ ଚାଲିଛି।
୧୦୮ ଆମ୍ୱୁଲାନ୍ସର କ୍ରିୟୁ ମେମ୍ୱରମାନେ ସହରରୁ ଆରମ୍ଭ କରି ବିଭିନ୍ନ ଉପାନ୍ତ ଅଞ୍ଚଳରେ ରୋଗୀମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି। ବିଭିନ୍ନ ସମୟରେ ଏହାର କର୍ମଚାରୀମାନେ ନିଜ କାର୍ଯ୍ୟକ୍ଷେତ୍ରରୁ ବାହାରକୁ ଯାଇ ରୋଗୀମାନଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି। ଯେଉଁଠି ରାସ୍ତା ନଥାଏ ବା ଖରାପ ରାସ୍ତା ଥାଏ ଆମ୍ୱୁଲାନ୍ସ କର୍ମୀ ରୋଗୀମାନଙ୍କୁ ତାଙ୍କ ଘରୁ ଷ୍ଟ୍ରେଚରରେ ଅନେକ କି.ମି ଚାଲି ଆମ୍ୱୁଲାନ୍ସ ପାଖକୁ ନେଇ ଆସନ୍ତି ତ କେଉଁଠି ରୋଗୀଙ୍କର ରକ୍ତ ଦରକାର ପଡିଲେ ୧୦୮ ଆମ୍ୱୁଲାନ କର୍ମୀ ରକ୍ତଦାନ ମଧ୍ୟ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/108_1625052812.jpg)