Hirakud Dam
ଭୁବନେଶ୍ୱର: ଜଳସ୍ତର କମିବା ପରେ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍। ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି। ବର୍ଷା କମିବା ପରେ ବୁଢ଼ାବଳଙ୍ଗ, ଇବ୍, ସୁବର୍ଣ୍ଣରେଖା ସମେତ ପ୍ରାୟ ସବୁ ନଦୀର ଜଳସ୍ତର ହ୍ରାସ ପାଉଛି।
ସେହିପରି ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବି ଜଳସ୍ତର କମିବାରେ ଲାଗିଛି। ବିଭିନ୍ନ ନଦୀରେ ଜଳ ପତ୍ତନ ହ୍ରାସ ପାଉଥିଲେ ମଧ୍ୟ ବନ୍ୟାଜଳ ଏବେ ନିଷ୍କାସନ ହୋଇପାରୁ ନଥିବାରୁ ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ନଦୀ କୂଳରେ ଥିବା ବହୁ ଗାଁ ପାଣି ଘେରରେ ରହିଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାପକ ଅଞ୍ଚଳରେ ଚାଷଜମି ନଷ୍ଟ ହୋଇଛି।
ସେହିପରି ଲଗାଣ ବର୍ଷା ଯୋଗୁ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଦେବୀ ଓ ଏହାର ଶାଖାନଦୀର ବନ୍ଧରେ ବିଭିନ୍ନ ସ୍ଥାନରେ ମାଟି ଧୋଇ ଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି। ୬ ଦିନ ହେଲା ଏହି ନଦୀବନ୍ଧ ଧସେଇ ହୋଇଯାଇ ଥିବାବେଳେ ସ୍ଥାନୀୟ ଜଳ ସମ୍ପଦ ବିଭାଗ ଏପର୍ଯ୍ୟନ୍ତ ବନ୍ଧ ମରାମତି କରିନଥିବା ଜଣାପଡ଼ିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବିଶେଷକରି ଅସ୍ତରଙ୍ଗର ଅସନ, କାଳିଆକଣ ଆଦି ଏକାଧିକ ସ୍ଥାନରେ ଦେବୀ ନଦୀବନ୍ଧ ଭୁଶୁଡି ପଡିଛି। ଝାଡ଼ଲିଙ୍ଗ ଲୁଣାବନ୍ଧରେ ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ଧ ଖାଇ ଯାଇଥିବା ଦେଖିବାକୁ ମିଳିଛି।
Also Read
ଅନ୍ୟପକ୍ଷେ, ମହାନଦୀରେ ବନ୍ୟା ପାଣି କମିଥିଲେ ମଧ୍ୟ, ଉଜାଡ଼ି ଯାଇଛି ଚାଷୀର ସୁନାର ଫସଲ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗୁଲାପଡାରେ ମହାନଦୀର ବନ୍ୟା ପାଣି ପଶି ଆସିଥିବାରୁ ଚାଷୀର ଏକର ଏକର ଧାନ ଏବଂ ପରିବା ଫସଲ ନଷ୍ଟ ହୋଇଯାଇଛି। କ୍ଷେତରେ ପାଣି ଜମି ରହିଥିବାରୁ ସବୁ ପରିବା ଗଛ ପଚି ଯାଇଛି। ଫଳରେ ଚାଷୀଙ୍କ ମୁଣ୍ଡରେ ବନ୍ୟା ପାଣିର ଚଡ଼କ ପଡିଛି।
ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଛି। ଜିଲ୍ଲାର ରେମୁଣା, ବସ୍ତା, ବାଲିଆପାଳ, ଭୋଗରାଇ ଓ ବାଲେଶ୍ୱର ସଦର ବ୍ଲକରେ ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମି କ୍ଷେତରେ ବନ୍ୟା ପାଣି ମାଡ଼ିଯାଇଛି। ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଚାଷୀ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)