ବାତ୍ୟା ଅସାନିର କୋପ ! କାକିନାଡ଼ାରେ ସମୁଦ୍ରର ଭୀମକାୟ ରୂପ

ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର ।

Cyclone

ବିଶାଖାପାଟଣାରେ ଅବିଶ୍ରାନ୍ତ ବର୍ଷା । ଗୋଦାବରୀ ଜିଲ୍ଲାରେ ଅଣଚାଷ ପବନର ତାଣ୍ଡବ । ସାମୁଦ୍ରିକ ଝଡ଼ ମାଡ଼ରେ ଘାଇଲା ମାନ୍ୟମ ଜିଲ୍ଲା । ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର । ମତ୍ସଜୀବୀ ସଂପ୍ରଦାୟ ଲୋକଙ୍କର ଭସାଇ ନେଇଛି ଘରଦ୍ୱାର । ଗାଁ ଭିତରେ ଲୁଣା ପାଣି ଲହଡ଼ି ଭାଙ୍ଗୁଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ବହୁ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ଯାତାୟାତରେ ବି ଘୋର ଅସୁବିଧା ।

ବିଶାଖାପାଟଣାରେ ଘୁ ଘୁ ଗର୍ଜନ କରି ଭୟଙ୍କର ରୂପ ଦେଖାଉଛି ସମୁଦ୍ର । ଅସ୍ତବ୍ୟସ୍ତ କରୁଛି ଝଡ଼ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ସମୁଦ୍ରକୂଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି ଆତଙ୍କ । ସେମିତି  କ୍ରିଷ୍ଣା ଜିଲ୍ଲାରେ ବି ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା । ବହୁ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ, ମୋବାଇଲ୍ ଟାଓ୍ୱାର ଭାଙ୍ଗିଛି ଓ ଉପୁଡିଛି । ବହୁ ସ୍ଥାନରେ ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡ଼ି ମୋଟର ଯେଉଁଠି ଯିଏ ପହଞ୍ଚଥିଲେ ସେଇଠି ଅଟକିଛନ୍ତି । ତେଣେ ଉଭୟ ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବି ପବନ ସାଙ୍ଗକୁ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି । ଓଡ଼ିଶାର କୋଟିଆକୁ ଲାଗିଥିବା ଆନ୍ଧ୍ରର ନୂଆ ଜିଲ୍ଲା ମାନ୍ୟମ୍‌ରେ ବି ଘାଇଲା କରିଛି ଝଡ଼ ମାଡ଼ । ବହୁ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଜାମ୍ । ଅଗ୍ନିଶମ ଓ NDRF ଟିମ୍ ପହଞ୍ଚି ଜୀବନ ସ୍ୱାଭାବିକ କରିବାକୁ ଉଦ୍ୟମ ଚଳାଇଛନ୍ତି ।

ଆଇଏମ୍‌ଡିର ଆକଳନ, ଆନ୍ଧ୍ର ଉପକୂଳ ଛୁଇଁ ବାତ୍ୟା ଅସାନି ପୁଣି ସମୁଦ୍ର ଭିତରକୁ ପଳାଇଯିବ । ତଥାପି ସାମୁଦ୍ରିକ ଝଡ଼ ପ୍ରକୋପରେ ପଡ଼ିଛି ଆନ୍ଧ୍ର ପ୍ରଦେଶର ୭ ଜିଲ୍ଲା । ବିଶାଖାପାଟଣା, ପୂର୍ବ ଓ ପଶ୍ଚିମ ଗୋଦାବରୀ, ମାନ୍ୟମ, କ୍ରିଷ୍ଣା, କୋନାସୀମା ଓ ଗୁଣ୍ଟୁର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

 

କେମିତି ଚାଲିଛି ଏସବୁ ଜିଲ୍ଲାରେ ବାତ୍ୟା ମୁକାବିଲା, ଜାଣିବାକୁ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନସିଂରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ସୂଚନା ଅନୁସାରେ ସାଇକ୍ଲୋନ୍ ମୁକାବିଲା ଲାଗି ଏନଡିଆରଏଫ୍‌ର ୫୦ଟି ଟିମ୍‌କୁ ମୁତୟନ କରାଯାଇଥିବା ବେଳେ ୪୫୪ ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ମେଡିକାଲ ଟିମ୍, ବିଦ୍ୟୁତ୍ ବିଭାଗ ଆଦିକୁ ସଜାଗ ରହିବାକୁ କହିଛନ୍ତି । ତାସହ ସବୁଠି କଣ୍ଟ୍ରୋଲ୍ ରୁମ୍ ଖୋଲି ବିପନ୍ନଙ୍କ ପାଖରେ ତତ୍‌କ୍ଷଣାତ୍ ପହଞ୍ଚିବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି ଜଗନମୋହନ ।

ସେପଟେ ଗତକାଲି ଅପରାହ୍ନରେ ଶ୍ରୀକାକୁଲମ ଜିଲ୍ଲାର ଏମ୍.ସୁନାପାଲ୍ଲୀ ନିକଟ ବଙ୍ଗୋପସାଗରରେ ଭାସମାନ ଗୋଲଡେନ୍ ରଥକୁ ନେଇ ଦୂର ହୋଇଛି ସସ୍‌ପେନ୍ସ । ସ୍ଥାନୀୟ ମେରାଇନ୍ ପୋଲିସର ପ୍ରାଥମିକ ଅନୁଧ୍ୟାନରୁ ଏହା ମ୍ୟାଁମାରରୁ ଆସିଥିବା ଜଣାପଡିଛି । ଭଗବାନ ବୁଦ୍ଧଙ୍କ ଉପରେ ବିଶ୍ୱାସ ରଖୁଥିବା ସେଠାକାର ଲୋକମାନେ ପ୍ରତିବର୍ଷ କାଠ ଓ କାର୍ଡବୋର୍ଡରେ ଏଭଳି ନୂଆ ନୂଆ ରଥ ତିଆରି କରି ସମୁଦ୍ରରେ ଭସାଇଥାନ୍ତି । ରଥଟି ଗତ ଜାନୁଆରୀ ମାସରେ ଛଡ଼ାଯାଇଥିଲା, ଯାହା ସମୁଦ୍ର ଢେଉରେ ଭାସି ଭାସି ଝଡ଼ ଯୋଗୁଁ ଆନ୍ଧ୍ର ଉପକୂଳକୁ ଚାଲି ଆସିଛି । ତାକୁ ନିଜ ଅକ୍ତିଆରକୁ ନେଇ ମେରାଇନ୍ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।