ସଅଳ ମୌସୁମୀ, କାଚିବ ବର୍ଷା
୧୬ ବର୍ଷ ପରେ ମେ'ରେ ପୁଣି ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ନିର୍ଦ୍ଧାରିତ ସମୟର ପାଖାପାଖି ୨ ସପ୍ତାହ ପୂର୍ବରୁ ରାଜ୍ୟରେ ପହଞ୍ଚି ଯାଇଛି ମନସୁନ୍ । ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ରାଜ୍ୟର ଅନ୍ୟ ଅଂଚଳରେ ବି ବର୍ଷା ଲାଗି ରହିଛି। ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ମୌସୁମୀ ପ୍ରବାହକୁ ଅଧିକ ବଳ ଯୋଗାଇଛି। ଆସନ୍ତାକାଲି ପାଇଁ ୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ବାକି ୨୬ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଏଥର ଆଗୁଆ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବାଭାବିକ ତାରିଖ ଠାରୁ ଢେର୍ ପୂର୍ବରୁ ଓଡ଼ିଶାକୁ ଭିଜାଇଛି ମୌସୁମୀ। ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟରେ ପ୍ରବେଶ କରିବା ସହିତ ଆଜି ସୁଦ୍ଧା ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପୁରା କଭର୍ କରିଛି। ସେହିପରି ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଆଂଶିକ ଭାବେ ଛୁଇଁଛି। ଯାହାର ପ୍ରଭାବରେ ଏସବୁ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି।
ଅଧିକ ପଢ଼ନ୍ତୁ: ସଅଳ ଆସି ସଅଳ ଫେରିଯିବ କି ମୌସୁମୀ...ଏଥିରେ କେତେ ଲାଭ କେତେ କ୍ଷତି ?
ଖୁବଶୀଘ୍ର ଏହା ଦକ୍ଷିଣ ଓଡ଼ିଶାର ଅନ୍ୟ ସ୍ଥାନ ସମେତ ରାଜ୍ୟର ଅନ୍ୟ ପ୍ରାନ୍ତକୁ ଅଗ୍ରସର ହେବ। ଓଡ଼ିଶାରେ ସାଧାରଣତଃ ଜୁନ୍ ଦ୍ବିତୀୟ ସପ୍ତାହରେ ପ୍ରବେଶ କରୁଥିବା ମୌସୁମୀ ଏଥର ସଅଳ ଆସିଛି । ଏହା ପୂର୍ବରୁ ୧୯୯୯ରେ ମେ’ ୨୮ ରେ, ଏବଂ ୨୦୦୯ରେ ମେ’ ୨୫ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସେପଟେ ଏଥର ମୌସୁମୀ ଋତୁରେ ୧୦୬ ପ୍ରତିଶତ ଅର୍ଥାତ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ଆକଳନ କରାଯାଇଥିବାରୁ, ଚାଷ କାମ ପାଇଁ ଏହା ବେଶ୍ ଉପାଦେୟ ହେବ ।
ଅନ୍ୟପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ବଙ୍ଗୋପସାଗରରେ ୱେଲମାର୍କଡ୍ ବା ସ୍ପଷ୍ଟଚିହ୍ନିତ ଲଘୁଚାପ ବଳ ଗୋଟାଉଥିବା ବେଳେ ପୁରୀ, କୋଣାର୍କ, ସୋନପୁର ଆଦି ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଜମି ବର୍ଷା ପାଣି ରହିଛି । ଖଡ଼ିଆଳରେ ପାଣିରେ ବୁଡିଛି ପାଚିଲା ଧାନ, ଆଉ ପାଣି ଭିତରୁ ଧାନ କାଟୁଛି ଚାଷୀ । ବୌଦ୍ଧ କଣ୍ଟାମାଳ ବ୍ଲକ ଘଣ୍ଟାପଡାରେ ପୋଲ ଉପରେ ଚାଲୁଛି ୪ ଫୁଟର ପାଣି, ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ମାଟି ଅତଡା ଖସିବାରୁ ଗଜପତି ଜିଲ୍ଲା ମୋହନା ବ୍ଲକର ୬ ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l
ଆସନ୍ତାକାଲିଠୁ ଦୁଇ ଦିନ ଯାଏଁ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏ ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସେପଟେ ଆସନ୍ତା ୩୦ ତାରିଖ ଯାଏ ପବନର ବେଗ ଘଣ୍ଟା ପ୍ରତି ୬୫ କିମି ରହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748445208.jpg)