ବର୍ଷା କଲାଣି ନାକେଦମ୍!! କେଉଁଠି ରାସ୍ତା ଦବିଛି ତ କେଉଁଠି ଘରେ ଆଣ୍ଠୁଏ ପାଣି

ଠପ୍ ହୋଇଯାଇଛି ଯାତାୟତ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି ।

Heavy Rain Fall

କେଉଁଠି କଂକ୍ରିଟ୍ ରାସ୍ତା ଦବିଛି ତ କେଉଁଠି ଧୋଇଯାଇଛି । ଠପ୍ ହୋଇଯାଇଛି ଯାତାୟତ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ପାରାଦୀପରେ ଫସିରହିଛି ଶତାଧିକ ଆନ୍ଧ୍ର ବୋଟ୍ ।

ଏଣେ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ବି ଜମିଥିଲା ପାଣି । ପାଣିପାଗ ବିଭାଗ କହିଛି, ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ, ସବୁଠି ବର୍ଷୁଛି । ଗତକାଲିଠୁ ମୂଷଳ ଧାରାରେ ଲାଗି ରହିଛି ବର୍ଷା ।

ଜଳେଶ୍ୱର ନିମାତପୁର ପଂଚାୟତ କୁଚିଳାଡାଙ୍ଗ ଗାଁ । ଦି ଦିନର ଲଗାଣ ବର୍ଷାରେ ଦବିଯାଇଛି କଂକ୍ରିଟ ରାସ୍ତା । ପାଖାପାଖି ୩୦ ଫୁଟ ଯାଏଁ ରାସ୍ତାର ମାଟି ଭୁଶୁଡି ପଡିଛି । ଫଳରେ ଗାଁରେ ରହୁଥିବା ୨୦ରୁ ଅଧିକ ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ବାଲିଆପାଳ-କମର୍ଦ୍ଦା ମୁଖ୍ୟ ରାସ୍ତାରେ ବି ସମାନ ଅବସ୍ଥା । ଲଗାଣ ବର୍ଷାରେ ଦବିଯାଇଛି କଂକ୍ରିଟ୍ ରୋଡ୍ । ୫ଶହ ମିଟର ଯାଏଁ ରାସ୍ତାର ମାଟି ଧସିଯାଇଛି । ଠପ୍ ହୋଇଯାଇଛି ଯାତାୟତ । ସେପଟେ ଲଘୁଚାପ ପ୍ରଭାବରେ ସମୁଦ୍ରରେ ଫସିଛନ୍ତି ମତ୍ସ୍ୟଜୀବୀ । ପାରାଦୀପରେ ଅଟକି ରହିଛି ଶତାଧିକ ଆନ୍ଧ୍ର ବୋଟ ।

ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ଘରକୁ ଫେରିନପାରି ଆଶ୍ରୟ ନେବାକୁ ପାରାଦୀପ ପୋତାଶ୍ରୟ ବାହାରେ ଅଛନ୍ତି । ସେହିପରି ପାରାଦୀପ ମହାନଦୀ ମୁହାଣରେ ଫସିଥିବା ୧୪ ଜଣ ମତ୍ସ୍ୟଜୀବୀଙ୍କୁ ୨ଟି ବୋଟ୍ ସହ ସୁରକ୍ଷିତ ଉଦ୍ଧାର କରିଛି କୋଷ୍ଟଗାର୍ଡ । ସେପଟେ ରାତି ତମାମ ମୂଷଳଧାରାରେ ବର୍ଷା ଯୋଗୁଁ ଜଳମଗ୍ନ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ।

ଘଣ୍ଟା ଘଣ୍ଟା ଯାଏଁ ଫୁଟେ ପାଣିରେ ବୁଡି ରହିଥିଲା କୋଣାର୍କ ପରିସର । ଫଳରେ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ରାପଡା ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହଙ୍କ ମନ୍ଦିର ସମ୍ମୁଖ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷାପାଣି । ପାଖରେ ଥିବା ଘର ଓ ବ୍ୟାଙ୍କରେ ବି ପାଣି ପଶିଛି ।

ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ନେଇ ଆସନ୍ତାକାଲି ସକାଳ ଯାଏଁ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏସବୁ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ।

ସେପଟେ ତାଳଚେର ବାଲୁଙ୍ଗାରେ ନାଳ ଜାମ୍ ହୋଇ ବର୍ଷା ପାଣି ଗାଁରେ ପଶିଛି । ଘରେ ଦୁଇ ଫୁଟର ପାଣି । ତା ଭିତରେ ବୁଡି ରହିଛି ଆସବାବପତ୍ର । ବର୍ଷା ଲାଗି ରହିଥିବାରୁ ଆହୁରି ବଢିଛି ଯନ୍ତ୍ରଣା । 

ସେପଟେ ସୁବର୍ଣ୍ଣରେଖାରେ ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆଶଙ୍କା । ନଦୀର ଉପର ମୁଣ୍ଡରେ ଝାରଖଣ୍ଡ ଓ ଅବବାହିକାରେ ପ୍ରବଳ ବର୍ଷା ଜାରି ରହିଛି । ଏଭଳି ସ୍ଥିତିରେ ସୁବର୍ଣ୍ଣରେଖାକୁ ଗାଲୁଡ଼ିହି ବ୍ୟାରେଜରୁ ୨୨୦୦ କ୍ୟୁସେକ୍ ବନ୍ୟାଜଳ ଛଡାଯାଇଛି । ଦିନ ୧୦ଟାରେ ବନ୍ୟା ଜଳ ଛଡାଯାଇଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛି ।

ଗାଲୁଡ଼ିହି ବ୍ୟାରେଜରେ ଜଳଧାରଣ କ୍ଷମତା ୯୪.୫ ମିଟର ଥିବା ବେଳେ ଜଳସ୍ତର ରହିଛି ୧୦୧.୨୫ ମିଟର । ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ଏପଟେ ରାଜଘାଟ ନିକଟରେ ସତର୍କ ସୂଚନା ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର । ଏଠାରେ ପାଣି ପହଁଚିବାକୁ ପାଖାପାଖି ୧୨ ଘଣ୍ଟା ସମୟ ଲାଗିବ ବୋଲି ଜଣାପଡିଛି ।