Odisha Weather
ପୁଣି ଲଘୁଚାପ, ଆସୁଛି ବଡ଼ ବର୍ଷା । ଆଗାମୀ ୪ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ପ୍ରଭାବ । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ନୟାଗଡ଼, ଗଂଜାମ ଓ ନବରଙ୍ଗପୁରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବି ବହିପାରେ । ୨୯ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ସକ୍ରିୟ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଆଜିଠାରୁ ୨୯ ତାରିଖ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖାରେ ଷଷ୍ଠ ଥର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ହୋଇଛି । ବିଭିନ୍ନ ଗାଁ ପାଣି ଘେରରେ ରହିଥିବାବେଳେ ନଦୀ କୂଳିଆ ଗାଁ ଗୁଡ଼ିକରେ ୪ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି । ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।
ସେପଟେ ବୈତରଣୀ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ବନ୍ୟାରେ ୪୬ଟି ଗାଁ ଓ ୧୪ ପଞ୍ଚାୟତ ପ୍ରଭାବିତ ହୋଇଛି । ବୈତରଣୀର ଶାଖା ନଦୀ କାଣିରେ ୬୦ ଫୁଟର ଘାଇ ସୃଷ୍ଟି ହେବା ପରେ ଦୁର୍ଦ୍ଦଶାରେ ଦଶରଥପୁର ବ୍ଲକର ଏକାଧିକ ପଞ୍ଚାୟତ । ଦୁର୍ଦ୍ଦଶା ଘେରରେ ମଲ୍ଲିକାପୁର, କସପା, ମହାନ୍ତିପାଟଣା, ଦୁଦୁରାଅଣ୍ଟା, ସୁସୁଆ, ନିଜାମପୁର ଓ ଖାନନଗର ଆଦି ପଞ୍ଚାୟତ । ଘାଇ ନିକଟରେ ଥିବା ଗାଁ ଗୁଡ଼ିକରେ ଘର ଭିତରେ ଛାତିଏ ଉଚ୍ଚ ପାଣି ପ୍ରଖର ସୁଅରେ ବହୁଥିବା ବେଳେ, କିଏ ଛାତ ଉପରେ ଆଶ୍ରୟ ନେଇଛନ୍ତି, ତ ଆଉ କିଏ ସ୍କୁଲ ଘରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756188211.jpg)