Weather Alert: ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ରହିବ । ଆଜି ୫ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ପଢନ୍ତୁ ପୁରା ଖବର

କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ଆଜି ବି କାଳବୈଶାଖୀ ସମ୍ଭାବନା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ହେବ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୫ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ।  ଏସବୁ ଜିଲ୍ଲାର କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ ।

ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ୩ ରୁ ୫ ଡିଗ୍ରୀ କମିବ ତାପମାତ୍ରା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର କେତେକ ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ସେହିଭଳି କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ଆସନ୍ତାକାଲି ପାଇଁ ସାରା ରାଜ୍ୟକୁ ଝଡ଼ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ୨୩ ତାରିଖ ବେଳକୁ ଝଡବର୍ଷାର ପ୍ରଭାବ ସାମାନ୍ୟ କମିବ । 

ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଅଦିନରେ ତୁହାକୁ ତୁହା କୁଆପଥର ବର୍ଷା । ଏମିତି ବର୍ଷିଲା ଯେ, ସବୁ ଛାରଖାର କରିଦେଲା । ଭାଙ୍ଗିଲା ଆଜବେଷ୍ଟସ, ବହୁ ଗାଡିର କାଚ ଗୁଣ୍ଡ । ମୟୂରଭଞ୍ଜ ବାଙ୍ଗିରିପୋଷିରେ ଛେଚିଛି କୁଆପଥର । ସନ୍ଧ୍ୟାରେ ହଠାତ୍ ପବନ ସହ ବର୍ଷା ହୋଇଥିଲା । ଦୀର୍ଘ ଅଧଘଣ୍ଟା ଧରି କୁଆପଥର ମାଡ଼ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଚାଳଛପର ଓ ଆଜବେଷ୍ଟସ ଘର ନଷ୍ଟ ହୋଇଯାଇଛି । କାର କାଚ ଭାଙ୍ଗି ଚୁରମାର ହୋଇଯାଇଛି । କୁଆପଥର ମାଡ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ । ରାଇରଙ୍ଗପୁରରେ ବି କୁଆପଥର ମାଡ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ: କାହିଁକି ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ହେଲେ ବଞ୍ଚିତ? କାରଣ କହିଲେ ପ୍ରଭାତୀ