Odisha to Witness Light Rainfall: ପୁଣି କାଲିଠୁ ବର୍ଷା ! ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର

ପୁଣି ଆସୁଛି ବର୍ଷା । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

Odisha to Witness Light Rainfall

ପୁଣି ଆସୁଛି ବର୍ଷା । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଦୁଇ ଦିନ ଲାଗି ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଡିସେମ୍ବର ୨୪ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଇଛି ।

କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଏହା ଆସନ୍ତାକାଲିରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ମୁହାଁ ହେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ପୁଣି କାଚିବ ବର୍ଷା ! ୨୪ ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଏହାର ପ୍ରଭାବରେ ଓଡ଼ିଶା ଉପରେ ଏକ ନିମ୍ନଚାପ ରେଖା ସୃଷ୍ଟି ହୋଇପାରେ । ଦକ୍ଷିଣ-ପୂର୍ବ ଦିଗରୁ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ରାଜ୍ୟକୁ ପ୍ରବେଶ ଯୋଗୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ବାତ୍ୟା ‘ଦାନା’ ଯେତିକି ଉଜାଡ଼ି ନଥିଲା, ତାଠୁ ଅଧିକ ଉଜାଡ଼ିଲା ଲଘୁଚାପ ବର୍ଷା ।

ବିଲ ମଝିରୁ ଅଦିନିଆ ବର୍ଷା ଚାଷୀର ବର୍ଷକର ଆହାର ଛଡ଼ାଇ ନେଇଛି । ଆଜି ବର୍ଷା ଛାଡ଼ିବା ପରେ କେଉଁଠି କ୍ଷେତ ଭିତରେ ପାଣି କାଟି ଧାନ କଳେଇକୁ ସଂଗ୍ରହ କରୁଛି ଚାଷୀ ତ ଆଉ କେଉଁଠି ଓଦା ଧାନକୁ ଖଳାକୁ ଆଣି ଶୁଖାଉଛି । କିନ୍ତୁ ଏବର୍ଷ ଯେ, ଏହି ଫସଲରୁ ପରିବାର ମୁହଁକୁ ଦାନା ଦେଇପାରିବ, ଆଶା ଛାଡ଼ି ଦେଇଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆକଳନ ପରେ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ ।

ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା । ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି । ଆଜି ବର୍ଷା ଛାଡ଼ିଛି, ପାଗ ବଦଳିଛି । କିନ୍ତୁ ଲଘୁଚାପଜନିତ ବର୍ଷାର ଦାଉ ପରେ କ୍ଷେତ ମଝିରୁ ବାରି ହେଉଛି ଉଜୁଡ଼ା ଫସଲର କ୍ଷତଚିହ୍ନ ।

ମାଟିରେ ଲୋଟି ପାଣିରେ ବତୁରି ଯାଇଥିବା କଳେଇ ଉଠେଇଲା ବେଳକୁ ବାରି ହେଉଛି ଚାଷୀର ବେଦନା । ଧାନ ବିଡ଼ାକୁ ପାଣିରୁ ଛାଣି ଉଚ୍ଚସ୍ଥାନକୁ ନେଇ ଶୁଖାଇବାକୁ ଉଦ୍ୟମ କରିଛନ୍ତି ଚାଷୀ । ଚାଷୀ କୂଳକୁ କାଳ ସାଜିଥିବା ଅଦିନିଆ ବର୍ଷା, ଆଖି ଆଗରେ ନଷ୍ଟ କରିଦେଇଛି ବର୍ଷକର ଦାନାପାଣି, ଯିଏ ଦେଖୁଛି, ସିଏ ହିଁ ଜାଣୁଛି ।

ଯାଜପୁର ହେଉ ବା ଭଦ୍ରକ,ଢେଙ୍କାନାଳହେଉ ବା କଟକ ଜିଲ୍ଲା, କ୍ଷେତ ମଝିରେ ବର୍ଷା ପାଣିରେ ବତୁରି ଯିବା ପରେ ଚାଷୀର ଦୁର୍ଦ୍ଦଶା ଏବେ କହିଲେ ନସରେ । କେବଳ ଧାନ ନୁହେଁ, ପରିବା ଫସଲ ବି ପାଣି ମାଡ଼ ଖାଇ ମାଟିରେ ଲୋଟିଛି । ଏମିତି ଘଟଣା ହେଉଛି କଟକ ବାଙ୍କୀ ଇଲାକାର। ଯେଉଁ ଅଞ୍ଚଳର ପରିବା କଟକ-ଭୁବନେଶ୍ୱରବାସୀଙ୍କ ଦୈନିକ ଆବଶ୍ୟକତାକୁ ପୂରଣ କରିଥାଏ ।

କିନ୍ତୁ ହେକ୍ଟର ହେକ୍ଟର ପରିବା ଏବେ ଉଜୁଡ଼ିଯାଇଛି ଏଭଳି ଭାବେ । ଲଘୁଚାପ ବର୍ଷା କେବଳ ଉପକୂଳ ଓଡ଼ିଶା ନୁହଁ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ବି ବ୍ୟାପକ କ୍ଷତିରେ ପକାଇଛି । ଏଭଳି ସ୍ଥିତିରେ ଚାଷୀଙ୍କୁ କିଭଳି କ୍ଷତିପୂରଣ ଦିଆଯିବ, ସେନେଇ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ଆରଡିସିଙ୍କ ସମେତ ରାଜସ୍ୱ ଅଧିକାରୀଙ୍କ ସହ ନିଜେ କଥାବାର୍ତ୍ତା ହୋଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ । କ୍ଷୟକ୍ଷତିର ସଠିକ୍ ଆକଳନ, ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଉପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି କାଚିବ ବର୍ଷା ! ୨୪ ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା