ଜାରି ରହିବ ମୁଣ୍ଡଫଟା ଖରାର ରାଜୁତି, ହେ ପ୍ରଭୁ! ରକ୍ଷା କର...

ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।

Weather

ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସେ ସବୁ ହେଲା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ଅନୁଗୁଳ ଭଳି ୧୧ ଜିଲ୍ଲା ।

ସେହିଭଳି ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଗତକାଲି ୧୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ବାରିପଦା ସହର । ବାରିପଦାରେ ୪୬.୪ ଡିଗ୍ରୀ ସେଲସିୟସ ପାରଦ ରେକର୍ଡ ହୋଇଛି ।

ଗତକାଲି ବାଲେଶ୍ୱରରେ ଅଗ୍ନି ପିଣ୍ଡୁଳା ଓ ଭୁବନେଶ୍ୱରରେ ନିଆଁ ହୁଳା ବର୍ଷିଥିଲା । ଦିନ ୧୧ଟା ପରେ ଭୟଙ୍କର ରୌଦ୍ର ତାପରେ ସିଝୁଥିଲା ରାଜଧାନୀ ସହ ରାଜ୍ୟର ଅନ୍ୟତମ ପ୍ରମୁଖ ସହର । ଦିନ ଅଢ଼େଇଟା ସୁଦ୍ଧା ବାଲେଶ୍ୱରରେ ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱରରେ ଥିଲା ୪୫.୪ ଡିଗ୍ରୀ ।

ସେମିତି ବାରିପଦା, ଟିଟିଲାଗଡ଼, ଅନୁଗୁଳ ଓ ସୁନ୍ଦଗରଡ଼ ଆଦି ସ୍ଥାନରେ ବି ତାତିର ଅସହ୍ୟ କୋପ । ସକାଳ ୮ଟା ପରଠୁ ପ୍ରଚଣ୍ଡ ଖରା ସହ ତାଳ ଦେଇ ଜନଜୀବନକୁ କଲବଲ କରି ଦେଉଥିଲା ଗୁଳୁଗୁଳି । ପାଣିପାଗ ବିଭାଗର ଆକଳନ, ମେ’ ଦ୍ୱିତୀୟ ସପ୍ତାହ ଯାଏଁ ଏମିତି କଲବଲ କରିବ ତାତି । ମେ’ ୨ରୁ ୪ ମଧ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଖସିପାରେ ପାରଦ ।

ହେଲେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସେମିତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ରାଜ୍ୟରେ ବଢ଼ି ଚାଲିଛି ଅଂଶୁଘାତ । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ୩୬୭ ଜଣ ଅଂଶୁଘାତ ଓ ତାତିଜନିତ ଅସୁସ୍ଥତା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ ୬୦ ଓ ମୟୂରଭଞ୍ଜରୁ ୫୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ ବାଲେଶ୍ୱର ଓ ଢେଙ୍କାନାଳରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ସ୍ୱାସ୍ଥ୍ୟ ବିଭାଗ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅତ୍ୟଧିକ ଖରା ଯୋଗୁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ଦେଖାଦେବାର ଆଶଙ୍କା ରହିଛି । ଏଣୁ ଲୋକମାନେ ପିକ୍ ଆୱାରରେ ଘର ଭିତରେ ରୁହନ୍ତୁ । ଖରା ଯୋଗୁ ମୁଣ୍ଡ ବୁଲାଇଲେ, ଜିଭ ଶୁଖିଗଲେ କିମ୍ବା ବାନ୍ତି ଲାଗିଲେ, ତୁରନ୍ତ ଛାଇକୁ ଯିବା ସହ ଓଦା କପଡ଼ାରେ ବିଞ୍ଛିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।