ମୁମ୍ବାଇରେ ଜଳ ପ୍ରଳୟ, ରାସ୍ତାଘାଟରେ ଲହଡି ଭାଙ୍ଗୁଛି ବର୍ଷା ପାଣି

ରାଜଧାନୀ ଦିଲ୍ଲୀ ପରେ ଏବେ ମାୟାନଗରୀ ମୁମ୍ବାଇରେ ବର୍ଷା ଯୋଗୁଁ ସ୍ଥିତି ବେହାଲ । ପ୍ରବଳ ବର୍ଷାରେ ଘର-ଦୁଆର, ରାସ୍ତାଘାଟ ସବୁ ଆଡେ ଖାଲି ପାଣି ହିଁ ପାଣି ।

Weather

ରାଜଧାନୀ ଦିଲ୍ଲୀ ପରେ ଏବେ ମାୟାନଗରୀ ମୁମ୍ବାଇରେ ବର୍ଷା ଯୋଗୁଁ ସ୍ଥିତି ବେହାଲ । ପ୍ରବଳ ବର୍ଷାରେ ଘର-ଦୁଆର, ରାସ୍ତାଘାଟ ସବୁ ଆଡେ ଖାଲି ପାଣି ହିଁ ପାଣି । ସହରର ଗଳିକନ୍ଦି, ମାର୍କେଟ, ରାସ୍ତାଘାଟରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେଉଁଠି ଆଣ୍ଠୁଏ ତ ଆଉ କେଉଁଠି କାର୍ ଛାତ ଛୁଇଁବା ଯାଏ ପାଣିର ସୁଅ ।

ବିଦ୍ୟାବିହାରର ଟ୍ରେନ୍ ଟ୍ରାକରେ ବହୁଛି ପାଣି, ଆଉ କେଉଁଠି ଅଣ୍ଡର ପାସ ଜଳବନ୍ଦୀ । ଥାନେ, ଅନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି । ଫଳରେ ସହର ସାରା ଦେଖାଦେଇଛି ଟ୍ରାଫିକ ଜାମ୍ ସ୍ଥିତି । ବର୍ଷା ଯୋଗୁଁ ସ୍କୁଲ, କଲେଜ ଛୁଟି ଘୋଷଣା କରିଛି ବମ୍ବେ ମ୍ୟୁନିସିପାଲିଟି କର୍ପୋରେସନ୍ ।

ଗତକାଲି ମଧ୍ୟରାତ୍ରିରୁ ଆଜି ସକାଳ ୭ଟା ଯାଏ ଛଅ ଘଣ୍ଟା ମୁମ୍ବାଇରେ ମୂଷଳଧାରାରେ ବର୍ଷା ହୋଇଥିଲା । ବିଭିନ୍ନ ସ୍ଥାନରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମୁମ୍ବାଇ ପାଇଁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ଆଲର୍ଟ ।

ଭୀଷଣ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ସେପଟେ ପ୍ରବଳ ବର୍ଷା ପାଇଁ ଦେଶରେ ପରିସ୍ଥିତି ଜଟିଳ । ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି ।

ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ସେନା ମୁତୟନ ହୋଇଛନ୍ତି । ଲଗାଣ ବର୍ଷାରେ କେଦାରନାଥରେ ବରଫ ଧସିଛି । ଲଗାଣ ବର୍ଷା ପୂରା ଭାରତରେ ତାଣ୍ତବ କରିଛି । ଉତ୍ତର ପ୍ରଦେଶ ମୋରଦାବାଦର ଭୋଳାନାଥ କଲୋନୀରେ ଲଗାଣ ବର୍ଷା ଯୋଗୁଁ ଏହା ଏକ ବୃହତ ଜଳାଶୟର ଆକାର ଧାରଣ କରିଛି । ଦୁଇ ତିନି ଦିନ ହୋଇଗଲାଣି ସ୍ଥିତିରେ କୌଣସି ସୁଧାର ନାହିଁ । ଡ୍ରେନେଜ୍ ସମସ୍ୟା କାରଣରୁ ଏଠାରେ ସ୍ଥିତି ବିଗିଡ଼ିଛି । ତେଣୁ ଲୋକେ ପ୍ରଶାସନର ଡଙ୍ଗା ଉପରେ ନିର୍ଭରଶୀଳ ହୋଇପଡିଛନ୍ତି ।

ଦିନ ଯେତିକି ଯେତିକି ଗଡ଼ୁଛି ସ୍ଥିତି ସେତିକି ସେତିକି ବିଗିଡ଼ିବାରେ ଲାଗିଛି । ଘର ଭିତରେ ଛିଡ଼ା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି । ଖାଇବାକୁ ଗଣ୍ଡେ ଦାନା ନାହିଁ । ବନ୍ୟା ପାଣିରେ ସବୁ କିଛି ବୁଡ଼ିରହିଛି । ଫଳରେ ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ବାଘ, ହାତୀ ତ ପୁଣି କେତେବେଳେ ଲୋକଙ୍କ ନିକଟକୁ ମାଡ଼ି ଆସୁଛନ୍ତି ଗଣ୍ଡା । ଯାହାଦ୍ୱାରା ଭୟରେ ଲୋକଙ୍କ ଜୀବନ କଟୁଛି ।

ଆସାମରେ ଏବେ ବି ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି । ବିଭିନ୍ନ ନଦୀର ଜଳସ୍ତର ସାମାନ୍ୟ ଖସିଥିଲେ ମଧ୍ୟ ବନ୍ୟାଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିନି । ଶହ ଶହ ଗାଁ ଏବେ ବି ଜଳମଗ୍ନ ଅବସ୍ଥାରେ ରହିଛି । କେଉଁଠି ରାସ୍ତା ଯୋଇ ଯାଇଛି ତ କେଉଁଠି ଘରଦ୍ୱାର ଭସାଇ ନେଇଛି ବନ୍ୟା । ଆସାମର ୩୦ଟି ଜିଲ୍ଲାର ପ୍ରାୟ ୨୪ ଲକ୍ଷରୁ ଅଧିକ ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ।

ଖାଲି ଗ୍ରାମାଞ୍ଚଳ କାହିଁକି ଆସାମର ସହରାଞ୍ଚଳ କାମରୁପ ଏବଂ ଡିବ୍ରୁଗଡ଼ରେ ମଧ୍ୟ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ସ୍ଥିତି ଗମ୍ଭୀର । ଜଙ୍ଗଲର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ଫଳରେ ଏଣେ ତେଣେ ଦୌଡ଼ିବାକୁ ଲାଗିଛନ୍ତି ବନ୍ୟପ୍ରାଣୀ । ଉଚ୍ଚସ୍ଥାନ ଦେଖି ବନ୍ୟପ୍ରାଣୀ ଆଶ୍ରୟ ନେଇଛନ୍ତି ।

ହାତୀ ପଲ ସହ ଗଣ୍ଡା ବାରହା ଅନ୍ୟ ସରୀସୃପମାନେ ମଧ୍ୟ ଉଚ୍ଚ ସ୍ଥାନକୁ ଉଠି ଆସିଛନ୍ତି । କାଜିରଙ୍ଗା ବନ୍ୟାରେ ୧୩୦ରୁ ଅଧିକ ବନ୍ୟପ୍ରାଣୀଙ୍କର  ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ବନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରାଯାଇ ସାରିଲାଣି । ମୃତ ବନ୍ୟପ୍ରାଣୀଙ୍କ ମଧ୍ୟରେ ୬ଟି ଗଣ୍ଡା ଓ ୧୧୭ଟି ହରିଣ ଥିବା ଜଣାପଡ଼ିଛି । ପାଣିରେ ବୁଡ଼ି ୯୮ଟି ହରିଣଙ୍କର ମୃତ୍ୟୁ ଘଟିଛି । ସେହିପରି ଗାଡ଼ି ଧକ୍କାରେ ୨ଟି ଏବଂ ଚିକିତ୍ସାଧିନ ଅବସ୍ଥାରେ ୧୭ଟି ହରିଣ ଆଖି ବୁଜିଛନ୍ତି ।