ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ସହ ଝଡ଼ ତୋଫାନ ସତର୍କତା, ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ ସତର୍କତା । ଆଗାମୀ ୩ ଦିନ ଯାଏ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା । ଗରମ ସହ ଗୁଳୁଗୁଳିରେ ବି ସନ୍ତୁଳି ହେବେ ରାଜ୍ୟବାସୀ ।

Weather Update

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ ସତର୍କତା । ଆଗାମୀ ୩ ଦିନ ଯାଏ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା । ଗରମ ସହ ଗୁଳୁଗୁଳିରେ ବି ସନ୍ତୁଳି ହେବେ ରାଜ୍ୟବାସୀ । ଆଜି ପାଇଁ ୩ ଜିଲ୍ଲା ବରଗଡ଼, ବଲାଙ୍ଗିର, ନୂଆପଡ଼ାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ବାକି ୧୧ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ପାଇଁ ୟେଲୋ ସତର୍କତା ଜାରି ହୋଇଛି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୨ ତାରିଖ ଯାଏ ଝଡ଼ ତୋଫାନ ନେଇ ସତର୍କତା ଜାରି କରିଛି ଏଭଳି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତା ୧୦ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ପୂର୍ବରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହୋଇପାରେ ପ୍ରାକ୍ ମୌସୁମୀ ବର୍ଷା । ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ।

ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଓ କେରଳ ଛୁଇଁଥିଲା ମନସୁନ୍ । ଅନ୍ୟପଟେ ଚଳିତ ଗ୍ରୀଷ୍ମରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ଗଲାଣି ଅନେକ ଜୀବନ । ଅଭିଯୋଗ ଆସିଥିଲା ୧୫୧ଟି । ତା’ମଧ୍ୟରୁ ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅନ୍ୟ ୩୧ ଜଣକ ମୃତ୍ୟୁର କାରଣ ଭିନ୍ନ ଭିନ୍ନ । ବଳକା ୮୪ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା SRC ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଅଂଶୁଘାତଜନିତ ଘଟଣା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଭଳି ଜିଲ୍ଲାରୁ ଅଭିଯୋଗ ଆସିଛି । ଅସ୍ୱାଭାବିକ ଭାବେ ଲୋକଙ୍କ ଜୀବନ ଯାଇଛି । ଏହି ଘଟଣା ପରେ ସତର୍କତା ସୂଚନା ମୂଳକ ଭାବେ ପିକ୍ ସମୟରେ କାମ କରିବାକୁ ବାରଣ କରିଛନ୍ତି SRC ।