Advertisment

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା: ଏହି ୨ ଜିଲ୍ଲାକୁ ମାଡ଼ି ଆସୁଛି ବିପତ୍ତି

ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା। ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍‌ର ଜଳ ପ୍ରବାହରୁ ୨ ଜିଲ୍ଲାର ୬ଟି ବ୍ଲକ୍‌ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Major flood in Subarnarekha river

Major flood in Subarnarekha river

ମହାନଦୀ ସିଷ୍ଟମ୍ ପରେ ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରୁ ୧୬ ଗେଟ୍ ଖୋଲିବା ପରେ ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ବଡ଼ ବିପତ୍ତି। ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍‌ର ଜଳ ପ୍ରବାହରୁ ୨ ଜିଲ୍ଲାର ୬ଟି ବ୍ଲକ୍‌ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି।

Advertisment

ମୟୂରଭଞ୍ଜର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିବାର ଆଶଙ୍କା ରହିଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା ଅନୁସାରେ, ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ତାହା ଆହୁରି ବଢ଼ିବ। ଆଜି ମଧ୍ୟାହ୍ନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ।

ଭୋଗରାଇ ଓ ବାଲିଆପାଳର କିଛି ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରି ସାରିଛି। ସେପଟେ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିଲେ ବି ତାହା ଧୀରେ ଧୀରେ କମୁଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମୁଣ୍ଡଳୀରେ ବି ମହାନଦୀର ଜଳସ୍ତର ଖସୁଛି। ପୁଣି ୨୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗର ସବିଶେଷ ଆକଳନ ମିଳିବା ପରେ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Advertisment

SRCଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି। ଦୁଇ ଜିଲ୍ଲାକୁ NDRF, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଅପରେସ୍ନାଲ୍ ଟିମ୍ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା ଦିଆଯାଇଛି। ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ଥିବାବେଳେ ସୁବର୍ଣ୍ଣରେଖାର ବନ୍ୟା ଜିଲ୍ଲା ପାଇଁ ବଡ଼ ବିପତ୍ତି ଆଣିଛି।

ଆସନ୍ତାକାଲିଠୁ ଅର୍ଥାତ୍ ୨୩ ତାରିଖରୁ ୩ ଦିନ ଧରି ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୨୩ ତାରିଖ ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Odisha Flood Fury Rain In Odisha Flood In Odisha Odisha Flood Subarnarekha River
Advertisment
Advertisment