ଆଗକୁ ଆସୁଛି କାଳବୈଶାଖୀ । ଏହା ପ୍ରଭାବରେ ରାଜ୍ୟରେ କମିବ ତାତି । ମୁଣ୍ଡଫଟା ଖରାରୁ ସାମାନ୍ୟ ଆଶ୍ୱସ୍ତ ହେବେ ରାଜ୍ୟବାସୀ । ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ତା' ପୂର୍ବରୁ ରାଜ୍ୟରେ ଆଉ ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।
ଅଧିକ ପଢ଼ନ୍ତୁ: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି, ସିଝୁଛି ପଶ୍ଚିମ ଓଡ଼ିଶା
୧୯ ତାରିଖ ଯାଏଁ କଲବଲ କରିବ ଅସମ୍ଭାଳ ତାତି । ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ରହିଛି । ଏଥିପାଇଁ ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ହିଟୱେଭକୁ ନେଇ ଅନୁଗୁଳ, ବଲାଙ୍ଗୀର, ସୁନ୍ଦରଗଡରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ସହ ମୟୂରଭଞ୍ଜ, କେନ୍ଦୁଝର ଢେଙ୍କାନାଳ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବର୍ତ୍ତମାନ ରାଜ୍ୟରେ ରେକର୍ଡ ଭାଙ୍ଗୁଛି ପାରଦ । ମାର୍ଚ୍ଚ ଅଧାରୁ ଜଳୁଛି ଅଧାରୁ ଅଧିକ ଓଡ଼ିଶା । ଖାସ୍ କରି ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରିଚାଲିଛି ଉପରମୁହାଁ ପାରଦ । ଲଗାତାର ଦ୍ୱିତୀୟ ଦିନ ପାଇଁ ବୌଦ୍ଧ ଦେଶର ଉତ୍ତପ୍ତ ସହର ପାଲଟିଛି । ଶନିବାର ବୌଦ୍ଧରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀରେ ପହଞ୍ଚିଥିଲା ।
ଦିନ ୧୧ଟା ବାଜିବା ମାତ୍ର ବାହାରକୁ ଗୋଡ଼ କାଢିବା ମୁସ୍କିଲ ହୋଇଯାଉଛି । ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହୁଛି ପାରଦ । ଏହି ଟାଣ ଖରା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଜଳ ଯନ୍ତ୍ରଣା ଚିନ୍ତା ବଢାଇ ଦେଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଲଣ୍ଡେଇ ସାହିରେ ଦେଖିବାକୁ ମିଳିଛି ଜଳକଷ୍ଟର ଅସଲ ଚିତ୍ର । ନା ଷ୍ଟାଣ୍ଡପୋଷ୍ଟରୁ ପର୍ଯ୍ୟାପ୍ତ ପାଣି ଆସୁଛି ନା କୂଅରୁ ପାଣି ଉଠାଇପାରୁଛି ମୋଟର । ଜଳ ଯୋଗାଣ ବ୍ୟବସ୍ଥା ଭଲ ନଥିବାରୁ ସମାନ ଦଶା ଭୋଗୁଛନ୍ତି ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତବାସୀ ।
ସେହିପରି ଷ୍ଟିଲସିଟି ରାଉରକେଲାର ୧୦ଟି ସ୍ଥାନରେ ୱାଟର୍ ଏଟିଏମ୍ ଅଚଳ ହୋଇପଡ଼ିଥିବାରୁ ଉତ୍କଟ ହୋଇପଡ଼ିଛି ପାନୀୟ ଜଳ ସଙ୍କଟ । ବଲାଙ୍ଗିର ସହରରେ ମଧ୍ୟ ଡହଳବିକଳ ହେଉଛନ୍ତି ସାଧାରଣ ଜନତା ।