ତାତିରୁ ମିଳୁନି ତ୍ରାହି, ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ ।

Heat Wave

କାଳବୈଖାଶୀ ହେବ, ତାତିରୁ ମିଳିବ ତ୍ରାହି । ପାଣିପାଗ ବିଭାଗର ଏହି ଆକଳନ ସତ୍ତ୍ୱେ ରାଜ୍ୟରେ ପ୍ରବଳ ଗରମ ହେଉଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ । ସେହିପରି ଭୁବନେଶ୍ୱରରେ ପାରଦ ୪୦.୭ ରହିଥିବା ବେଳେ ବାଲେଶ୍ୱରରେ ରହିଛି ୪୦.୧ ଡିଗ୍ରୀ । ପାଗରେ ପରିବର୍ତ୍ତନ ନେଇ ପାଣିପାଗ ବିଭାଗ କହିଛି-ଉତ୍ତର, ଆଭ୍ୟନ୍ତରୀଣ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ଫଳରେ ଗତ କିଛି ଦିନ ଧରି ଲାଗି ରହିଥିବା ତାତିର ପ୍ରଭାବରେ କିଛିଟା ଆଶ୍ୱସ୍ତି ମିଳିପାରେ ।

ଗତକିଛି ଦିନ ଧରି ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ଗତକାଲି ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ସେପଟେ ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ତେବେ ଆଜି ସାମାନ୍ୟ ଆଶ୍ୱସ୍ତି ଦେଇପାରେ କାଳବୈଶାଖୀ । ଆଜିଠୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ନେଇ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିଲା । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ଏହି ଦୁଇ ସହରରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ୩୦ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଉପରେ ରେକର୍ଡ ହୋଇଛି ।