Weather Update
ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି । ଆରମ୍ଭରୁ ମୌସୁମୀ ଧୋକା ଦେବା ପରେ ଆଷାଢ଼ରେ ଗ୍ରୀଷ୍ମର ରାଜୁତି । ସାରା ରାଜ୍ୟରେ ତ୍ରାହି ତ୍ରାହି ଡାକୁଛି ଜନଜୀବନ । ଟୁଇନ୍ସିଟି କଟକ ଭୁବନେଶ୍ୱରରେ ତ ତତଲା କଡ଼େଇରେ ସିଝିଲା ଭଳି ସ୍ଥିତି । ଆର୍ଦ୍ରତା ଯେମିତି ତାପମାତ୍ରା ବି ସେମିତି । ରାଜଧାନୀରେ ଆଜି ସକାଳ ସାଢ଼େ ୮ଟା ବେଳକୁ ୬୫ ପ୍ରତିଶତ ଆର୍ଦ୍ରତା ସହ ୩୫ ଡିଗ୍ରୀରେ ପହଞ୍ଚିଥିବା ପାରା ସାଢ଼େ ୧୧ଟା ବେଳକୁ ୪୧.୬ ଡିଗ୍ରୀ ପହଞ୍ଚିଯାଇଥିଲା।
ଦିନ ସାଢ଼େ ଦୁଇଟା ବେଳକୁ ତ ଆକାଶରୁ ନିଆଁ ଖସୁଥିଲା ଯେମିତି। ପାରା- ପାଖାପାଖି ୪୪ ଡିଗ୍ରୀ (୪୩.୮) । ସ୍ୱାଭାବିକ ତୁଳନାରେ ୫-୬ ଡିଗ୍ରୀ ଅଧିକ ତାପମାତ୍ରା ଓ ପ୍ରବଳ ଗୁଳୁଗୁଳି କଟକ- ଭୁବନେଶ୍ୱର ବାସିନ୍ଦାଙ୍କୁ ଅସ୍ତବ୍ୟସ୍ତ କରି ଦେଇଥିଲା।
କେବଳ କଟକ କି ଭୁବନେଶ୍ୱର ନୁହେଁ ପୁରୀ, ବ୍ରହ୍ମପୁର, ପାରାଦୀପ, ଚାନ୍ଦବାଲି,ଗୋପାଳପୁର, ବାଲେଶ୍ୱରଠୁ ନେଇ ସବୁ ଉପକୂଳ ଅଞ୍ଚଳରେ ଖରାଠୁ ଗୁଳୁଗୁଳିର ଯନ୍ତ୍ରଣା ବଳି ପଡୁଥିବା ବେଳେ ଖରା ତେଜରେ ଜଳୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ଏମିତିକି ଦିନ ସାଢ଼େ ଦିଇଟା ସୁଦ୍ଧା ଆଜି ୪୫ ଡିଗ୍ରୀ ପାର କରି (୪୫.୩) ତାତିରେ ଟକଟକ ଫୁଟୁଥିଲା ସମ୍ବଲପୁର ସହର ।
କାଲି ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଆଦି ୪ ସହର କାଲି ୪୪ ଡିଗ୍ରୀ ଉପରେ ଥିବା ବେଳେ ଆଜି ବି ଏସବୁ ସହର ସମେତ ବୌଦ୍ଦ, ସୁନ୍ଦରଗଡ଼, ଭବାନୀପାଟଣା, ଅନୁଗୁଳ ଆଦି ସହରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅସ୍ତବ୍ୟସ୍ତ କରିଛି। ଏମିତିକି, ଜଙ୍ଗଲ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାରେ ଭୀଷଣ ଖରା ପାଇଁ ଦିନ ୧୧ ବାଜୁ ବାଜୁ ରାସ୍ତାଘାଟ, ବଜାର ଶୂନ୍ଶାନ୍ ହୋଇପଡ଼ୁଛି । ସେଭଳି ଜରୁରୀ କାମ ନଥିଲେ ଖରାରେ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ।;
ମୌସୁମୀ ଆଗମନରେ ବିଳମ୍ବ କାରଣରୁ ଯେଉଁ ସମୟରେ ଆକାଶରେ ମେଘ ଦୋଳା ଦୋଳା ହେବା କଥା, ସେ ସମୟରେ ଅଗ୍ନି ବର୍ଷୁଛି। ଏପରିକି ଏଭଳି ସ୍ଥିତିରୁ ମୁକ୍ତିର ସମ୍ଭାବନା ନାହିଁ। କାରଣ ପାଣିପାଗ ବିଭାଗର ଆକଳନ କହୁଛି ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏପରିକି ଆସନ୍ତା ଦୁଇ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିବା ସହ ଏହି ସମୟରେ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ଯାଏଁ ଅଧିକ ରହିବାର ପୂର୍ବାନୁମାନ କରାଯାଇଛି।
ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିକୁ ୧୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ଥିଲା ବେଳେ ଆସନ୍ତାକାଲି ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବାକୁ ଥିବାରୁ ଏଥର ପ୍ରଚଣ୍ଡ ଖରାରେ ପୂରା ମାଡ଼ ଖାଇଯିବ ଗଣପର୍ବ ଭାବେ ପରିଚିତ ତିନିଦିନିଆ ରଜପର୍ବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686583596.jpg)