ପାଣିପାଗ ବିଭାଗର ଭୟଙ୍କର ତଥ୍ୟ, ମେ’ରେ ଆହୁରି ଜଳିବ ରାଜ୍ୟ

ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ ।

Weather Update

ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ । ତେବେ ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଏସବୁ ଭିତରେ ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି । ବୌଦ୍ଧର ତାପମାତ୍ରା ସର୍ବାଧିକ ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେପଟେ କାଳବୈଶାଖୀ ହେବାର ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ । ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ।

କିନ୍ତୁ ୨୫ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ଅଛି । ଅନ୍ୟପଟେ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।

୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମୟୂରଭଞ୍ଜରୁ ୭, ଅନୁଗୁଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍‌ ରିଲେଟେଡ୍‌ ଇଲନେସ୍‌ ପାଇଁ ଆଡମିଶନ୍‌ ହୋଇଥିଲେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବହାରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏପ୍ରିଲରେ ଏଯାବତ୍‌ ୬ ଦିନ ହିଟୱେଭ୍ ଅନୁଭୂତ ହେଲାଣି । ଚଳିତ ମାସ ଆହୁରି ୩ ଦିନ ହିଟୱେଭ୍ ଅନୁଭୂତ ହେବ। କାଲି ପାଇଁ ହିଟୱେଭ୍ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲରେ ସାଧାରଣତଃ ୧ରୁ ୩ ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୁଏ। ଗତବର୍ଷ ଏପ୍ରିଲରେ ୫ ଦିନ ହିଟୱେଭ ଅନୁଭୂତ ହୋଇଥିଲା ।