Advertisment

ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା

ମଧ୍ୟରାତ୍ରୀ ପରଠୁ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ କ୍ରମଶଃ ବଢ଼ି ୮୦ରୁ ୯୦, ଏମିତିକି ରବିବାର ୧୦୦ କିଲୋମିଟରକୁ ଛୁଇଁପାରେ।

ଅଦ୍ୟତନ ହୋଇଛି
Cyclone Jawad

Cyclone Jawad

Advertisment

ଭୁବନେଶ୍ୱର: ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା। ସମୁଦ୍ର ଭିତରେ ଘାଉଁରୁଥିବାବେଳେ ସ୍ପଷ୍ଟ ହେଲା ଜୱାଦ୍‌ର ଗତିପଥ। ୪ ତାରିଖ ସଂଧ୍ୟା ପରେ ଉତ୍ତର ପୂର୍ବ ଦିଗ ମୁହାଁ ହେବ ଓ ୫ ତାରିଖ ମଧ୍ୟାହ୍ନରେ ପୁରୀ ପାଖରେ ପହଞ୍ଚିବ। ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।ଜୱାଦ ଆସନ୍ତାକାଲି ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ମୁହାଁ ହୋଇ ଉପକୂଳକୁ ମାଡ଼ି ଆସିବ। ରବିବାର ମଧ୍ୟାହ୍ନରେ ପୁରୀ ଜିଲ୍ଲା ଉପକୂଳ ନିକଟରେ ପହଞ୍ଚି ସମାନ ଦିଗରେ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ। ଏହାର ପ୍ରଭାବରେ ଆଜି ସନ୍ଧ୍ୟା ପରଠୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଆରମ୍ଭ ହୋଇଯିବ ବର୍ଷା।

Advertisment

ମଧ୍ୟରାତ୍ରୀ ପରଠୁ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ କ୍ରମଶଃ ବଢ଼ି ୮୦ରୁ ୯୦, ଏମିତିକି ରବିବାର ୧୦୦ କିଲୋମିଟରକୁ ଛୁଇଁପାରେ। ତେବେ ଉପକୂଳ ପହଞ୍ଚିବା ପରେ ବାତ୍ୟା କ୍ରମେ ଦୁର୍ବଳ ହେବ, ହେଲେ ଏ ସମୟରେ ଅମାବାସ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିବ ଓ ସର୍ବାଧିକ ୫ ମିଟର ଉଚ୍ଚର ଜୁଆର ବି ଉଠିପାରେ ବୋଲି ଅନୂୁମାନ କରିଛନ୍ତି ଆଇଏମ୍‌ଡି ଡିଜି। ତାସହ କହିଛନ୍ତି ଏଥରର ବାତ୍ୟା ଜୱାଦ ପ୍ରକୋପ ଗତ ସେପ୍ଟେମ୍ବରରେ ଆସିଥିବା ବାତ୍ୟା ଗୁଲାବଠୁ ଅଧିକ ଏବଂ ୨୦୧୮ ଅକ୍ଟୋବରରେ ଆସିଥିବା ତିତ୍‌ଲି ଠାରୁ କମ୍ ରହିବ।

ବାତ୍ୟା ଜୱାଦ୍‌ର ପ୍ରଭାବରେ ଆକାଶରେ ମେଘ ଭର୍ତ୍ତି। ମଧ୍ୟରାତ୍ରିରୁ ଆରମ୍ଭ ହୋଇଯିବ ବର୍ଷା, କାଲି ପ୍ରବଳ ବର୍ଷିବ। ପାଣିପାଗ ବିଭାଗର ପୂର୍ବ ସୂଚନା ମୁତାବକ ୪ତାରିଖରେ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି କରାଯାଇଥିବା ରେଡ୍ ଓ୍ୱାର୍ଣ୍ଣିଂ ବଳବତ୍ତର ରହିଛି।  ଏମିତିକି ଏସବୁ ଜିଲ୍ଲାରେ କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ବି ଅନୁମାନ କରାଯାଇଛି। ସେହିପରି ଖୋର୍ଦ୍ଧା, ନୟାଗ଼ଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବି ପ୍ରବଳ ବର୍ଷାର ଅନୁମାନ ସହ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ରହିଛି। ଏଥିସହ ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ବି ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ୫ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ସହ ଯାଜପୁର,କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାକୁ ବର୍ଷାର ଓ୍ୱାର୍ଣ୍ଣିଂ ଦିଆଯାଇଛି।

Advertisment

ବାତ୍ୟା ଜୱାଦ୍‌ର ଗତିପଥ ସାଙ୍ଗକୁ ଏହାର ପ୍ରକୋପର ଅପଡେଟ୍ ତଥ୍ୟ ସଂଗ୍ରହ ଲାଗି ପାଣିପାଗ ବିଭାଗ, ଆନ୍ଧ୍ରର ମଛଲିପଟନମ୍ ଓ ବିଶାଖାପାଟଣା ସହ ଓଡ଼ିଶାର ଗୋପାଳପୁର ଏବଂ ପାରାଦୀପରେ କାର୍ଯ୍ୟରତ ଡପଲର ରାଡ଼ାର ଉପରେ ସକ୍ରିୟ ନଜର ରଖିଛି। ସେପଟେ ବାତ୍ୟା ମୁକାବିଲା ନେଇ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରକୁ ୪୬ଟି NDRF ଟିମ୍ ପଠାଯାଇଛି ଓ ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍ ରଖାଯାଇଛି ବୋଲି କହିଛନ୍ତି NDRF ଡିଜି ତାସହ ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିଲେ ବି ପ୍ରସ୍ତୁତ ରହିଥିବା ସେ କହିଛନ୍ତି।

ରିପୋର୍ଟ: ଶିବାନନ୍ଦ ରାଉତ, ବିବର୍ତ୍ତନ ପଣ୍ଡା ଓ ଅର୍ଚ୍ଚନା ଶତପଥୀ

Odisha Weather Weather Update Cyclone Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ