• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ବାତ୍ୟା ବାବଦରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କୁହାଯାଉଛି ।

ଏପଟେ ଫନି ବାତ୍ୟାକୁ ୩ ବର୍ଷ ବିତିଛି । ୨୦୧୯ ମେ ୩ ତାରିଖରେ ଓଡ଼ିଶା ଉପକୂଳର ପୁରୀ ନିକଟରେ ହିଟ୍ କରିଥିଲା ବାତ୍ୟା ଫନି । ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାକ୍ ମୌସୁମୀ ଋତୁରେ ୧୯୬୫ ପରେ ଫନି ଥିଲା ସବୁଠୁ ବଡ଼ ବାତ୍ୟା । ଏହି ବାତ୍ୟା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୧୫ କିଲୋମିଟର ରହିଥିଲା ।

କେବଳ ସେତିକି ନୁହେଁ, ବାତ୍ୟା ଫନିର ଗତିପଥ ସବୁଠାରୁ ଲମ୍ବା ୩୦୩ କିଲୋମିଟର ଥିଲା । ଦେଖିବାକୁ ଗଲେ ଅନ୍ୟ ବାତ୍ୟା ତୁଳନାରେ ଫନି ଭିନ୍ନ ଥିଲା । ବିଷୁବ ରେଖାର ଅତି ନିକଟରେ ସୃଷ୍ଟି ହୋଇ ବାତ୍ୟା ହୋଇଥିଲା, ଯାହାକି ବିରଳ । ଏତେ ନିମ୍ନ ଅକ୍ଷାଂଶରେ ପୂର୍ବରୁ ୨୦୦୫ ଜାନୁଆରୀରେ ଉତ୍ତର ଭାରତ ମହାସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଥିଲା ।

ଦିନର ତାତି ପରେ ସଞ୍ଜରେ କାଳବୈଶାଖୀ ଝଡ଼ । ଆଜି କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୋରରେ ପବନ ସହ ବର୍ଷା ହୋଇଛି । ଆଜି ସଂଧ୍ୟାରୁ ପ୍ରାୟ ୩-୪ ଘଣ୍ଟା ହେଲାଣି କାଳବୈଶାଖୀ ବର୍ଷା ଲାଗିରହିଛି । ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଫଳରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଭିତରେ ଆଶ୍ୱସ୍ତି ଅନୁଭବ କରିଛନ୍ତି ଲୋକେ ।

ସେପଟେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମନୁପାଲି ଗାଁରେ ବାହା ବେଦୀ ସହ ଟେଣ୍ଟକୁ ଉଡ଼ାଇ ଦେଇଛି ଝଡ଼ । ଟେଣ୍ଟର ଲୁହା ପଡ଼ି ଜଣେ ୧୨ ବର୍ଷର ବାଳକ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଆଗଲପୁର ହସପିଟାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ବାଲିଆପାଳ ଡଗରା ଛକରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷା ଛାଡ଼ିବା ପରେ ବଜାରରୁ ଘରକୁ ଫେରିବା ବାଟରେ ବଜ୍ରାଘାତର ଶୀକାର ହୋଇଥିଲେ ସଂପୃକ୍ତ ବ୍ୟକ୍ତି ଜଣକ ।