• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଗତ ୩୦ ବର୍ଷର ରେକର୍ଡ କହୁଛି, ଜୁନ୍ ୧୫ରୁ ୧୭ ଭିତରେ ସାରା ରାଜ୍ୟକୁ ଛୁଇଁଥାଏ ମୌସୁମୀ ବାୟୁ । ହେଲେ ଏବର୍ଷ ଆଜି ସୁଦ୍ଧା ମୌସୁମୀର ଦେଖାଦର୍ଶନ ନାହିଁ । ଆଉ ଏଣେ ତାପମାତ୍ରାର ମିଟର୍ ଘାଇଁ ଘାଇଁ ବଢ଼ି ଚାଲିଛି । ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ । ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ୪୫ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ସମ୍ବଲପୁର । ଝାରସୁଗୁଡ଼ା ୪୪.୪ ଏବଂ ଭୁବନେଶ୍ୱର ଓ ହୀରାକୁଦର ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଥିଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଉ ୨-୩ ଦିନ ଏହିଭଳି ତାପମାତ୍ରା ଜାରି ରହିଲେ ବି, ୨୧ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହିତ ପାରଦ ଖସିବ ବୋଲି ସୂଚନା ମିଳିଛି ।

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ । ରାଜଧାନୀ ଭୁବନେଶ୍ୱରରେ ସମେତ ରାଜ୍ୟର ବେଶ୍ କିଛି ସହରରେ ସିଭିୟର ହିଟୱେଭ୍ କଣ୍ଡିସନ ଲାଗିରହିଛି । ୪୦ ଡିଗ୍ରୀ ଉପରେ ରହୁଛି ପାରଦ । ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୧୯ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କଲବଲ କରିବ ଭୀଷଣ ଗ୍ରୀଷ୍ମପ୍ରବାହ ।ତେବେ ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ। ୨୦ରେ କେବଳ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି । ଏଥିସହ ୨୧ କିମ୍ବା ୨୨ ତାରିଖରେ ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।

କେବଳ ଦିନ ବେଳା ରୌଦ୍ରତାପ ନୁହେଁ, ରାତିରେ ବି ଗରମ ପବନ ଓ ଗୁଳୁଗୁଳି ଅସହ୍ୟ ହେଉଛି । ସାଂଘାତିକ କୁପ୍ରଭାବ ଭୋଗୁଛନ୍ତି ଶିଶୁ, ବୟସ୍କ ଓ ଅସୁସ୍ଥ ।ପ୍ରଚଣ୍ଡ ଖରା ଅଂଶୁଘାତର ଆଶଙ୍କା ବଢ଼ାଇଥିବା ବେଳେ, ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ କାର ଭିତରେ ଏକୁଟିଆ ନଛାଡ଼ିବା ପାଇଁ ଅଭିଭାବକଙ୍କୁ ସତର୍କ କରିଛି ଓଡ଼ିଶା ପୋଲିସ । ବାହାରେ ୪୦ ଡିଗ୍ରୀ ତାପମାତ୍ରା ଥିଲେ ବି, କାର ଭିତରର ତାପମାତ୍ରା ୬୦ ଡିଗ୍ରୀ ହେବାକୁ ମାତ୍ର ୧୫ ମିନିଟ ସମୟ ଲାଗେ । ଯାହାକି ସ୍ୱାସ୍ଥ୍ୟ ପାଇଁ ହାନିକାରକ କିମ୍ବା ଘାତକ ମଧ୍ୟ ହୋଇପାରେ । ଗ୍ରୀଷ୍ମପ୍ରବାହ ସହିତ ଅଘୋଷିତ ବିଦ୍ୟୁତ୍ କାଟ୍ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି ।