ପାକିସ୍ତାନ ବନ୍ୟା
ପ୍ରକୃତିର ପ୍ରଳୟ….ପାକିସ୍ତାନରେ ବନ୍ୟାର କରାଳ ରୂପ… ଏପର୍ଯ୍ୟନ୍ତ ମଲେଣି ୨୦୦ରୁ ଅଧିକ ଲୋକ । ବନ୍ୟା ପ୍ରଭାବରେ ପାକିସ୍ତାନରେ ହାହାକାର ।…..ପଡୋଶୀ ପାକିସ୍ତାନରେ ବିଶମ ପରିସ୍ଥିତି । ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ପାକିସ୍ତାନର ଅନେକ ଅଞ୍ଚଳରେ ଜୀବନଯାତ୍ରା ବ୍ୟାହତ ହୋଇଛି । ବିଶେଷକରି ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ସ୍ଥିତି ଏଭଳି ହେଲାଣି ଯେ ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ ମୃତ୍ୟୁବରଣ କଲେଣି ୨୦୦ରୁ ଅଧିକ ଲୋକ ।
ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା NDMA ପକ୍ଷରୁ ସୂଚନା ଦିଆଯାଇଛି, ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ପାକିସ୍ତାନରେ ୨୦୨ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୯୬ ଜଣ ଶିଶୁ ମଧ୍ୟ ଅଛନ୍ତି । ପଞ୍ଜାବ ପ୍ରଦେଶରେ ସର୍ବାଧିକ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ପଞ୍ଜାବ ପରେ ଖାଇବର ପଖତୁନଖ୍ୱାରେ ୪୦ ଜଣ, ସିନ୍ଧରେ ୨୧ ଜଣ, ବେଲୁଚିସ୍ତାନରେ ୧୬ ଜଣଙ୍କ ଜୀବନ ଯାଇଛି ।
ସେହିଭଳି ଇସଲାମାବାଦ ଏବଂ ପିଓକେରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା NDMA ଜଣାଇଛି । ତେବେ ପ୍ରବଳ ବର୍ଷା ପରେ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଏବେ ସମସସ୍ତଙ୍କୁ ଚକିତ କରିଛି । ବନ୍ୟା ଯୋଗୁଁ ପାଖାପାଖି ୩୦ଜଣଙ୍କ ଜୀବନ ଯାଇଥିବା ବେଳେ ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ଚାପି ହୋଇ ମୋଟ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କେବଳ ବନ୍ୟା ନୁହେଁ ବରଂ କୋଠା ଭୁଶୁଡ଼ିବା, ବିଦ୍ୟୁତ ଆଘାତ ଲାଗିବା, ବଜ୍ରପାତ ଓ ଭୂସ୍ଖଳନ କାରଣରୁ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଇଛି ।
ସେପଟେ ପାକିସ୍ତାନରେ ମୌସୁମୀ ବର୍ଷା ଭୟଙ୍କର କ୍ଷୟକ୍ଷତି ଘଟାଇଛି । ମୁଷଳଧାରାରେ ବର୍ଷା ଯୋଗୁଁ, ପଞ୍ଜାବର ମରିୟମ ନୱାଜ ସରକାର ଅନେକ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଖାଇବର ପଖତୁନଖ୍ୱା, ପଞ୍ଜାବ, ସିନ୍ଧ ଏବଂ ଇସଲାମାବାଦର ଅନେକ ଜିଲ୍ଲା ଏବେ ହାଇ ଆଲର୍ଟର ଅଛନ୍ତି। ଦେଶର ଅନେକ ସ୍ଥାନରେ ଡ୍ରେନ୍ ଅବରୋଧ ହେବା ଯୋଗୁଁ ଜଳବନ୍ଦୀ ସମସ୍ୟା ଗମ୍ଭୀର ହୋଇପଡ଼ିଛି, ଯାହା ସାଧାରଣ ଜୀବନକୁ ପ୍ରଭାବିତ କରିଛି । ତେବେ ସ୍ଥାନୀୟ ପ୍ରଶାସନକୁ ଡ୍ରେନ୍ ସଫା କରିବା ଏବଂ ଜରୁରୀକାଳୀନ ଦଳଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ରାୱଲପିଣ୍ଡି, ଲାହୋର, ସିଆଲକୋଟ, ସରଗୋଡା, ଫୈସଲାବାଦ, ମୁଲତାନ, ଖାନୱାଲ, ସାହିୱାଲ, ଲୋଡ୍ରା, ମୁଜାଫରଗଡ, କୋଟ ଆଡୁ, ଟାଉନସା, ରାଜନପୁର, ବାହାବଲପୁର ଏବଂ ରହୀମ ୟାର ଖାନ ଭଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ନ୍ୟାସନାଲ ଇମରଜେନ୍ସି ଅପରେସନ୍ ସେଣ୍ଟର ବା NEOC ସମଗ୍ର ଦେଶ ପାଇଁ ସତର୍କତା ଜାରି କରିଛି । ଏଥିରେ ଆକସ୍ମିକ ବନ୍ୟା, ସହରାଞ୍ଚଳରେ ଜଳବନ୍ଦୀ ଏବଂ ହିମବାହୀ ହ୍ରଦରେ ବିସ୍ଫୋରଣର ସମ୍ଭାବନା ଥିବା ଆକଳନ କରାଯାଇଛି ।
ସେହିଭଳି ପ୍ରମୁଖ ନଦୀଗୁଡ଼ିକର ଉପର ମୁଣ୍ଡରେ ବନ୍ୟା ଆଶଙ୍କା ରହିଥିବା ବେଳେ ତଳିଆ ଏବଂ ପାହାଡିଆ ଅଞ୍ଚଳର ରାସ୍ତା ଏବଂ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇପାରେ ବୋଲି କୁହାଯାଇଛି । ପ୍ରବଳ ବର୍ଷା ସମୟରେ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ଦୁର୍ବଳ ଅଞ୍ଚଳକୁ ଯାତ୍ରା ନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753252691.jpg)