ବନ୍ୟା ! ଘର ଭିତରେ ପଶିଲା ପାଣି, ବୁଡ଼ିଲା ପୋଲ ଜଣାପଡ଼ୁନି ରାସ୍ତା

ସମ୍ବଲପୁର ମାଲତୀଜୋର ବ୍ରିଜ୍ ଉପରେ ପାଣି ଚାଲୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଗାଁ ଓ ସହରମୁହାଁ ।

Flood

ହୀରାକୁଦ୍ ଡ୍ୟାମ୍‌ରୁ ପାଣି ନିଷ୍କାସନ୍ ହେବା ପରେ ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ପଶିଛି ପାଣି । ଏକାଧିକ ଲୋକଙ୍କ ଘରେ ପାଣି ପସିଛି । ତଳିଆ ଅଞ୍ଚଳର ଲୋକଙ୍କୁ ସେଠୁ ସ୍ଥାନାନ୍ତର କରାଯାଇଛି । ୭ଟି ରିଲିଫ୍ କ୍ୟାମ୍ପରେ ହଜାରରୁ ଅଧିକ ଲୋକଙ୍କୁ ରଖାଯାଇଛି । ଯେପରି ସହରରେ ପାଣି ଜମିବନି ସେନେଇ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ପାଣି ନିଷ୍କାସନ କରିବାକୁ ପଦକ୍ଷେପ ନିଆଯାଇଛି । ସେପଟେ ସମ୍ବଲପୁର ମାଲତୀଜୋର ବ୍ରିଜ୍ ଉପରେ ପାଣି ଚାଲୁଛି ।

ସେହିପରି ସୁବର୍ଣ୍ଣପୁରରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ସୋନପୁର-ସମ୍ବଲପୁର ରାସ୍ତାର ମାଳତି ଯୋର ସେତୁ ବୁଡ଼ି ଯାଇଛି । ଫଳରେ ସୋନପୁର ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ବନ୍ୟା ଯୋଗୁଁ ବୀରମହାରାଜପୁର ଓ ଅମରପାଲି ରାସ୍ତାର ଘୁଂଘିଯୋର ରାସ୍ତା ଉପରେ ୪ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ବୀରମହାରାଜପୁରରୁ ଅମରପାଲି ଦେଇ ସମ୍ବଲପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ମହାନଦୀରେ ଜଳସ୍ତର ବଢୁଥିବାରୁ ବିଜେପୁର ସେତୁ ଉପରେ ମଧ୍ୟ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । 

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଗାଁ ଓ ସହରମୁହାଁ । ଉତ୍ତରବାଙ୍କୀ ହୁଳୁହୁଳା ପୋଲ ଉପରେ ୧ ଫୁଟର ବନ୍ୟାଜଳ । ତିଗିରିଆ ଓ ଉତ୍ତରବାଙ୍କୀର ୫ଟି ପଞ୍ଚାୟତର ଶହ ଶହ ଏକର ଜଳମଗ୍ନ । ବୌଦ୍ଧ ସହର ଭିତରେ ପଶିଲା ପାଣି, ନୂଆସାହି ବୁଡ଼ିଲା । ପାଣିଘେର ଭିତରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ । ହରଭଙ୍ଗା ବ୍ଲକ୍‌ର ୧୦ଟି ପଞ୍ଚାୟତର ୫୫ ଗାଁ ପାଣି ଘେରରେ । ପାଣି ବଢ଼ିବାରୁ ମୋହନା ହରଭଙ୍ଗି ଡ୍ୟାମ୍‌ର ୨ଟି ଗେଟ୍ ଖୋଲିଲା ।

ସେହିଭଳି କେନ୍ଦୁଝର ବୋଦାପଳାସା ଗାଁ ଅରଡେଇ ପୋଲରେ ୩ ଫୁଟ ପାଣି । କେନ୍ଦୁଝର ସହର ଠାରୁ ୩ଟି ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ । ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ପୋଲରେ ଚାଲୁଛି ୩ ଫୁଟ ପାଣି । ମଣ୍ଡୁଆ ପଞ୍ଚାୟତର ଟିକରଗୁମୁରା ମୁଣ୍ଡାସାହିରେ ପଶିଲା ପାଣି । ସମ୍ବଲପୁର-ସୁବର୍ଣ୍ଣପୁର ରାସ୍ତାର ମାଳତୀ ଗୁଣ୍ଡେରପୁର ରାସ୍ତା ବୁଡ଼ିଲା । NH- ୧୫ ଉପରେ ୪ ଫୁଟର ବନ୍ୟାଜଳ ଯୋଗୁଁ ଗମନାଗମନ ଠପ୍ ।