ବର୍ଷାରେ ବିଗିଡ଼ିଲାଣି ସ୍ଥିତି ! ଭାସିଗଲା କାଠପୋଲ ଯାତାୟତ ଠପ୍‌, ଦେଖନ୍ତୁ ଭିଡିଓ..

ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Wooden Bridge

ଲଗାଣ ବର୍ଷାରେ ଭାସି ଗଲା ଅସ୍ଥାୟୀ କାଠ ପୋଲ । ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବିରିନ୍ଦାପଡ଼ାରେ ଦେଖିବାକୁ ମିଳିଛି । ଆଜି ସକାଳୁ ପ୍ରବଳ ବର୍ଷା ହେବା ଫଳରେ ବିରିନ୍ଦାପଡ଼ା ଗ୍ରାମବାସୀଙ୍କ ଲାଇଫ୍‌ଲାଇଡ଼୍‌ କୁହାଯାଉଥିବା କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ ଭାସି ଯାଇଛି । ଫଳରେ ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଏହି କାଠ ପୋଲ ଦେଇ ବିରିନ୍ଦାପଡ଼ା ସମେତ ବାନ୍ଦାବାଜୁ, ଜ୍ରାବାକେତା ଓ କାଣ୍ଡିକୁଟି ଆଦି ଗାଁର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଏବେ କାଠ ପୋଲ ଧୋଇ ହୋଇଯିବା ପରେ ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ବିରିନ୍ଦାପଡ଼ାରୁ ବହାରିବା ପାଇଁ ଅନ୍ୟ ଏକ ରାସ୍ତା ରହିଛି, ହେଲେ ଲୋକମାନେ ଏହି କାଠ ପୋଲ ଉପରେ ଅଧିକ ନିର୍ଭର କରିଥାନ୍ତି ।

 

ସେପଟେ ନବରଙ୍ଗପୁରରେ ବି ସ୍ଥିତି ବେହାଲ । ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ l ଆଜି ସକାଳୁ ଲଘୁଚାପ ଜନିତ ବର୍ଷା ଜାରି ରହିଥିବାରୁ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି l ଜିଲ୍ଲାର ପାପଡାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ତୁରୀ ନଦୀ ଧୀରେ ଧୀରେ ଫୁଲିବାରେ ଲାଗିଛି l ବର୍ତମାନ ତୁରୀ ନଦୀର ବ୍ରିଜ ଉପରେ ଦୁଇ ଫୁଟ ଉଚ୍ଚତାରେ ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ନବରଙ୍ଗପୁର - ଉମରକୋଟ ଏବଂ ନବରଙ୍ଗପୁରଠାରୁ ରାୟପୁରକୁ ଯୋଗଯୋଗ ସମ୍ପୂର୍ଣ୍ଣ ଭାବେ ଠପ୍‌ ହେଇପଡିଛି l

ରାସ୍ତାର ଉଭୟ ପାର୍ଶ୍ୱରେ ଅସଂଖ୍ୟ ଗାଡି ଛିଡା ହୋଇଥିବା ସହ ଯାତ୍ରୀମାନେ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି l ନବରଙ୍ଗପୁର ଜିଲ୍ଲା ସହ ଉମରକୋଟ ଏବଂ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ରାୟପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ବନ୍ଦ ହୋଇଯାଇଛି l ବର୍ତମାନ ବି ବର୍ଷା ଅଧିକା ହେଉଥିବାରୁ ଧୀରେ ଧୀରେ ନଦୀ ଫୁଲି ବ୍ରିଜ ଉପରେ ପାଣି ବଢ଼ିବାରେ ଲାଗିଛି । ଅନ୍ୟପଟେ ଘଟଣାସ୍ଥଳରେ ପ୍ରଶାସନର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନାହିଁ l