ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା ଅନୁଭୂତ ହେଲାଣି । ଫେବ୍ରୁଆରୀରୁ ଚେତାବନୀ ଦେଲାଣି ତାତି । ତିନି ଦିନ ଭିତରେ ତାପମାତ୍ରା ବଢିଲାଣି ୩ ଡିଗ୍ରୀ । ପାରଦ ୩୭ ଡିଗ୍ରୀ ପାର୍ କଲାଣି । ରାଜ୍ୟବାସୀଙ୍କ ମଧ୍ୟରେ ଭାଳେଣି ମଧ୍ୟ ପଡ଼ିଗଲାଣି । ଏବେଠୁ ଯଦି ଏତେ ଗରମ ତ ମେ ଜୁନ୍ ରେ ଅବସ୍ଥା କଣ ହେବ ତାକୁ ନେଇ ଚିନ୍ତିତ ରାଜ୍ୟବାସୀ । ପାଣିପାଗ ବିଭାଗ କହିଛି ଗୁରୁଚାପ ବଳୟରୁ ରାଜ୍ୟକୁ ଥଣ୍ଡା ପବନ ବନ୍ଦ ହୋଇଛି ଏବଂ ପଶ୍ଚିମା ଝଡ ପ୍ରଭାବରେ ତାତି ବଢୁଛି ।
ଝାରସୁଗୁଡାରେ ବୁଧବାର ପାରଦ ୩୭ ଛୁଇଁଥିବା ବେଳେ ଆଜି ୩୫ ଡେଇଁଲା ରାଜଧାନୀର ତାତି । ଝାରସୁଗୁଡାରେ ୯ ୧୦ଟା ବେଳକୁ ଦାଉ ଦାଉ ଖରା । ୧୨ ଟା ବାଜୁ ବାଜୁ ମାଡି ଆସୁଛି ତାତି । ଗରମରେ ସିଝିଯାଉଛି ମୁହଁ । ତାତି ଏତେ ବଢିଛି ଯେ, ଦିନ ଗୋଟାଏରେ ରାସ୍ତା ଘାଟ ଶୂନଶାନ । ୩୭ ଡିଗ୍ରୀ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଲୋକଙ୍କ ଭିତରେ ଭାଳେଣିି, ଏବେଠୁ ଏତେ ଗରମ ତ ଆଗକୁ ହେବ କଣ?
Also Read
ଏପଟେ ଚଳିତ ବର୍ଷ ପ୍ରଥମ ଥର ଫେବ୍ରୁଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାତି । ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀ ବାସିନ୍ଦାଙ୍କ କହିବା ଅନୁସାରେ ପୂର୍ବରୁ କେବେ ଫେବ୍ରୁଆରୀରେ ଖରା ଏତେ କାଟୁ ନଥିଲା । ଗତବର୍ଷ ଫେବ୍ରୁଆରୀ ଆଜିର ଦିନରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଫେବ୍ରୁଆରୀ ୧୦ ତାରିଖରେ ୩୪ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୧୧ ସହର । ଫେବ୍ରୁଆରୀ ୧୧ ତାରିଖରେ ରାଜ୍ୟର ୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।
ଫେବ୍ରୁଆରୀ ୧୨ ତାରିଖରେ ୩୫ ଡିଗ୍ରୀ ପାର କରିଥିଲା ୧୦ଟି ସହରର ତାପମାତ୍ରା । ୩୭ ଛୁଇଁଥିଲା ଝାରସୁଗୁଡା ତେବେ ଫେବ୍ରୁଆରୀରୁ ରାଜ୍ୟରେ ଏତେ ଗରମ କାହିଁକି ? ପାଣିପାଗ ବିଭାଗ କହିଛି, ଓଡ଼ିଶା ଉପୂକଳକୁ ଗୁରୁଚାପ ବଳୟ କବ୍ଜା କରି ରଖିଥିବାରୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନ ଅବରୋଧ ହୋଇଛି । ଏଥିସହ ପଶ୍ଚିମା ଝଡ଼ ପ୍ରଭାବରେ ତାତି ବଢୁଛି । ବର୍ତ୍ତମାନ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ଡିଗ୍ରୀ ବଢିଛି । ରାତିର ତାପମାତ୍ରା ବି ବୃଦ୍ଧି ପାଇଛି । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଛି ।