Cyclone Update: ଆସିଲା ଖୁସି ଖବର ! ‘ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ’

ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

Jenamani Cyclone Update

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ । ଓଟିଭିକୁ IMD ବୈଜ୍ଞାନିକ ଆର୍.କେ ଜେନାମଣିଙ୍କ ସୂଚନା । ଆଜି ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । କାଲି ଅବପାତଟି ବାତ୍ୟାରେ ପରିଣତ ହେବା ସମ୍ଭାବନା । ଏହା ୧୦ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ସମୁଦ୍ରରେ ଗତିପଥ ବଦଳାଇବ । ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ।

ଗତିପଥ ବଦଳାଇବାର ଥିବାରୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ନାହିଁ । ଗତିପଥ ବଦଳାଇବା ପରେ ଓଡ଼ିଶା ଉପକୂଳରୁ ଦୂରକୁ ଚାଲିଯିବ । ୯ ଓ ୧୦ ତାରିଖରେ ସମୁଦ୍ରରେ ପବନ ବେଗ ୭୦ରୁ ୯୦ କିମି ରହିବ । ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ ତାରିଖରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ।

ଜେନାମଣିଙ୍କ ପୂର୍ବରୁ ପ୍ରାୟ ସମାନ କଥା କହିଥିଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ କହିଥିଲେ ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ୧୦ ତାରିଖରେ ଗତିପଥ ବଦଳାଇବ । ୮ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ୧୦ ତାରିଖ ଯାଏଁ ସମାନ ଦିଗରେ ଯିବ । ୧୦ ସଂଧ୍ୟା ଯାଏ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ଦିଗ ବଦଳାଇବା ସମ୍ଭାବନା । ଦିଗ ବଦଳାଇ କ୍ରମେ ଉତ୍ତର-ଉତ୍ତରପୂର୍ବକୁ ଗତି କରିବ ବାତ୍ୟା । ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବା ପରେ ଦିଗ ବଦଳାଇବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ସେପଟେ ଅଗ୍ନିଶମ ଡିଜି କହିଛନ୍ତି, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର ରଖାଯାଇଛି । ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଅନୁସାରେ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି । ବାତ୍ୟାର ଗତିପଥ ଜଣାପଡ଼ିଲେ ସେମାନଙ୍କୁ ମୁତୟନ କରାଯିବ ।

ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।