ଓଡ଼ିଶାକୁ ନାହିଁ ବାତ୍ୟା ଭୟ; ୨୫ରେ ବାଂଲାଦେଶ ଉପକୂଳ ଛୁଇଁବ 'ହାମୁନ'

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ବଙ୍ଗୋପସାଗରକୁ ଘନୋଉଛି ବାତ୍ୟା ଭୟ । ବଙ୍ଗୋପସାଗରରେ ଘନୋଉଥିବା ଗଭୀର ଅବପାତ ଆଉ କିଛି ସମୟ ପରେ ବାତ୍ୟା ହାମୁନର ରୂପ ନେଇପାରେ । ହେଲେ ଆଶ୍ୱସ୍ତିର କଥା ହେଉଛି, ଓଡ଼ିଶା ଉପରେ ଏହାର ସେମିତି କିଛି ପ୍ରଭାବ ପଡ଼ିବନି । ୨୫ ତାରିଖ ସଂଧ୍ୟାରେ ଏହା ପୁଣି ଗଭୀର ଅବପାତ ସ୍ଥିତିରେ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାରେ କେବଳ ଝଙ୍କାଳିଆ ପବନ ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା କହିଛି ।

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା, ଉପକୂଳରେ ପ୍ରଭାବ । କୋହଲା ପବନ ସାଙ୍ଗକୁ କେଉଁଠି ହାଲକା ତ କେଉଁଠି ଟିକେ ଅଧିକ ବର୍ଷା ହେବା ସମ୍ଭାବନା । ଓଡ଼ିଶା ଉପକୂଳରୁ ପ୍ରାୟ ୨ ଶହ କିଲୋମିଟର ଦୂରରେ ବାଂଲାଦେଶ ମୁହାଁ ସମ୍ଭାବ୍ୟ ବାତ୍ୟା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶା ଉପକୂଳରେ ଏ ବାତ୍ୟାର ସେମିତି କିଛି ପ୍ରଭାବ ନାହିଁ । ସମୁଦ୍ରରେ ତ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ପବନ ବହିପାରେ । ହେଲେ ଉପକୂଳ ଓଡ଼ିଶାର ସମୁଦ୍ର କୂଳରେ କେବଳ ଯାହା ଝଙ୍କାଳିଆ ପବନ ହେବ ।

ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ସହ ଜଗତସିଂହପୁର, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଟିକେ ଅଧିକ ହୋଇପାରେ । ତେବେ ପାର୍ବଣ ଚାଲିଥିବାରୁ ପୂଜା ପେଣ୍ଡାଲ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ । ତେଣୁ ଏଥିପାଇଁ ସତର୍କ କରିଛନ୍ତି ଆଇଏମଡି ଡିଜି । ତାଙ୍କ କହିବା ମୁତାବକ '୨୫ ତାରିଖ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ଏହି ସମୟ ଭିତରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

ତେଣୁ ଏସଆରସିଙ୍କ ପକ୍ଷରୁ ଏ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୃଷି ଓ ଜଳସଂପଦ ବିଭାଗ ସଚିବଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆଉ ଏପଟେ ହାମୁନ୍ ନିଶାନାରେ ଓଡ଼ିଶା ନଥିଲେ ବି ବାତ୍ୟା ନାଁ ଶୁଣି ଚାଷୀ ଛାତି ଧଡ଼ ଧଡ଼ । ଏବେ ଧାନର ଥୋଡ଼ ସମୟ ହୋଇଥିବାରୁ ଟିକେ ଅଧିକ ବର୍ଷା-ପବନ ଧାନ ଫସଲକୁ କ୍ଷତି କରିବାର ସମ୍ଭାବନା ଥିବାରୁ ଚିନ୍ତାରେ ଉପକୂଳିଆ ଅଞ୍ଚଳର ଚାଷୀ ।

ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା କିଛି ନୂଆ କଥା ନୁହେଁ । ସେ ୧୯୯୯ ମହାବାତ୍ୟା ହେଉ କି ୨୦୧୩ର ଫାଇଲିନ୍, ୨୦୧୪ ମସିହାର ହୁଡହୁଡ୍ ହେଉ କି ୨୦୧୮ର ତିତଲି ଅବା ବର୍ତ୍ତମାନର ସମ୍ଭାବ୍ୟ ହାମୁନ୍ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ରାଜ୍ୟର ସମସ୍ତ ବନ୍ଦରରେ ତିନି ନମ୍ବର ସତର୍କ ସଂକେତ ଜାରି କରାଯାଇଛି ।