Cyclone Dana: ‘୧୧ ଜିଲ୍ଲାର ୨୧୩୧ ଗାଁ ପ୍ରଭାବିତ ହେବ, ଏଯାବତ ସାଢ଼େ ୩ ଲକ୍ଷ ଲୋକ ସ୍ଥାନାନ୍ତର ହେଲେଣି’

ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦର୍କ୍ଷେପ ଉପରେ ସମୀକ୍ଷା କରିଛନ୍ତି ସିଏମ୍ ।

Cyclone Dana

ବାତ୍ୟା ଦାନାର ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦର୍କ୍ଷେପ ଉପରେ ସମୀକ୍ଷା କରିଛନ୍ତି ସିଏମ୍ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦାନା ପାଇଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇ ସାରିଛନ୍ତି ।

ବାତ୍ୟା ପାଇଁ ମୋଟ ୧୬୫୩ ଗାଁ ପ୍ରଭାବିତ ହୋଇଛନ୍ତି । ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି। ୨ ହଜାର ୩୩୮ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ୧୯ଟି NDRF, ୫୧ ଓଡ୍ରାଫ୍ ଏବଂ ୨୨୦ ଅଗ୍ନିଶମ ଟିମ୍ ଗ୍ରାଉଣ୍ଡରେ ମୁତୟନ ହୋଇଛନ୍ତି । 

ସେହିପରି୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଗାଁ ଗାଁରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି। ସେପଟେ ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହେବା ସହ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଓଡ଼ିଶା ଆଡ଼କୁ ଭୟଙ୍କର ରୂପ ଧରି ମାଡ଼ିଆସୁଛି ଭୀଷଣ ବାତ୍ୟା 'ଦାନା'। ଏବେ ପାରାଦୀପ ଠାରୁ ୧୫୦ କିଲୋମିଟର ଏବଂ ଧାମରା ଠାରୁ ୧୮୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗଉଥିବା ବେଳେ, ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ 
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଜି ରାତିରେ ହିଁ ଭିତରକନିକା ଓ ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବ ଦାନା। ରାତି ୩ଟାରୁ ଭୋର୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ତେବେ ଏହାର ତୀବ୍ରତା ଅତି ଭୀଷଣ ହୋଇନଥିବାରୁ ବାତ୍ୟାର ଆଖି ସୃଷ୍ଟି ହେବନାହିଁ । ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ। ଲ୍ୟାଣ୍ଡଫଲ୍ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ପବନରେ ଚାଳ ଛପର ଘର ଉଡ଼ିଯାଇପାରେ, ଖୁଣ୍ଟି ବି ଭାଙ୍ଗିପାରେ।  ମୟୂରଭଞ୍ଜ, ଯାଜପୁର, କଟକରେ ୬୦ରୁ ୮୦, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୬୦ ରୁ ୭୦, ସୁନ୍ଦରଗଡ଼ ଜିଲ୍ଲାରେ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।

ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହେବା ସହ ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଏହା ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ରିକର୍ଭ ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ଏବଂ କାଲି ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ।