ଏଇଠି ହେବ ଲ୍ୟାଣ୍ଡଫଲ୍ ! ସମୁଦ୍ରରେ ଥାଇ ତାଉ ଦେଖାଇବା ଆରମ୍ଭ କଲାଣି ‘ଦାନା’

ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା। ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ସ୍ଥଳରେ ସ୍ପଷ୍ଟ ବାରି ହେଲାଣି ବାତ୍ୟାର ପୂର୍ବାଭାସ। ସମୁଦ୍ରରେ ଥାଇ ତାଉ ଦେଖାଇବା ଆରମ୍ଭ କଲାଣି ଦାନା ।

Cyclone Dana landfall

ଅଶାନ୍ତ ହେଲାଣି ସମୁଦ୍ର... ଘୋଟି ଆସିଲାଣି କଳାହାଣ୍ଡିଆ ମେଘ... ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା...। ଧାମରାରୁ ଭିତରକନିକା... ତଳଚୁଆ, ପେଣ୍ଠ ଓ ବତିଘର । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଏହିସବୁ ଅଞ୍ଚଳରେ ଆଜିଠୁ ଡରାଇଲାଣି ବାତ୍ୟାର ପୂର୍ବାଭାସ । ଭିତରକନିକା ଆକାଶରେ ଭୟର ଚିତ୍ର। ପ୍ରଭାବିତ ହୋଇପାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏହି ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ। ତେବେ ବାତ୍ୟା ଆସିବା ଆଗରୁ ବେଳ ଥାଉ ଥାଉ ପେଟ ପୂରାଇ ନେଉଛନ୍ତି ହରିଣ ପଲ । ଗୋଧି ବି ଖୋଜିଲାଣି ସୁରକ୍ଷିତ ଆଶ୍ରୟସ୍ଥଳ । କୁହାଯାଏ ପ୍ରାକୃତିକ ଦୂର୍ବିପାକର ଆଗୁଆ ଆଭାସ ପାଇପାରନ୍ତି ବନ୍ୟଜନ୍ତୁ। ତେବେ ବାତ୍ୟା ସିଧା ଯଦି ଭିତରକନିକାରେ ମାଡ଼ ହୁଏ, ପକ୍ଷୀ ଓ ଅନ୍ୟ ବନ୍ୟଜନ୍ତୁ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ଭିତରକନିକା ଅଞ୍ଚଳରେ ଥିବା ୨ ଶହ ବର୍ଗ କିଲୋମିଟରର ହେନ୍ତାଳ ବଣ ସୁରକ୍ଷା କବଚ ସାଜି ବାତ୍ୟା ପ୍ରକୋପକୁ କିଛି ମାତ୍ରାରେ ଦୁର୍ବଳ କରିଦେଇପାରେ ବୋଲି ଆଶା କରୁଛି ବନବିଭାଗ । ବାତ୍ୟା ପରେ କୁମ୍ଭୀର, ସାପ ଓ ଅନ୍ୟ ଜନ୍ତୁଜୁନ୍ତା ଗାଁ ମୁହାଁ ହେବାର ଆଶଙ୍କା ଥିବାରୁ ସେଥିପ୍ରତି ମଧ୍ୟ ବିଭାଗ ସତର୍କ ଥିବା କହିଛନ୍ତି ଡିଏଫ୍ଓ ।

ପଟ୍ଟାମୁଣ୍ଡାଇ ସଦାବେଳେ ସମୁଦ୍ର ଆଁରେ ରହୁଥିବା ପେଣ୍ଠ। ସମୁଦ୍ର ଅଶାନ୍ତ ହେଲେ ଲୋକଙ୍କୁ ଲାଗିରହେ ଗାଁ ଭାସିଯିବାର ଭୟ । ଆଉ ଏଇ ପେଣ୍ଠ ଅଞ୍ଚଳ ବି ‘ଦାନା’ର କାଳେ ଦାନା ପାଲଟିଯିବ, ସେଥିପାଇଁ ସମସ୍ତେ ଛାନିଆ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପେଣ୍ଠ ସହିତ, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ଡାଙ୍ଗମାଳ, ତଳଚୁଆ ଅଞ୍ଚଳରେ ବି ଲୋକେ ଭୟଭୀତ। ବାତ୍ୟା କେତେବେଳେ ଆସିବ, ତାଣ୍ଡବ ରଚିବ ନା ପ୍ରଳୟ କରିବ, ତାକୁ ନେଇ ଚିନ୍ତାରେ ସମସ୍ତେ ।

ଭଦ୍ରକ ଜିଲ୍ଲା ଧାମରାର ଦୃଶ୍ୟ । ସମୁଦ୍ର ଭିତରୁ ମେଘ ଅନ୍ଧାର କରି ଘୋଟି ଆସିବା ଆସିବା ପରେ, ଅଧିକ ଚଳଚଞ୍ଚଳ ହୋଇଉଠିଛି ଧାମରା ଚାନ୍ଦିନୀପାଳ ଫିସିଂ ହାର୍ବର । ମତ୍ସ୍ୟଜୀବୀମାନେ ଟଲର୍, ଡଙ୍ଗା, ଜାଲ ଆଦି ସୁରକ୍ଷିତ କରିବାରେ ବ୍ୟସ୍ତ । ନିକଟବର୍ତ୍ତୀ ଜନବସତିରେ କାହାକୁ ନିଜ ଚାଳଛପର ଚିନ୍ତା ଛାନିଆ କଲାଣି, ଆଉ କିଏ ଶୁଖୁଆ କେଉଁଠି ସାଇତି ରଖିବ, ସେ ଚିନ୍ତା ଘାରିଲାଣି । ବେଳ ଥାଉ ଥାଉ ଅଟୋରେ ବ୍ୟାଗପତ୍ର ଲୋଡିଂ କରି ସୁରକ୍ଷିତ ସ୍ଥାନମୁହାଁ ହେଲେଣି ବିଭିନ୍ନ କଂପାନୀ ଶ୍ରମିକ ଓ କର୍ମଚାରୀ । ଚାନ୍ଦିପୁର, ବଳରାମଗଡ଼ି, ଇଞ୍ଚୁଡ଼ି, ଚାନ୍ଦବାଲି ଆଡ଼େ ବି ସମାନ ସ୍ଥିତି, ସମାନ ଶଙ୍କା ।