Cold Wave Returns: ୧୦ ଡିଗ୍ରୀ ତଳେ ୮ ସହର, ରାଉରକେଲା ପାଲଟିଲା ସବୁଠୁ ଥଣ୍ଡା ସହର

ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ ।

Cold Wave

ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ । ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜିଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଛି ।

ଥରାଇଲାଣି ଶୀତ, ୮ ସହରରେ ୧୦ ଡିଗ୍ରୀ ତଳେ ପାରଦ ରେକର୍ଡ । ଏବର୍ଷର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି ରାଉରକେଲା । ଗତକାଲି ରାତିରେ ରାଉରକେଲାର ତାପମାତ୍ରା ୭ ଡିଗ୍ରୀ ତଳେ ଥିଲା । ସେହିପରି ଝାରସୁଗୁଡ଼ାରେ ୮, କେନ୍ଦୁଝରରେ ୯.୫, ସୁନ୍ଦରଗଡ଼ରେ ୯.୭ ଫୁଲବାଣୀରେ ୯.୫, ଦାରିଙ୍ଗବାଡିରେ ୯.୫, ରାଉରକେଲାରେ ୭ ଡିଗ୍ରୀ ପାରଦ ରହିଛି ।

ଅନୁଗୁଳ ଓ ସୋନପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ବି ଖସିଛି ପାରଦ, ଗତକାଲି ଭୁବନେଶ୍ୱରର ପାରଦ ଥିଲା ୧୩.୨, କଟକରେ ସବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ । କେନ୍ଦୁଝର, ମୟୁରଭଂଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଂଜାମ, ଗଜପତି, କଳାହାଣ୍ଡି ଏବଂ ନୟାଗଡ ଜିଲ୍ଲାକୁ କୁହୁଡି ନେଇ ସତର୍କ କରିଛି ପାଣିପାଗ ବିଭାଗ । ପାଖାପାଖି ୩ରୁ ୫ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା । ଯାହାଫଳରେ ଭଲ ଶୀତ ଅନୁଭୂତ ହେବ ।

ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି । ଉଷ୍ମ ହେଉଛି ଡିସେମ୍ବର । ଉପରମୁହାଁ ହେଉଛି ପାରଦ । ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି । ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି । ଲୁଚକାଳି ଖେଳୁଛି ଶୀତ ।

ଅଧିକ ପଢ଼ନ୍ତୁ: ନୂଆବର୍ଷରୁ ଶୀତର କମବ୍ୟାକ୍, କମିବ ରାତି ତାପମାତ୍ରା

ଦିନ କେଇଟା ରାଜ୍ୟରେ ଅଳ୍ପ ବହୁତ ଥଣ୍ଡା ପଡ଼ିଥିଲା । କିନ୍ତୁ ଲଘୁଚାପ ବର୍ଷା ପରେ ବିଲକୁଲ୍ ବଦଳିଛି ପାଣିପାଗ ମିଜାଜ୍ । ଡିସେମ୍ବରରେ ରାଜ୍ୟର ଦିନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା କଥା । କିନ୍ତୁ ବର୍ତ୍ତମାନ ଅଧିକାଂଶ ସହରରେ ପାରଦ ରହୁଛି ୩୧ରୁ ୩୩ ଡିଗ୍ରୀ ସେଲସିୟସ୍ । ଅର୍ଥାତ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ।

ପାଣିପାଗ ବିଜ୍ଞାନୀଙ୍କ ମତରେ ରାଜ୍ୟକୁ ବାୟୁ ପ୍ରବାହର ଗତି ପରିବର୍ତ୍ତନ ହୋଇଛି । ଏଥିସହ ପଶ୍ଚିମା ଝଡ଼ ପ୍ରଭାବ, ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମ୍ ଯୋଗୁଁ ଡିସେମ୍ବରରେ ତାପମାତ୍ରା ଅଧିକ ରହୁଛି । ଡିସେମ୍ବର ଓ ଜାନୁଆରୀରେ ପଡ଼େ ପ୍ରବଳ ଶୀତ । ହାତଗୋଡ଼ କାଲୁଆ ପଡ଼ିଯାଏ । କିନ୍ତୁ ଏବର୍ଷ ବିରାଟ ବ୍ୟତିକ୍ରମ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ କହୁଛି, ଗତ ୧୦ ବର୍ଷରେ ରାଜ୍ୟରେ ଏମିତି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଅଧିକାଂଶ ସହରରେ ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି । ୨୦୨୨ ଡିସେମ୍ବରରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

ସେହିପରି ୨୦୨୦ ଡିସେମ୍ବରରେ ବାଲେଶ୍ୱରରେ ୩୩.୪, ପାରାଦୀପରେ ୩୧.୨, ଝାରସୁଗୁଡ଼ାରେ ୩୩, ୨୦୧୫ରେ କେନ୍ଦୁଝରରେ ୩୨.୯ ଓ ୨୦୧୨ରେ ପୁରୀରେ ଡିସେମ୍ବରରେ ପାରଦ ରହିଥିଲା ୩୧.୬ ଡିଗ୍ରୀ ସେଲସିୟସ୍ । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଜିଠାରୁ ୪ ତାରିଖ ଯାଏ ରାଜ୍ୟରେ ଥଣ୍ଡା ବଢ଼ିବ ।

୩ରୁ ୫ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା । ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି । ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁଚକ୍ର ଉପରେ ପଡୁଛି । ଫଳରେ ଶୀତ ଦିନେ କେବେ ବର୍ଷା ଦାଉ ସାଧୁଛି ତ କେବେ ଗ୍ରୀଷ୍ମଋତୁ ଭଳି ଟାଇଁ ଟାଇଁ ଖରା ହେଉଛି ।

ଅଧିକ ପଢ଼ନ୍ତୁ: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର