ରାଜ୍ୟରେ ଶୀତ କମୁଛି ବର୍ଷା ମାଡ଼ି ଆସୁଛି, ପୁଣି ଚାଷୀ ମୁଣ୍ଡରେ ଚଡ଼କ

୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏହି ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଲା ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

rain-Google-weather-forecasting-machine-learning

ରାଜ୍ୟରେ ତାପମାତ୍ରା କମୁଥିବାବେଳେ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗୁରୁବାର ସୃଷ୍ଟି ହୋଇଥିବା ପଶ୍ଚିମା ଝଡ଼ ପ୍ରଭାବରେ ପୂର୍ବ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ତେଣୁ ଆଗାମୀ ତିନି ଦିନ ରାତିର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହୁଥିବାବେଳେ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏହି ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଲା ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟରେ ଶୀତ ଲହର ଲାଗି ରହିଥିବା ବେଳେ ଏବେ ପୁଣି ଥରେ ବର୍ଷା ସମ୍ଭାବନା ଦେଖାଦେଇଛି । ୧୦ ତାରିଖ ଦିନ ରାଜ୍ୟର ୧୧ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଥିବା ବେଳେ ୧୦ରେ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

ସେହି ୧୧ଟି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର । ସଂପୃକ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । 

ତେବେ ଏହି ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁଣି ଥରେ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ପରିସ୍ଥିତି ଉପୁଜିଛି । କାରଣ ଏବେ ବି ମଣ୍ଡିରେ ଧାନ ପଡ଼ି ରହିଛି । ଗୋଟିଏ କି ଦୁଇଟି ବସ୍ତା ନୁହେଁ, ହଜାର ହଜାର ବସ୍ତା ଧାନ ଏବେ ବି ମଣ୍ଡିରେ ପଡ଼ି ରହିଛି । ଆଉ ଚାଷୀମାନେ ଶୀତ କାକରରେ ଧାନ ଜଗି ବସିଛନ୍ତି । କିଏ ପାଲ ତଳେ ଶୋଇଛି ତ ଆଉ କିଏ ରାତି ସାରା ନିଆଁ ପୁଆଁଉଛି । ହେଲେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ତିଳେ ହେଲେ କର୍ଣ୍ଣପାତ କରୁ ନାହାନ୍ତି ।

ସମବାୟ ପକ୍ଷରୁ ଧାନ କିଣାଯାଉ ନାହିଁ । ଚାଷୀଙ୍କ ପାଖରେ ଟୋକନ ଥିଲେ ବି ଧାନ କିଣାଯାଇ ପାରୁ ନାହିଁ । ଚାଷୀ ନିରାଶ ହୋଇ ଫେରୁଛି । ବର୍ଷଯାକର ପରିଶ୍ରମ ଏବେ ବି ମଣ୍ଡିରେ ସେମିତି ଥୁଆ ହୋଇଛି । ପୂର୍ବରୁ ଯେଉଁ ବର୍ଷା ହୋଇଥିଲା ସେଥିରେ କିଛି ଧାନ ଗଜା ହୋଇଯାଇଥିବା ମଧ୍ୟ ଦେଖାଯାଇଥିଲା । ଏବେ ପୁଣି ବର୍ଷା ହେଲେ ଚାଷୀମାନେ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।