Advertisment

Vastu Tips: ଏମିତି ଭୁଲ୍ କରୁଛନ୍ତି କି...ମିତ୍ର ସହ କଳହ ହେବାର ସଂଭାବନା ଅଧିକ

ଯଦି ଗୃହର ଆକାର ବୃଦ୍ଧି କରିବା ବା ଆଗରୁ ଥିବା ଗୃହକୁ ଲଗାଇ ଆଉ ଗୋଟେ ଅଧିକା ବଖରା ନିର୍ମାଣ କରିବାକୁ ହେଲେ ଚାରିଦିଗରେ ସମାନ ଭାବରେ ବୃଦ୍ଧି କରିବା ହେଉଛି ଶ୍ରେଷ୍ଠ ନିୟମ । କିନ୍ତୁ ଗୋଟେ ଦିଗକୁ ବଢ଼ାଇଲେ ଏହା ବାସ୍ତୁଦୋଷ ଉତ୍ପନ୍ନ କରିଥାଏ । ଦକ୍ଷିଣ ଦିଗକୁ ଗୃହବୃଦ୍ଧି କଲେ ମୃତ୍ୟୁତୁଲ୍ୟ କଷ୍ଟ ମିଳିଥାଏ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ମିତ୍ର ସହ ଶତ୍ରୁତା ଆଣେ ଏହି ବାସ୍ତୁଦୋଷ

ମିତ୍ର ସହ ଶତ୍ରୁତା ଆଣେ ଏହି ବାସ୍ତୁଦୋଷ

“ବସ୍ତୁ” ଶବ୍ଦରୁ “ବାସ୍ତୁ” ଶବ୍ଦର ଉତ୍ପତ୍ତି । ବସ୍ତୁ ଶବ୍ଦର ଅର୍ଥ ହେଉଛି ଯାହାର ବାସ୍ତରେ ସତ୍ତା ଅଛି । ଯାହାକୁ ଆମେ ଦେଖି ପାରୁଛୁ ଓ ଛୁଇପାରୁଛୁ । ଏହି ବସ୍ତୁ ସମ୍ବଦ୍ଧିତ ଶାସ୍ତ୍ର ହେଉଛି ବାସ୍ତୁଶାସ୍ତ୍ର । ଏଣୁ ବାସ୍ତୁ ବିଷୟରେ ଏକ ପ୍ରାଚୀନ ଶାସ୍ତ୍ର  “ସମରାଙ୍ଗଣ ସୂତ୍ରଧର”ରେ କୁହାଯାଇଛି-

Advertisment

ଦେଶଃ ପୁରମ୍ ନିବାସଶ୍ଚ ସମାବେଶ୍ମାଂ ସନାନି ଚ

ଯଚ୍ଛଦି ଦୃଶମନ୍ୟଦ୍ଦ୍ୟ ତତଚ୍ଛେୟସ୍କରମ୍ ମତମ୍ ।ା

ବାସ୍ତୁ ଶାସ୍ତ୍ରାବୃତ୍ତେ ତସ୍ୟ ନ ସ୍ୟାଲ୍ଲକ୍ଷଣ ନିଶ୍ଚୟ

ତସ୍ମାଲ୍ଲୋକସ୍ୟ କୃପୟା ଶାସ୍ତ୍ରମେବ ଦୁଦୀର୍ଯତେ ।ା

ଅର୍ଥାତ୍ ଦେଶ, ପୁର (ନଗର), ନିବାସ, ସମାବେଶସ୍ଥଳ, ବିଭିନ୍ନ ପ୍ରକାର ଦୃଶ୍ୟମାନ ହେଉଥିବା ସ୍ଥାନ, ଯେଉଁ ସ୍ଥାନରେ ମଣିଷ ତା’ର  ଆବଶ୍ୟକତାକୁ ନେଇ ନିର୍ମାଣ କାର୍ଯ୍ୟ କରିଥାଏ । ସେହି ସ୍ଥାନ ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ବସ୍ତୁ ପାଇଁ ବାସ୍ତୁଶାସ୍ତ୍ରର ବିଭିନ୍ନ ଲାଭକାରୀ ନିୟମମାନ ରହିଛି । ଏହି ନିୟମ ଭିତରୁ ଅସନ୍ତୁ ଆଜି ଏକ ବିଶେଷ ନିୟମ ବିଷୟରେ ଜାଣିବା । 

ମଣିଷ ସବୁବେଳେ ସୁଖଶାନ୍ତିରେ  ରହିବାକୁ ଚାହିଁ, ବହୁ ଅର୍ଥ ବ୍ୟୟ କରି ଗୃହ ନିର୍ମାଣ କରିଥାଏ । ବାସ୍ତୁଶାସ୍ତ୍ର ବିଷୟରେ ଜାଣିଥିବା ଏବଂ ମାନୁଥିବା ଲୋକମାନେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଗୃହ ନିର୍ମାଣ ମଧ୍ୟ କରନ୍ତି କିନ୍ତୁ ପରବର୍ତ୍ତି ସମୟରେ ସେହି ଗୃହଟିରେ ଶାନ୍ତି ବଦଳରେ ଅଶାନ୍ତି ମିଳିଥାଏ । ସେତେବେଳେ ବାସ୍ତୁବିତ୍ ଏବଂ ବାସ୍ତୁଶାସ୍ତ୍ର ଉପରେ ଅବିଶ୍ୱାସ ଆସିଥାଏ । ଏହିପରି ପରିସ୍ଥିତିକୁ ଅନୁଧ୍ୟାନ କରି ଜଣାପଡିଛି ଯେ ପରବର୍ତ୍ତୀ ସମୟରେ ସେହି ଗୃହଟିରେ କିଛି ଅଧିକା ନିର୍ମାଣ କରିଛନ୍ତି ଏବଂ ସେହି ନିର୍ମାଣ ପାଇଁ ଆଉ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ନାହାନ୍ତି ।

Advertisment

ଏହିପରି ନିର୍ମାଣର ଭୁଲ୍ ହୋଇଥାଏ ଯେତେବେଳେ  ପରବର୍ତ୍ତୀ ସମୟରେ ଅଧିକ ରୁମ୍‌ର ଆବଶ୍ୟକ ପଡ଼ିଥାଏ । ସେତେବେଳେ ଭୂମିରେ ଯେଉଁପଟେ ଟିକିଏ ଅଧିକା ଜାଗା ଥାଏ ସେତେବେଳେ  ପୁରାତନ ଗୃହକୁ ଲଗାଇ, ଛାତ ସହିତ ମିଶାଇ ଅଉ ଗୃହ ନିର୍ମାଣ କରିଦେଇଥାନ୍ତି । ଏହାକୁ ବାସ୍ତୁଶାସ୍ତ୍ରରେ ଗୃହବୃଦ୍ଧି ବୋଲି କୁହାଯାଏ ।  ଏହି ଗୃହ ବୃଦ୍ଧିର ମଧ୍ୟ ବାସ୍ତୁଶାସ୍ତ୍ରରେ ସ୍ୱତନ୍ତ୍ର ନିୟମ ରହିଛି । ଯାହାକୁ ଅଣଦେଖା କରି  ଗୃହବୃଦ୍ଧି କଲେ ଅନେକ ବାସ୍ତୁଦୋଷ ଉତ୍ପନ୍ନ ହୋଇ ଗୃହକର୍ତ୍ତା ଏବଂ ଗୃହବାସୀଙ୍କୁ ଅଶୁଭ ଭଳ ମିଳିଥାଏ । ଆସନ୍ତୁ ସେହି ବାସ୍ତୁ ନିୟମ ବିଷୟରେ ଅଧିକ ଜାଣିବା । 

ଉଚ୍ଛେଦ୍ୟଦି ଗୃହବୃଦ୍ଧିଂ ତତଃ ସମନ୍ତାଦ୍ୱିବର୍ଦ୍ଧୟେତ୍ ତୁଲ୍ୟମ୍‌

ଏକୋଦ୍ଦେଶେ ଦୋଷଃ ପ୍ରାଗଥବାପ୍ୟୁତ୍ତରେ କୁର୍ଯ୍ୟତ୍ ।ା

ପ୍ରାଗ୍‌ଭବତି ମିତ୍ରବୈରଂ ମୃତ୍ୟୁଭୟଂ ଦକ୍ଷିଣେନ ଯଦି ବୃଦ୍ଧିଃ

ଅର୍ଥ ବିନାଶଃ ପଶ୍ଚାଦୁଦଗ୍‌ବିବୃଦ୍ଧୋ ମନସ୍ତାପଃ ।ା

ଏହାର ଅର୍ଥ ହେଉଛି ଯଦି ଗୃହର ଆକାର ବୃଦ୍ଧି କରିବା ବା ଥିବା ଗୃହକୁ ଲଗାଇ ଅଉ ଗୋଟେ ଅଧିକା ବଖରା ନିର୍ମାଣ କରିବାକୁ ହେଲେ ଚାରିଦିଗରେ ସମାନ ଭାବରେ ବୃଦ୍ଧି କରିବା ହେଉଛି ଶ୍ରେଷ୍ଠ ନିୟମ । କିନ୍ତୁ ଗୋଟେ ଦିଗକୁ ବଢ଼ାଇଲେ ଏହା ବାସ୍ତୁଦୋଷ ଉତ୍ପନ୍ନ କରିଥାଏ । ଦକ୍ଷିଣ ଦିଗକୁ ଗୃହବୃଦ୍ଧି କଲେ ମୃତ୍ୟୁତୁଲ୍ୟ କଷ୍ଟ ମିଳିଥାଏ । ଉତ୍ତର ଦିଗକୁ ଗୃହବୃଦ୍ଧି କଲେ ମାନସିକ ଅଶାନ୍ତି ମିଳିଥାଏ । ପଶ୍ଚିମ ଦିଗକୁ ବୃଦ୍ଧିକଲେ ଧନର ଅପବ୍ୟୟ ହୋଇ ଆର୍ଥିକ କଷ୍ଟ ମିଳିଥାଏ । ପୂର୍ବକୁ ଗୃହ ବୃଦ୍ଧିକଲେ  ମିତ୍ରମାନଙ୍କ ସହ ଶତ୍ରୁତା ହୋଇଥାଏ ।

ଏଣୁ ଗୃହ ଥରେ ନିର୍ମାଣ କଲେ ଯଦି ପରବର୍ତ୍ତୀ ସମୟରେ ଗୃହ ବୃଦ୍ଧି କରିବାର ନିହାତି ଆବଶ୍ୟକତା ଥାଏ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଗୃହବୃଦ୍ଧି କଲେ ଗୃହବୃଦ୍ଧିର ଅଶୁଭଫଳ ଭୋଗିବାକୁ ପଡ଼ିନଥାଏ ।

(ବି.ଦ୍ର- ଏଥିରେ ଦିଆଯାଇଥିବା ସମସ୍ତ ତଥ୍ୟ ଏହି ଲେଖକଙ୍କ ନିଜସ୍ୱ ମତ)

House Friends Vastu Tips For Home Vastu Tips
Advertisment
Advertisment