ଏତେ ବଡ଼ ହୋଟେଲ୍, କର୍ମଚାରୀ ମାତ୍ର ଦୁଇଜଣ ! ଭର୍ଚୁଆଲ୍ ରିସେପ୍ସନିଷ୍ଟକୁ ନେଇ ଭିନ୍ନମତ

ବେଙ୍ଗାଲୁରୁ .. ଭାରତର ଆଇଟି ହବ୍ । ଅର୍ଥାତ୍ ଏଠି ବିଜ୍ଞାନ କଥା କୁହେ .. ଦୁନିଆର ଆଇଟି ସେକ୍ଟରର ସବୁ ବଡ଼ ବଡ଼ କମ୍ପାନୀ ଏଠାରେ ଆଡ୍ଡା ଜମାଇଛନ୍ତି । ଟେକ୍ନୋଲୋଜି ଏଠି ମୁଣ୍ତ ନୁଆଁଏ ।

Bengaluru Hotel

ବେଙ୍ଗାଲୁରୁ .. ଭାରତର ଆଇଟି ହବ୍ । ଅର୍ଥାତ୍ ଏଠି ବିଜ୍ଞାନ କଥା କୁହେ .. ଦୁନିଆର ଆଇଟି ସେକ୍ଟରର ସବୁ ବଡ଼ ବଡ଼ କମ୍ପାନୀ ଏଠାରେ ଆଡ୍ଡା ଜମାଇଛନ୍ତି । ଟେକ୍ନୋଲୋଜି ଏଠି ମୁଣ୍ତ ନୁଆଁଏ । ବେଙ୍ଗାଲୁରୁ ଆଇଟିକୁ ନେଇ ସମୃଦ୍ଧ । ଏହାକୁ ପ୍ରମାଣିତ କରିବାକୁ ଏପରି ଏକ ଘଟଣା ସେଠାରେ ଘଟିଛି, ଯେଉଁଥିରେ ବେଙ୍ଗାଲୁରୁର ପ୍ରତିଷ୍ଠାକୁ ସୁଦୃଢ଼ ହୋଇପାରିଛି ।

ଅନନ୍ୟା ନାରଙ୍ଗ। ନାମରୁ ଜଣାଯାଉଛି ଜଣେ ମହିଳା, ଲିଙ୍କଡିନ୍ ଓ X ରା ଏନେଇ ଏକ ଫଟୋ ସେୟାର କରିଛନ୍ତି । ସେଥିରେ ଦେଖିବାକୁ ମିଳିଛି ଯେ, ଏକ ହୋଟେଲରେ ଯେତେବେଳେ ସେ ପହଞ୍ଚି ଚେକ୍ ଇନ୍ କରିବାକୁ ଚାହିଁଥିଲେ.. ସେତେବେଳେ ସେ ରିସେପ୍ସନିଷ୍ଟ ଜାଗାରେ ଏକ ଭର୍ଚୁଆଲ୍ ମୋଡ୍‌ରେ ରିସେପ୍ସନିଷ୍ଟ ଥିବାର ଦେଖିଥିଲେ ।

ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଫ୍ରଣ୍ଟ ଡେସ୍କ କର୍ମଚାରୀଙ୍କ ସ୍ଥାନରେ ଜଣେ ଭର୍ଚୁଆଲ୍ ରିସେପ୍ସନିଷ୍ଟ ସ୍ଥାନ ନେଇଥିବା ସେ ଦେଖିଥିଲେ । ଏହି ଫଟୋକୁ ସେ ଲିଙ୍କଡିନ୍ ଓ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ପିକ୍ ବେଙ୍ଗାଲୁରୁ” ମୋମେଣ୍ଟ । ଅନନ୍ୟା ନାରଙ୍ଗ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ହୋଟେଲରେ କେବଳ ଦୁଇଜଣ ସୁରକ୍ଷାକର୍ମୀ ଏବଂ ହାତଗଣତି ଟେକ୍ନିସିଆନ ଉପସ୍ଥିତ ଥିଲେ । ବାକି ସମସ୍ତ କାର୍ଯ୍ୟ ସେଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମପ୍ରାପ୍ତ ପ୍ରଫେସନାଲମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ।

ଏହା ସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ସିଲିକନ୍ ଭ୍ୟାଲି ବ୍ୟତୀତ ଦେଶର ଅନ୍ୟ କୌଣସି ସ୍ଥାନରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ । ପୂରା ହୋଟେଲରେ କେବଳ ୨ ଜଣ ସୁରକ୍ଷାକର୍ମୀ ଓ ଜଣେ ଦୁଇ ଜଣ ଟେକ୍ନିସିଆନଙ୍କ ବ୍ୟତୀତ ଅନ୍ୟ କୌଣସି କର୍ମଚାରୀ ନଥିଲେ ।

ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କେତେକ ପ୍ରଶ୍ନ କରିଛନ୍ତି ଯେ ଟେକ୍ନୋଲୋଜି ପ୍ରକୃତରେ ବ୍ୟକ୍ତିଗତ ସେବାକୁ ନକଲ କରିପାରିବ ନାହିଁ । ଏହା ସହ ଅନ୍ୟ କେତେଜଣ ଉଦ୍‌ବେଗ ପ୍ରକାଶ କରି ଲେଖିଛନ୍ତି ଯେ, ଏପରି କରିବା ଦ୍ୱାରା ବେକାରୀ ସମସ୍ୟା ଦେଶରେ ଆହୁରି ଉତ୍କଟ ହେବ ।

ଅନ୍ୟ ଜଣେ କୌତୁହଳ କରି ଲେଖିଛନ୍ତି ଯେ, ''ଓହୋ, ଏହା ଆଶ୍ଚର୍ଯ୍ୟଜନକ! ମୁଁ ଅନୁମାନ କରୁଛି ହୋଟେଲ କର୍ମଚାରୀମାନେ ବର୍ତ୍ତମାନ କେବଳ ଏକ କ୍ଲିକ୍ ଦୂରରେ ଅଛନ୍ତି । ଏହା ହେଉଛି ଆତିଥ୍ୟର ଭବିଷ୍ୟତ । ସ୍ୱାଗତ ।'' ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ଏହା ବଦଳରେ ତ ରୋବୋଟମାନେ ଭଲ କାମ କରିବେ । ତାଙ୍କୁ ସେଠାରେ ନିଯୁକ୍ତ କରାଯାଉ ।