China Battery
ଆଉ ଚାର୍ଜ ହେବନି ଆପଣଙ୍କ ଫୋନ୍ ! ବିନା ଚାର୍ଜିଂରେ ବ୍ୟବହାର କରିପାରିବେ ୫୦ ବର୍ଷ ! ନୂଆ ଟେକ୍ନୋଲଜି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏମିତି ଏକ ବ୍ୟାଟେରୀ ବଜାରକୁ ଆସିବାକୁ ଯାଉଛି । ଯାହାକି ୫୦ ବର୍ଷ ଯାଏଁ ବିନା ଚାର୍ଜରେ ବିଦ୍ୟୁତ୍ ଯୋଗାଇପାରିବ । ଏଥିପାଇଁ ଆପଣଙ୍କୁ ବ୍ୟାଟେରୀ କେବେ ଚାର୍ଜ କରିବାକୁ ପଡ଼ିବ ନାହିଁ କି ବ୍ୟାଟେରୀର ସୁରକ୍ଷା ପାଇଁ କିଛି ଚିନ୍ତା କରିବେନାହିଁ ।
ଚାଇନାରେ ଏକ ଷ୍ଟାର୍ଟ ଅପ୍ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି । ଯେଉଁଥିରେ ବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି । ଆଉ ଏହି ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୫୦ ବର୍ଷ ଯାଏଁ ରହିବ ବୋଲି କୁହାଯାଉଛି । ଏହାକୁ ନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା ବେଜିଂ ଭିତ୍ତିକ ବେଟାଭୋଲ୍ଟ ଦ୍ୱାରା ବିକଶିତ ପରମାଣୁ ବ୍ୟାଟେରୀ । ମୁଦ୍ରାଠାରୁ ଏହା ଛୋଟ ବୋଲି ଆଉଟଲେଟ୍ ରିପୋର୍ଟରେ ରହିଛି ।
ଏହାକୁ ନେଇ କମ୍ପାନୀ ମଧ୍ୟ ତା’ର ପ୍ରତିକ୍ରିୟା ଦେଇଛି । କମ୍ପାନୀ କହିଛି ଏହି ବ୍ୟାଟେରୀ ପରମାଣୁ ଶକ୍ତିର କ୍ଷୁଦ୍ରକରଣକୁ ରଖିବାରେ ବିଶ୍ୱର ପ୍ରଥମ ବ୍ୟାଟେରୀ । ଏହାକୁ ଫୋନ୍ ଏବଂ ଡ୍ରୋନ୍ ପରି ବ୍ୟବସାୟୀକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ଏହି ନୂତନ ବ୍ୟାଟେରୀକୁ ନେଇ କମ୍ପାନୀ ଆହୁରି ଅନେକ ତଥ୍ୟ ଉପସ୍ଥାପନ କରିଛି । କୁହାଯାଉଛି, ଚାଇନାର ଏହି ନୂଆ ଉଦ୍ଭାବନ ବୈଷୟିକ କ୍ଷେତ୍ରରେ ତାକୁ ଆହୁରି ଆଗକୁ ନେଇଯିବ । ବିଶେଷ କରି ପେସ୍ମେକର୍ ପାଇଁ ଏହା ବେଶୀ ସହାୟକ ହେବ।
ଏହି ନୂତନ ବ୍ୟାଟେରୀ ଏକ ପତଳା ସ୍ତର ସଦୃଶ । ୩ ଭୋଲ୍ଟରେ ୧୦୦ ମାଇକ୍ରୋୱାଟ ଶକ୍ତି ଉତ୍ପାଦନ କରିବା କ୍ଷମତା ରଖିଛି । ୨୦୨୫ ସୁଦ୍ଧା ଏହାକୁ ୧ ୱାଟର ବିଦ୍ୟୁତ୍ ଉତ୍ପାଦନ କରାଇବାରେ ଲକ୍ଷ୍ୟ ରଖାଯାଇଛି ।
କିପରି କାମ କରିବ ଏହି ବ୍ୟାଟେରୀ ?
ବ୍ୟାଟେରୀର ଏକ ଡିଜାଇନ୍ ରହିଛି । ଯାହା ନିଆଁ ଲାଗିବା କିମ୍ବା ବିସ୍ଫୋରଣରୁ ରକ୍ଷା କରିବ । ବେଟାଭୋଲ୍ଟ ଏହା ମଧ୍ୟ ଦାବି କରିଛି ଯେ ବ୍ୟାଟେରୀ -୬୦ ଡିଗ୍ରୀ ସେଲସିୟସରୁ ୧୨୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରାରେ କାର୍ଯ୍ୟ କରିବାର କ୍ଷମତା ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705375208.jpg)