ଜିମ୍ବାୱେର ବଡ଼ ବିଜୟ, ପ୍ରଥମ ମ୍ୟାଚ୍‌ରେ ଭାରତକୁ ୧୩ ରନ୍‌ରେ କଲା ପରାସ୍ତ

ଜିମ୍ବାୱେଠୁ ହାରିଲା ଭାରତ । ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତକୁ ୧୩ ରନ୍‌ରେ ପରାସ୍ତ କରିଛି ଜିମ୍ବାୱେ ।

Ind vs Zim

ବିଶ୍ୱ କ୍ରିକେଟରେ ବଡ଼ ବିପର୍ଯ୍ୟୟ । ଜିମ୍ବାୱେଠୁ ହାରିଲା ଭାରତ । ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତକୁ ୧୩ ରନ୍‌ରେ ପରାସ୍ତ କରିଛି ଜିମ୍ବାୱେ । ଭାରତ-ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ହରାରେ ଖେଳାଯାଉଥିଲା । ଏହି ମ୍ୟାଚ୍‌ରେ ଭାରତ ସାମ୍ନାରେ ମାତ୍ର ୧୧୬ ରନ୍‌ର ଟାର୍ଗେଟ ଥିଲା । କିନ୍ତୁ ଏହି ଲୋ ସ୍କୋର ମଧ୍ୟ ହାସଲ କରିପାରିନଥିଲା ଟିମ୍‌ ଇଣ୍ଡିଆ । ଭାରତୀୟ ଦଳ ୧୯.୫ ଓଭରରେ ମାତ୍ର ୧୦୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଯାହାଫଳରେ ଜିମ୍ବାୱେ ଏହି ମ୍ୟାଚ୍‌କୁ ୧୩ ରନ୍‌ରେ ନିଜ ନାମରେ କରିଛି ।

ସୂଚନା ଅନୁସାରେ ଜିମ୍ବାୱେର ହରାରେ ଆଜି ଭାରତ-ଜିମ୍ବାୱେ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯାଉଥିଲା । ପ୍ରଥମ ଥର ପାଇଁ ଶୁଭମନ ଗିଲ୍‌ଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଆରମ୍ଭରୁ ହିଁ ଭାରତର ବୋଲିଂର ସାମ୍ନା କରିପାରିନଥିଲେ ଘରୋଇ ଜିମ୍ବାୱେ ଦଳ । ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୧୫ ରନ୍‌ କରିବାରେ ସଫଳ ହୋଇଥିଲା ଜିମ୍ବାୱେ । ଜିମ୍ବାୱେ ପକ୍ଷରୁ ଡିଅନ ମେୟର୍ସ ସର୍ବାଧିକ ୨୩ ରନ୍‌ କରିଥିଲେ । ସେହିପରି ଭାରତ ପକ୍ଷରୁ ରବି ବିଷ୍ଣୋଇ ୪ଟି ଓ ୱାଶିଂଟନ୍‌ ସୁନ୍ଦର ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

୧୧୬ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଆରମ୍ଭରୁ ୱିକେଟ୍‌ ହାସଲ କରି ଭାରତକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା ଘରୋଇ ଜିମ୍ବାୱେ ଦଳ । ଯାହାଫଳରେ ଏହି ଲୋ ସ୍କୋର ମଧ୍ୟ ଭାରତ କରିବାରେ ସଫଳ ହୋଇନଥିଲା । ମାତ୍ର ୧୦୨ ରନ୍‌ କରି ଅଲଆଉଟ ହୋଇଥିଲା ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ । ଅଧିନାୟକ ଶୁଭମନ ଗିଲ୍‌ ଟିମ୍‌ ଇଣ୍ଡିଆ ପକ୍ଷରୁ ସର୍ବାଧିକ ୩୧ ରନ୍ କରିଥିଲେ । ଜିମ୍ବାୱେ ପକ୍ଷରୁ ଅଧିନାୟକ ଶିକନ୍ଦର ରାଜା ଓ ତଣ୍ଡୋଇ ଚତାରା ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।