ଆଜି ଇଂଲଣ୍ତର ଓଭାଲ୍ରେ ଆରମ୍ଭ ହୋଇଯାଇଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟିମ୍ ଇଣ୍ତିଆ ଅଧିନାୟକ ରୋହିତ ଶର୍ମା । ଭାରତୀୟ ଦଳ ୪ ପେସ୍ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଛି । ଦଳରେ ଏକମାତ୍ର ସ୍ପିନର ଭାବେ ଖେଳୁଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଚୂଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । ଭାରତୀୟ ଦଳରେ ଥିବା ଅନ୍ୟ ଖେଳାଳି ହେଲେ ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍. ଭରତ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।
ସେପଟେ ଅଷ୍ଟ୍ରେଲିଆ ଦଳରେ ଆହତ ହାଜେଲଉଡଙ୍କ ସ୍ଥାନରେ ବୋଲାଣ୍ଡ ଖେଳୁଛନ୍ତି । ଭାରତ କ୍ରମାଗତ ଦ୍ୱିତୀୟ ଥର ଲାଗି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟାଇଟଲ ଲଢେଇରେ ସାମିଲ ହୋଇଛି । ତେବେ ସବୁଠୁ ଉଲ୍ଲେଖନୀୟ ବିଷୟଟି ହେଉଛି, ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ମନେ ପଡିଲା ଓଡ଼ିଶା ଟ୍ରେନ୍ ଟ୍ରାଜେଡି । ଲଣ୍ଡନର ଓଭାଲରେ ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଫାଇନାଲରେ ବାହନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦଳର ଖେଳାଳି କଳା ଆର୍ମବ୍ୟାଣ୍ଡସ ପିନ୍ଧିଛନ୍ତି ।
Also Read
ଫାଇନାଲରେ ଟସ୍ ଜିଣି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଆଉ ଏହାର ଫାଇଦା ଭାରତକୁ ମିଳିଛି । ଅଷ୍ଟ୍ରେଲିଆର ସ୍କୋର ୨ ରନ୍ ଥିବା ବେଳେ ଓପନର ଖ୍ୱାଜାଙ୍କ ୱିକେଟ୍ ହାସଲ କରିଛନ୍ତି ମହମ୍ମଦ ସିରାଜ । ଫାଇନାଲରେ ଭାରତୀୟ ଦଳ ୪ ପେସ୍ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଛି ।
ଟିମ୍ ଇଣ୍ତିଆ :
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଶ୍ରୀକର୍ ଭରତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ
ଅଷ୍ଟ୍ରେଲିଆ ଦଳ:
ପାଟ କମିନ୍ସ(ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ(ୱିକେଟ କିପର), କାମେରନ ଗ୍ରୀନ, ଟ୍ରାଭିସ ହେଡ୍, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଓ ଡାଭିଡ ୱାର୍ଣ୍ଣର।